ନୂଆ ଅଧିନାୟକ ଶ୍ରେୟାସ ଦିଲ୍ଲୀକୁ ଜିତାଇଲେ
ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଆଇପିଏଲ୍ ମ୍ୟାଚ୍ରେ ନେତୃତ୍ୱ ନେଇ ବିସ୍ଫୋରକ ଅପରାଜିତ ୯୩ ରନ୍ର ଇନିଂସ ଖେଳିଛନ୍ତି ଦିଲ୍ଲୀ ଡେୟାରଡେଭିଲ୍ସ ଅଧିନାୟକ ଶ୍ରେୟାସ ଆୟର। ଫଳରେ ଆଇପିଏଲ୍-୧୧ରେ ସର୍ବାଧିକ ଦଳଗତ ସ୍କୋର୍ ୨୧୯ ରନ୍ ଏହି ମ୍ୟାଚ୍ରେ ଦେଖିବାକୁ ମିଳିଛି। ନେତୃତ୍ୱ ବଦଳିବା ସହ ଦିଲ୍ଲୀର ଭାଗ୍ୟ ବଦଳିଛି ଏବଂ ଏହା ମଧ୍ୟ ବିଜୟଧାରାକୁ ଫେରିପାରିଛି। କଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୫୫ ରନ୍ରେ ଶୁକ୍ରବାରର ମ୍ୟାଚ୍ରେ ଦିଲ୍ଲୀ ଡେୟାରଡେଭିଲ୍ସ ପରାସ୍ତ କରିଛି। ଆୟର ଓ ପୃଥ୍ୱୀ ସ’ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ୪ ୱିକେଟରେ ୨୧୯ ରନ୍ କରିଥିଲା। ଜବାବରେ କଲକାତା ୯ ୱିକେଟରେ ୧୬୪ ରନ୍ କରି ପାରିଥିଲା। ୭ମ ମ୍ୟାଚ୍ରେ ଡେୟାରଡେଭିଲ୍ସର ଏହା ୨ୟ ବିଜୟ। ୭ମ ମ୍ୟାଚ୍ରେ ୪ର୍ଥ ପରାଜୟ ଭୋଗିଛି ନାଇଟ ରାଇଡର୍ସ।
ସମ୍ମୁଖରେ ୨୨୦ ରନ୍ର ଲକ୍ଷ୍ୟ ଥିବା ବେଳେ କେକେଆର୍ ପାୱରପ୍ଲେରେ ୪୬ ରନ୍ରେ ୪ଟି ୱିକେଟ ହରାଇଥିଲା। କ୍ରିସ୍ ଲିନ୍ ୫, ରବିନ୍ ଉଥପ୍ପା ୧ ଓ ନୀତୀଶ ରାଣା ୮ ରନ୍କରି ବିଦାୟ ନେଇଥିଲେ। ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିବା ସୁନୀଲ ନାରାୟଣ ୯ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୬ ରନ୍କରି ଆଉଟ ହୋଇ ଯାଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ୧୮ ବଲ୍ରୁ ୧୮ ରନ୍କରି ଆଉଟ ହେବା କଲକାତା ପାଇଁ ଶକ୍ତ ଧକ୍କା ଥିଲା। ୭୭ ରନ୍ରେ ୫ଟି ୱିକେଟ ପଡ଼ିଯିବା ପରେ ଶୁବ୍ମାନ ଗିଲ୍ ଓ ଆନ୍ଦ୍ରେ ରସେଲ୍ ଆକ୍ରମଣ ଆରମ୍ଭ କରିଥିଲେ। ଦୁହେଁ ୬ ଓଭରରେ ୬୪ ରନ୍ ଯୋଡ଼ିବା ପରେ ଗିଲ୍ ୨୯ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୭ ରନ୍କରି ରନ୍ଆଉଟ ହୋଇଥିଲେ। ପରେ ରସେଲ ଏକା ଲଢ଼ିଥିଲେ। ୩୦ ବଲ୍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୪ ରନ୍କରି ରସେଲ୍ ଆଉଟହେବା ସହ କଲକାତାର ଚ୍ୟାଲେଞ୍ଜ୍ ସମାପ୍ତ ହୋଇ ଯାଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲ, ଟ୍ରେଣ୍ଟ ବୋଲ୍ଟ, ଆଭେସ ଖାଁ ଓ ଅମିତ ମିଶ୍ର ୨ଟି ଲେଖାଏଁ ୱିକେଟ ପାଇଥିଲେ। ଆୟର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
କଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ଫିଲ୍ଡିଂ ନେବା ପରେ ଘରୋଇ ଦିଲ୍ଲୀର ଓପ୍ନର ଚମତ୍କାର ବ୍ୟାଟିଂ କରିଥିଲେ। ପୂର୍ବ ଅଧିନାୟକ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଖେଳିଥିବା କଲିନ୍ ମନ୍ରୋ ଓ ୧୮ ବର୍ଷ ବୟସ୍କ ପୃଥ୍ୱୀ ସ’ ୭ ଓଭରରେ ୫୯ ରନ୍ ଭାଗିଦାରୀ କରିଥିଲେ। ନୁ୍ୟଜିଲାଣ୍ଡର ବାମହାତି ମନ୍ରୋ ୧୮ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍ କରିଥିଲେ। ପରେ ଭାରତୀୟ କ୍ରିକେଟ୍ର ଦୁଇ ଭବିଷ୍ୟତ ପୃଥ୍ୱୀ ଓ ଶ୍ରେୟାସ ଆୟର ୨ୟ ୱିକେଟ ପାଇଁ ୭ ଓଭରରେ ୬୮ ରନ୍ ଯୋଡ଼ିଥିଲେ। ପୃଥ୍ୱୀ ୪୪ ବଲ୍ରୁ ୨ଟି ଛକା ଓ ୭ଟି ଚୌକା ସହ ୬୨ ରନ୍ କରିଥିଲେ। ଋଷଭ ପନ୍ତ୍୍ ପ୍ରଥମ ବଲ୍ରେ ଆଉଟ ହୋଇଥିଲେ। ତେବେ ଆୟର ଓ ଗ୍ଲେନ୍ ମ୍ୟାକ୍ସୱେଲ ବିସ୍ଫୋରକ ଇନିଂସ ଖେଳି ୩୦ ବଲ୍ରୁ ୭୩ ରନ୍ ଯୋଡ଼ିଥିଲେ। ମ୍ୟାକ୍ସୱେଲ ୧୮ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍ କରିଥିଲେ। ଦିଲ୍ଲୀ ଶେଷ ୪ ଓଭରରୁ ୭୬ ରନ୍ ନେଇଥିଲା। ଅଧିନାୟକ ଶ୍ରେୟାସ ଆୟର ୪୦ ବଲ୍ ଖେଳି ୧୦ଟି ଛକା ଓ ୩ଟି ଚୌକା ସହ ୯୩ ରନ୍କରି ଅପରାଜିତ ଥିଲେ। ଚଳିତ ଆଇପିଏଲ୍ରେ ଏହା ଆୟରଙ୍କ ୩ୟ ଅର୍ଦ୍ଧଶତକ। ପୁଣି ଚଳିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ୨୧୯ ରନ୍ ସର୍ବାଧିକ ଦଳଗତ ସ୍କୋର୍।