କର୍ଣେଲ୍ ପୁରୋହିତଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ
ନୂଆଦିଲ୍ଲୀ, ୪ା୯: ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଲେଫ୍ଟନାଣ୍ଟ କର୍ଣେଲ୍ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ଏକ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ତାଙ୍କୁ ଅପହରଣ, ବେଆଇନ ଅଟକ ଓ ନିର୍ୟାତନା ଦିଆଯିବା ଉପରେ ଏସଆଇଟି ତଦନ୍ତ ଦାବି କରି ପୁରୋହିତ ପିଟିସନ ଦାୟର କରିଥିଲେ। ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ନବୀନ ସିହ୍ନା ଓ ବିଚାରପତି କେଏମ୍ ଯୋଶେଫଙ୍କୁ ନେଇ ଗଠିତ ସୁପ୍ରିମକେର୍ଟ ପୀଠ ପୁରୋହିତଙ୍କ ଏହି ପିଟିସନକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ପୁରୋହିତଙ୍କୁ ଏହି ପ୍ରସଙ୍ଗରେ ବିଚାର ବିଭାଗୀୟ ଅଦାଲତରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୦୮ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ର ନାସିକ ଜିଲା ମାଲେଗାଓଁରେ ଆଇଇଡି ବିସ୍ଫୋରଣ ହୋଇ ୬ଜଣଙ୍କର ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଥିଲେ। ପୁରୋହିତଙ୍କୁ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଯିବା ସହ ଗିରଫ କରାଯାଇଥିଲା। ଏବେ ସେ ଜାମିନରେ ଅଛନ୍ତି।