ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାଶ: ୫ ବନ୍ଧୁକ ସହ ବହୁ ପରିମାଣର ଗୁଳି ଜବତ
ସମ୍ବଲପୁର: ସମ୍ବଲପୁର ଜିଲା ପୁଲିସକୁ ବଡ ସଫଳତା ମିଳିଛି । ପୁଲିସ ରାଜ୍ୟ ବାହାରୁ ଆସୁଥିବା ଚୋରା ବନ୍ଧୁକ କାରବାର ଏକ ବଡ ରାକେଟରୁ ପୁଲିସ ଧରିବାରେ ସଫ। ଏକ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ଏସପି ସଞ୍ଜୀବ ଅରୋରାଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସିପେକ୍ଟର ଲୋକେଶ୍ୱର ସାହୁ ଓ ସବଇନ୍ସିପେକ୍ଟର ସୁରେଶ କୁମାର ସାହୁ ସିନ୍ଦୁରପଙ୍କ ବନ ବିଭାଗ ତନଖି ଫାଟକରେ ଗତ ରବିବାର ସନ୍ଧ୍ୟା ସାଢେ ୭ଟାରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କାର୍ଡ ନେଇ ଯା଼୍ଞ୍ଚ କରିଥିଲେ। ଏହି ସମୟରେ ଏକ ହିରୋହୋଣ୍ଡା ମାଷ୍ଟ୍ରୋ ଗାଡି ନଂ-(ଓଡି୧୫ଜି-୭୬୮୮)କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡିର ଡିକିରୁ ବହୁ ପରିମାଣର ବନ୍ଧୁକ ଓ ଗୁଳି ଜବତ ହୋଇଥିଲା। ଏହି ଅଭିଯୋଗରେ ଟାଉନ ଥାନା ଅନ୍ତର୍ଗତ ଦଳେଇପଡ଼ାର ମହମ୍ମଦ ଜାହିନ ଖାନ୍ (୨୯)ଙ୍କୁ ପୋଲିସ ଗିରଫ କରିଛି। ଇଟାଲି ନିର୍ମିତ ଗୋଟିଏ ୯ ଏମଏମ ମାଗାଜିନ ଥିବା ପିସ୍ତଲ, ମାଗାଜିନ ସହିତ ଗୋଟିଏ ୭.୬୫ ଏମଏମ ସେମି-ଅଟୋମେଟେଡ଼୍ ପିସ୍ତଲ, ଦୁଇଟି ସିଙ୍ଗଲ ସଟ୍ ପିସ୍ତଲ ଜବତ କରାଯାଇଥିବା ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏଥିସହ ୭.୬୫ ଏମଏମ ପିସ୍ତଲ ଭିତରେ ଥିବା ଦୁଇଟି ଜୀବନ୍ତ କ୍ୟାଟ୍ରିଜ, ତିନୋଟି ୧୨ ବୋର ଜୀବନ୍ତ କ୍ୟାଟ୍ରିଜ, ୪ଟି ପଏଣ୍ଟ ୩୮ ଏମଏମ ଜୀବନ୍ତ କ୍ୟାଟ୍ରିଜ, ଦୁଇଟି ବ୍ୟବହୃତ କ୍ୟାଟ୍ରିଜ, ଗୋଟିଏ କଳା ଓ ନାଲି ରଙ୍ଗର ବ୍ୟାଗ, ଦୁଇଟି ସାମସଙ୍ଗ ଜେ-୭ ଓ ସୋନି ଏକ୍ସପେରିଆ ମୋବାଇଲ ହ୍ୟାଣ୍ଡସେଟ୍, ଦୁଇଟି ସିମ୍ ମଧ୍ୟ ଜବତ କରାଯାଇଛି। ଏନେଇ ସଦର ଥାନାରେ ୯୧/୧୮ ରେ ଆର୍ମସ ଆକ୍ଟର ଧାରା ୨୫ (୧-ବି), (ଏ), ୨୭/୨୯ ବଳରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହି କାରବାରରେ ଅନେକ ବ୍ୟକ୍ତିଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଥିବା ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମହମ୍ମଦ ଜାହିନ୍ ନାମରେ ପୂର୍ବରୁ ଟାଉନ ଥାନାରେ ତିନୋଟି ଓ ରେଢ଼ାଖୋଲରେ ଗୋଟିଏ ଫୌଜଦାରୀ ମାମଲା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଟାଉନ ଥାନାରେ ୧୫ଫେବୃୟାରୀ,୨୦୧୪ରେ ୫୦/୧୪, ୨୦ଜୁଲାଇ,୨୦୧୫ରେ ୨୬୭/୧୫, ୨୭ଜୁଲାଇ,୨୦୧୫ରେ ୨୮୦/୧୫ ଓ ରେଢ଼ାଖୋଲ ଥାନାରେ ୨୩ଡିସେମ୍ବର,୨୦୧୪ରେ ୧୮୪/୧୪ରେ ମାମଲା ରହିଛି। ଗିରଫ ଅଭିଯୁକ୍ତ ଜଣକ ୨୦୧୪ମସିହାରୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ରାଜ୍ୟ ବାହାରୁ ଚୋରା ବନ୍ଧୁକ ଆଣି ସମ୍ବଲପୁର ସହରରେ ବିକ୍ରି କରୁଥିବା ଜଣାପଡିଛି।