Patra electronics

ଧାନ କ୍ଷେତରୁ ଯୁବତୀଙ୍କ ଶବ ଉଦ୍ଧାର ; ବଳାତ୍କାର ପରେ ହତ୍ୟା ସନ୍ଦେହ

0

ରେଙ୍ଗାଲି: ରେଙ୍ଗାଲି ଥାନା ଅନ୍ତର୍ଗତ କାଶିପାଲି କଟାତଳରେ ଏକ ଧାନ କ୍ଷେତରୁ ପୁଲିସ ପଦ୍ମିନୀ ବେହେରା (ଛଦ୍ମନାମ) ନାମ୍ନୀ ଜନୈକ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ଶବ ଉଦ୍ଧାର କରିଛି। ସମ୍ପୃକ୍ତ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିଲେ ହେଁ ପୁଲିସ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ।
ଶୁକ୍ରବାର ସକାଳେ ପଦ୍ମିନୀଙ୍କ ମୃତ ଦେହ କ୍ଷେତରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସଦର ଏସଡିପିଓ ଭବାନୀଶଙ୍କର ଉଦ୍‍ଗାତା, ଶାସନ ଥାନା ଅଧିକାରୀ ଜୟରଶ୍ମୀ ସେଠୀ, ରେଙ୍ଗାଲି ସବ୍‍-ଇନ୍ସପେକ୍ଟର ସଂଘମିତ୍ରା ଦାଶ, ଏଏସ୍‍ଆଇ ଦ୍ରୋଣ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ସୂତ୍ରରୁ ସୂଚନା ପାଇ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅଞ୍ଚଳକୁ ଯାଞ୍ଚ କରିଛି ଓ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ଯୁବତୀ ରେଙ୍ଗାଲି ବ୍ଳକ୍‍ ଶାସନ ଥାନା ଅନ୍ତର୍ଗତ ତବଡାବାହାଲ ଗ୍ରାମର ବାସିନ୍ଦା ଓ ଗତ ୨୪ ତାରିଖରୁ ସେ ନିଖୋଜ ଥିବା ପୁଲିସ ସୂଚନା ଦେଇଛି। ନିଖୋଜ ଯୁବତୀଙ୍କୁ ଖୋଜାଖୋଜି କରି ନ ପାଇବାରୁ ପରିବାର ଲୋକେ ଏଥିନେଇ ଥାନାରେ ଏତଲା ଦେଇଥିଲେ। ପଦ୍ମିନୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କିଛି କହିବା ଉଚିତ୍‍ ହେବ ନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ରେଙ୍ଗାଲି ଥାନାରେ ଏ ସଂକ୍ରାନ୍ତରେ ଏକ ଅପମ୍‍ୃତ୍ୟୁ ମାମଲା ରୁଜୁ କରାଯାଇଛି।

Leave A Reply