ଝାଡ଼ଖଣ୍ଡ,ଓଡ଼ିଶା ମାନବ ଚାଲାଣର ପେଣ୍ଠସ୍ଥଳ

0

କଟକ: ଚାକିରି ଦେବା ନାଁରେ ଚାଲିଛି ଯୁବତୀ ଚାଲାଣ। ମାଫିଆମାନେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଖୋଲି ଅଧିକ ଦରମାରେ ଚାକିରି ଯୋଗାଇଦେବାକୁ କହି ଏପରି ର‍୍ୟାକେଟ ଚଲାଉଛନ୍ତି। ଝାଡଖଣ୍ଡ ଓ ଓଡିଶା ମାନବ ଚାଲାଣର ପେଣ୍ଠସ୍ଥଳ ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ଏହି ବେଆଇନ୍‍ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ କ୍ରାଇମ୍‍ବ୍ରାଞ୍ଚ ସମସ୍ତ ଜିଲା ଏସ୍‍ପି ଓ କଟକ ଏବଂ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦେଶନାମା ଜାରି କରିଛି।
ରାଜ୍ୟରେ ବହୁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାଗୁଡିକ ମାନବ ଚାଲାଣ ପରି ସାଂଘାତିକ ଅପରାଧରେ ସମ୍ପୃକ୍ତ ରହିଥିବା ନେଇ ଅଭିଯୋଗ ହୋଇଛି। ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଶିକ୍ଷିତ ଯୁବକଯୁବତୀଙ୍କୁ ଅଧିକ ଦରମାରେ ରାଜ୍ୟ ବାହାରର ବିଭିନ୍ନ ନାମକରା କମ୍ପାନୀରେ ନିଯୁକ୍ତି ପତ୍ର ଦେଇଥାନ୍ତି। ପ୍ରାର୍ଥୀ ସେଠାକୁ ଯିବା ପରେ ଏପରି କୌଣସି ନିଯୁକ୍ତି ଦିଆଯାଇ ନ ଥିବା କମ୍ପାନୀ ପକ୍ଷରୁ କୁହାଯାଇଥାଏ। ବିଶେଷକରି ଯୁବତୀମାନଙ୍କୁ ରାଜ୍ୟ ବାହାରେ ଥିବା ଶାଖାରେ ଟ୍ରେନିଂ ଦେବା ଆଳରେ ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥାଏ। ଆଦିବାସୀ ଯୁବତୀଙ୍କୁ ମଧ୍ୟ ଦଲାଲମାନେ ଚାକିରି ଦେବା ନାଁରେ ବାହାର ରାଜ୍ୟକୁ ନେଇ ସେଠାରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଥାନ୍ତି। ଓଡିଶା ଓ ଝାଡଖଣ୍ଡରେ ଏହି ର‍୍ୟାକେଟ ଏବେ ସକ୍ରିୟ ରହିଛନ୍ତି। ନିକଟରେ ଝାଡଖଣ୍ଡ ଏମପି ଲକ୍ଷ୍ମଣ ଗିଲୁୱା ବିଭିନ୍ନ ବଡବଡ ସହରରେ ହେଉଥିବା ମାନବ ଚାଲାଣ ଉପରେ ଉଦ୍‍ବେଗ ପ୍ରକାଶ କରିବା ସହ ଏହି ର‍୍ୟାକେଟ ପଛରେ କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ହାତ ରହିଥିବାନେଇ ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ। ଗୃହ ମନ୍ତ୍ରଣାଳୟର ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଏହା ଉପରେ ଗୁରୁତ୍ୱ ଦେଇଛି।
ବିଭିନ୍ନ ଜିଲାରେ ଥିବା ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର କାର୍ଯ୍ୟକଳାପ ତଥା ଚାକିରି, ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କିଏ ଯୁବତୀମାନଙ୍କୁ ପ୍ରରୋଚନା ଦେଉଛି ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ଉପରେ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି। ଏଥିସହ ମାନବ ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ଡାଟା ପ୍ରସ୍ତୁତ କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗ, ଶ୍ରମ ବିଭାଗ, ପର୍ଯ୍ୟଟନ,ରେଲୱେ ଏବଂ ଏଥି ନମନ୍ତେ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନ ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମାନବ ଚାଲାଣ ରୋକିବା ଉପରେ କାର୍ଯ୍ୟ କରିବା, ଚାକିରି ନାଁ ରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀ ଓ ମହିଳାମାନଙ୍କୁ କାବୁ କରୁଥିବା ସଂସ୍ଥା ଗୁଡିକଠାରୁ ଦୂରେଇ ରହିବା ପାଇଁ ଜନସଚେତନତା ସୃଷ୍ଟି କରିବାସହ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ଏହାର କର୍ମଚାରୀଙ୍କ ସମସ୍ତ ତଥ୍ୟ ପୁଲିସ ନିକଟରେ ରହିବ। ବସଷ୍ଟାଣ୍ଡ, ରେଳଷ୍ଟେସନ, ଜନଗହଳି ସ୍ଥାନ, ହେଟେଲ, ଗେଷ୍ଟହାଉସ ଗୁଡିକରେ ତୀକ୍ଷ୍ଣ ନଜର ରଖାଯିବା ସହ ଦଲାଲମାନଙ୍କ ଉପରେ ନଜର ରଖାଯାଇ ପୀଡିତାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରାଯିବା ଉପରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱ ଦେଇଛି। ମାନବ ଚାଲାଣ ରୋକିବା ଉପରେ କାର୍ଯ୍ୟକରୁଥିବା ବେସରକାରୀ ସଂଗଠନଗୁଡିକ ଗୁଇନ୍ଦା ଭାବେ ଭିତିରି ଖବର ପୁଲିସକୁ ପ୍ରଦାନ କରିବା ଉପରେ ପ୍ରୋତ୍ସାହନ ଯୋଗାଇବା, ଯଦି ବିନା ପଞ୍ଜିକରଣରେ ନିଯୁକ୍ତି ପ୍ର୍ରଦାନକାରୀ ସଂସ୍ଥା କାର୍ଯ୍ୟକରୁଛି କିମ୍ବା କୌଣସି ଶ୍ରମିକ ଯୋଗାଉଥିବା ମାଲିକ ନାମରେ ଅଭିଯୋଗ ଅସୁଛି ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାସ୍‍ପୋର୍ଟ ଯାଞ୍ଚ ସମୟରେ ପୁଲିସ ଅଧିକାରୀ ଆବେଦନକାରୀ କିମ୍ବା ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ବିଦେଶ ଗସ୍ତ ସଂକ୍ରାନ୍ତ ସମସ୍ତ ତଥ୍ୟ ପଚାରି ପାରିବେ। ଉକ୍ତ ନିର୍ଦେଶାବଳିକୁ ପୁଲିସ ଅଧିକାରୀମାନେ ଆଇନର ପରିସୀମା ମଧ୍ୟରେ ରହି ମାନବ ଚାଲାଣ ରୋକିବା ଦିଗରେ କାର୍ଯ୍ୟକରିବାକୁ ନିର୍ଦେଶନାମାରେ ଉଲ୍ଲେଖ ରହିଛି।

Leave A Reply