ପିକଅପ୍ ଭ୍ୟାନ ଓଲଟି ଜଣେ ମୃତ, ୨୩ ଛାତ୍ରଛାତ୍ରୀ ଆହତ

ଆଠଗଡ : ଏକ ଅଭାବନୀୟ ଘଟଣା କ୍ରମରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗ ଦେବାକୁ ଉତ୍ତରବାଙ୍କୀ ଅଞ୍ଚଳର ମାଳବିହାରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୩ ଛାତ୍ରଛାତ୍ରୀ ଆହତ ହେବା ସହ ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି । ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗଦେବାକୁ ମାଳବିହାରପୁର ହାଇସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଏକ ମାଲବୁହା ଖୋଲା ପିକଅପ୍ ଭ୍ୟାନରେ ସରଣ୍ତା ଅଭିମୁଖେ ନିଆଯାଉଥିଲା। ଗାଡିଟି ଯିବା ସମୟରେ ଚାଳକର ଦ୍ରୁତଗତି ଓ ବେପରୁଆ ଗାଡି ଚାଳନା ଯୋଗୁଁ ମାଳବିହାରପୁର ଗ୍ରାମ ନିକଟସ୍ଥ ଏକ ବୁଲାଣି ରାସ୍ତାରେ ପିକଅପ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।
ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ଗାଡିରେ ଥିବା ଛାତ୍ରଛାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସରଣ୍ଡା ଡାକ୍ତରଖାନା ଏବଂ ପରେ ଆଠଗଡ ଉପଖଣ୍ତ ଚିକିତ୍ସାଳୟକୁ ଅଣାଯାଇଥିଲା। ଘଟଣା ପ୍ରଚାରିତ ପରେ ଆଠଗଡ ଉପଖଣ୍ତ ଚିକିତ୍ସାଳୟ ପରିସର ଲୋକାରଣ୍ୟ ହୋଇ ପଡିଥିଲା। ଛାତ୍ରଛାତ୍ରୀମାନଙ୍କ ଚିକିତ୍ସା ପାଇଁ ମେଡ଼ିକାଲ ପକ୍ଷରୁ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆହତ ହୋଇ ମୋଟ ୨୩ ଜଣ ଉପଖଣ୍ତ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଯୋଗୁଁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ୧୦ମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ବେହେରା, ବିଶ୍ଵଜିତ ସାହୁ, ଓମ୍ ପ୍ରକାଶ ସାହୁ, ଛାତ୍ରୀ ଜ୍ୟୋସ୍ନାରାଣୀ ମୁଦୁଲି ଏବଂ ଗାଡି ଚାଳକ ବ୍ରହ୍ମାନନ୍ଦ ପୃଷ୍ଟିଙ୍କ ଅବସ୍ଥିତ ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏକାଧିକ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ଛାତ୍ର ସୌମ୍ୟରଞ୍ଜନ ବେହେରାଙ୍କର ରାସ୍ତାରେ ମୃତ୍ୟୁ ଘଟିଥିଲା।
ମୃତକଙ୍କୁ ଆଠଗଡ ଉପଖଣ୍ତ ଡାକ୍ତରଖାନା ଫେରାଇ ଆଣିବା ପରେ ସେଠାରେ ମୃତଦେହ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଖବର ପାଇ ଆଠଗଡ ଉପଖଣ୍ତ ଚିକିତ୍ସାଳୟରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ , ପ୍ରମୁଖ ପହଞ୍ଚି ଆହତଙ୍କ ଚିକିତ୍ସା ବିଷୟରେ ଉପଖଣ୍ତ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସହ ଆଲୋଚନା କରି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ପରାମର୍ଶ ଦେଇଥିଲେ। ମୃତକଙ୍କ ପରିବାର ବର୍ଗଙ୍କୁ ଆଠଗଡ ବିଧାୟକ ଶ୍ରୀ ସ୍ବାଇଁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ମୃତକଙ୍କ ପରିବାରକୁ ଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି, ଶିକ୍ଷା ବିଭାଗ ପକ୍ଷରୁ ମଧ୍ଯ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି । ଖୋଲା ମାଲବୁହା ଗାଡିରେ ବିପଦଜନକ ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ପଠାଇବା ଅଭିଯୋଗରେ ମାଳବିହାରପୁର ହାଇସ୍କୁଲର ପ୍ରଧାନଶିକ୍ଷକ କାହ୍ନୁଚରଣ ସାହୁଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଳମ୍ବନ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ବାଙ୍କି ପୁଲିସ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
Comments are closed.