ଡାଲିକୁ ନେଇ ବିବାଦ

0

ଭାରତରେ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ବିଶ୍ବବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ବିପଦ ଦେଖାଦେଇଛି। ଭାରତ ସରକାର ଅଧିକ ବ୍ୟବହୃତ ହେଉଥିବା ପାଞ୍ଚ ପ୍ରକାର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟର ଯେଉଁ ବ୍ୟବସ୍ଥା ପ୍ରତ୍ୟେକ ରବି ଋତୁ ପାଇଁ କରିଛନ୍ତି ତାହାକୁ ୟୁରୋପୀୟ ସଂଘ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ୟୁକ୍ରେନ, ପାରାଗୁଏ, ଆମେରିକା ଓ କାନାଡ଼ା ଆଦି ବିରୋଧ କରିବା ସହ ଭାରତ ସରକାରଙ୍କୁ ଏଥିନେଇ ନୋଟିସ ଜାରି କରିଛନ୍ତି। ଏ ସବୁ ଦେଶସମୂହଙ୍କ ଅଭିଯୋଗ ହେଲା ଯେ ଭାରତ ସରକାର ଡାଲି ଜାତୀୟ ଫସଲ ଉପରେ ସବ୍‌ସିଡି ଦେଇ ଏହାର ଆଭ୍ୟନ୍ତରୀଣ ଓ ବାହ୍ୟ ବଜାରକୁ ସୁରକ୍ଷିତ କରୁଛନ୍ତି। ଫଳରେ ଅାନ୍ତର୍ଜାତିକ ବଜାରରେ ସେମାନଙ୍କ ଡାଲିର ଚାହିଦା କମୁଛି। ଏହାଫଳରେ ବିଶ୍ବବାଣିଜ୍ୟ ସଂଗଠନରେ ଭାରତ ଏକ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି।
ସତକଥା ହେଲା ଭାରତରେ ଯେତେ ଡାଲି ଉତ୍ପାଦିତ ହୁଏ ତାହାର ମୋଟ ମୂଲ୍ୟ ଉପରେ ସରକାର ୧.୫ ଶତାଂଶ ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ସବ୍‌ସିଡି ଦେଇଥାନ୍ତି। ଏହା ସତ୍ତ୍ବେ ବାହାର ଦେଶଗୁଡ଼ିକରେ ଚର୍ଚ୍ଚା ହେଉଛି ଯେ ଭାରତ ଡାଲି ଉପରେ ନିର୍ଦ୍ଧାରିତ ୧୦ଶତାଂଶରୁ ବହୁ ଅଧିକ ସବ୍‌ସିଡି ଆକାରରେ ବା ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ଯୋଗାଉଛି। ଏକଥାଟି ସତ ନୁହେଁ ଏବଂ ଭାରତ ମଧ୍ୟ ଏହାର ଉଚିତ ଜବାବ ଦେବାସହ ତଥ୍ୟ ପ୍ରମାଣ ଉପସ୍ଥାପନ କରିଛି।
ଭାରତର ବିରାଟ ଜନସଂଖ୍ୟା ପାଇଁ ଖାଦ୍ୟସୁରକ୍ଷା ସହ ପୁଷ୍ଟିସାଧନ ସୁରକ୍ଷା ଏକ ଅପରିହାର୍ଯ୍ୟ ଆବଶ୍ୟକତା। ତେଣୁ ଭାରତ ସରକାର ଧାନ, ଗହମ, ଅନ୍ୟାନ୍ୟ ମୋଟାଶସ୍ୟ ଓ ଡାଲି ଆଦିର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ସହ ଏହାର ଏକ ନିର୍ଦିଷ୍ଟ ଭାଗ କ୍ରୟକରି ସରକାରୀ ଭଣ୍ଡାରରେ ରଖନ୍ତି। ଦେଶର ୧୯୫ନିୟୁତ ପରିବାରଙ୍କ ପାଇଁ ଡାଲି ସବୁଠୁ ସହଜଲବ୍ଧ ପ୍ରୋଟିନ ଏବଂ ଏହା ସେମାନଙ୍କ ପୁଷ୍ଟିସାଧନ ଆବଶ୍ୟକତା ପୂରଣ କରିଥାଏ। ଭାରତରେ ଯେତେ ଡାଲି ଉତ୍ପାଦିତ ହୁଏ ତାହା ନିଜସ୍ବ ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ହୁଏନାହିଁଁ। ତେଣୁ ଡାଲି ଜାତୀୟ ଫସଲ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ସର୍ବନିମ୍ନ ସହାୟତା ରାଶି ପ୍ରଦାନ କରୁଛନ୍ତି। ଏହା ଏକ ରାଷ୍ଟ୍ରୀୟ ଦାୟିତ୍ବ ଏବଂ ନିଜର ଜନସାଧାରଣଙ୍କ ସ୍ବାର୍ଥସମ୍ବନ୍ଧିତ ପ୍ରସଙ୍ଗ। ଭାରତ ସରକାରଙ୍କ ଏଭଳି ନୀତି ଯୋଗୁଁ ଯଦି ପ୍ରମୁଖ ଡାଲି ଉତ୍ପାଦନକାରୀ ରାଷ୍ଟ୍ର କ୍ଷତିଗ୍ରସ୍ତ ହୁଅନ୍ତି ବୋଲି କହୁଥାନ୍ତି ସେଥିରେ ଭାରତ ନାଚାର।
ଭାରତ ଯେତେପ୍ରକାର ଫସଲ ଉପରେ ଚାଷୀଙ୍କୁ ସବ୍‌ସିଡି ଦେଉଛି ଓ ସଂଗ୍ରହ ମୂଲ୍ୟ ନିର୍ଦ୍ଧାରଣ କରୁଛି ତାହା ବିଶ୍ବ ବାଣିଜ୍ୟ ସଂଗଠନର ନୀତି ବିରୋଧୀ ନୁହେଁ। ଏହାଦ୍ବାରା ମଧ୍ୟ ଆନ୍ତର୍ଜାତିକ କୃଷି ବାଣିଜ୍ୟ ବ୍ୟବସ୍ଥାରେ କୌଣସି ଅସମତା ଘଟୁନାହିଁ। ଯେଉଁ ଉନ୍ନତ ଓ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଅତ୍ୟାଧୁନିକ କୃଷି ପଦ୍ଧତିରେ ବିପୁଳ ଫସଲ କମ୍‌ଦାମରେ ଉତ୍ପାଦନ କରି ଭାରତ ଭଳି ବଜାରରେ ବିକି ଲାଭବାନ ହେବାକୁ ଚାହୁଁଛନ୍ତି ସେମାନେ ଭୁଲିଯିବା ଉଚିତ ଯେ ନିଜ ସ୍ବାର୍ଥରକ୍ଷା ପାଇଁ ଭାରତର ଆତ୍ମନିର୍ଦ୍ଧାରଣ ଅଧିକାର ରହିଛି।

Leave A Reply