ଏକାଠି ହେଲେ ଆଇନଜୀବୀ, ୧୨ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ

0

କଟକ:ପୁଲିସ ଓ ଆଇନଜୀବୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ ଦାବିକରି ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। କାର୍ଯ୍ୟବନ୍ଦ ଆନ୍ଦୋଳନ ସତ୍ତ୍ବେ କୌଣସି ସୁଫଳ ମିଳୁନଥିବାରୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ଶନିବାର ହାଇକୋର୍ଟ ବାର ଆସୋସିଏସନ ପରିସରରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୧୨ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।
ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସମ୍ପାଦକ ସତ୍ୟବ୍ରତ ମହାନ୍ତି, ଉପ ସଭାପତି ବଂଶୀଧର ଶତପଥୀ ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟର ୧୨୦ଟି ବାର ଆସୋସିଏସନ ସଭାପତି ଓ ସମ୍ପାଦକ ବୈଠକରେ ଯୋଗଦେଇଥିଲେ। ଘଟଣା ସମ୍ପର୍କରେ ଆଲୋଚନା ହେବା ପରେ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ୩୦ଜଣିଆ ସଦସ୍ୟ ବିଶିଷ୍ଟ ଏକ ଆକ୍ସନ କମିଟି ଗଠନ କରାଯାଇଛି। ଏହି କମିଟି ବିଭିନ୍ନ ସ୍ତରରେ ଆଲୋଚନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ଉପସ୍ଥାପନ କରିବ। କୌଣସି ସୁଫଳ ନ ମିଳିଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସୂଚନା ଦିଆଯାଇଥିଲା। ଗଠିତ ଆକ୍ସନ କମିଟି ହାଇକୋର୍ଟ ମୁଖ୍ୟ ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଜଣେ ବିଚାରପତିଙ୍କୁ ନିଯୁକ୍ତି କରିବା ନମନ୍ତେ ଦାବି ରଖିବ। ହାଇକୋର୍ଟ ବାର ଆସୋସିଏସନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତି, ଉପ ସଭାପତି ବଂଶୀଧର ଶତପଥୀ, ଯୁଗ୍ମ ସଂପାଦକ ରଞ୍ଜନ ନାୟକ, ପ୍ରଦୀପ କୁମାର ମହାନ୍ତି ଓ କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ଉପ ସଭାପତି କୃପାସିନ୍ଧୁ ସାହୁ, ସମ୍ପାଦକ ନରେଶ ଚନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର, କ୍ରିମିନାଲ କୋର୍ଟ୍ସ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡ଼ା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଫଳରେ ଅଦାଲତରେ ଅଚଳାବସ୍ଥା ଦେଖାଯାଇଛି। କୌଣସି ମାମଲାର ଶୁଣାଣି ହୋଇପାରୁନାହିଁ। ସୂଚନାଯୋଗ୍ୟ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ମାମଲାର ହାଇକୋର୍ଟ ଶୁଣାଣିକରି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି।

prayash

ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗ: ଦାୟର ହେଲା ଆଉ ଏକ ମାମଲା

ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ଦାୟର ହୋଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ପୁଲିସ ମାତ୍ରାଧିକ ବଳ ପ୍ରୟୋଗ କରୁଛି। ତେବେ ଏହାର ପ୍ରତିରୋଧ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଯାଇଛି। ସେହିପରି ଆଇନଜୀବୀଙ୍କ ଉପରେ ଅମାନୁଷିକ ମାଡ଼ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ଓ ରାଜ୍ୟ ପୁଲିସକୁ ତଦନ୍ତ କରିବା ପାଇଁ ଦିଆନଯାଇ ସିବିଆଇ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, କମିସନର ଅଫ ପୁଲିସ, କଟକ ଜିଲାପାଳ, ଗୃହ ବିଭାଗ ସଚିବ, କଟକ ଡିସିପି, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଏକ ମାମଲା ଦାୟର ହୋଇଥିବାବେଳେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି। ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, କମିସନର ଅଫ ପୁଲିସ, ଡିସିପି, ଟ୍ରାଫିକ ଏସିପି, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ୩ଟି ମାମଲାର ଆସନ୍ତା ସୋମବାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

kalyan agarbati
Leave A Reply