ଉଚ୍ଚଶିକ୍ଷା ସ୍ଥିତି ଦୟନୀୟ, ନାହାନ୍ତି ନିୟମିତ ଅଧ୍ୟକ୍ଷ

0

ଭୁବନେଶ୍ୱର: ଓଡ଼ିଶାର ଗୋଟିଏ ହେଲେ ସରକାରୀ କିମ୍ବା ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଗୁଡ଼ିକରେ ପ୍ରାୟ ୩ ହଜାର ଶିକ୍ଷକ ପଦ ଖାଲିପଡ଼ିଛି। ଏହାଛଡ଼ା ଏହି କଲେଜଗୁଡ଼ିକରେ ୨ ହଜାରରୁ ଅଧିକ ଅଣଶିକ୍ଷକ ପଦ ମଧ୍ୟ ଖାଲି। ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ ଦେଇଥିବା ବିବରଣୀରୁ ଏହା ଜଣାପଡ଼ିଛି।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୫୨ଟି ସରକାରୀ ଓ ୫୯୮ଟି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଏଥିରୁ କୌଣସି ଗୋଟିଏ ହେଲେ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସରକାରୀ ଡିଗ୍ରୀ କଲେଜଗୁଡ଼ିକରୁ ୨୯ଟିର ଅଧ୍ୟକ୍ଷ ପଦ ପୂରଣ ପାଇଁ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଥିବା ବେଳେ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟକ୍ଷ ପଦ ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ସରକାରୀ ଡିଗ୍ରୀ କଲେଜଗୁଡ଼ିକ ଲାଗି ୨୩୦୬ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥିବାବେଳେ ସେଥିରେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୦୨୨ ଜଣ। ଏହି ୫୨ଟି ସରକାରୀ ଡିଗ୍ରୀ କଲେଜରେ ୧୨୮୪ଟି ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ୧୨୩ ଜଣ ଆଡହକ୍‍ ଓ ଅତିଥି ଅଧ୍ୟାପକ ପାଠ ପଢ଼ାଉଛନ୍ତି। ୧୬୧ଟି ନିୟମିତ ଅଧ୍ୟାପକ ପଦ ମନୋନୟନ ଲାଗି ଲୋକସେବା ଆୟୋଗକୁ କୁହାଯାଇଛି। ଏହି କଲେଜଗୁଡ଼ିକ ଲାଗି ୨୨୯୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ଥିବା ବେଳେ ସେଥିରେ ମାତ୍ର ୧୧୩୪ ଜଣ କାର୍ଯ୍ୟରତ ଅଛନ୍ତି। ୧୧୬୫ଟି ପଦ ଖାଲିପଡ଼ିଛି।
ସେହିପରି ଅନୁଦାନପ୍ରାପ୍ତ ୫୯୮ଟି ବେସରକାରୀ ଡିଗ୍ରୀ କଲେଜରେ କେଉଁଠି ବି ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଏଗୁଡ଼ିକ ପାଇଁ ୬୩୬୪ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ଥିବାବେଳେ ସେଥିରୁ ୧୬୬୬ଟି ଖାଲିପଡ଼ିଛି। ଖାଲି ପଡ଼ିଥିବା ପଦରୁ ୮୩୩ଟି ପୂରଣ ପାଇଁ ରାଜ୍ୟ ସିଲେକ୍ସନ୍‍ ବୋର୍ଡକୁ କୁହାଯାଇଛି। ଏହି ବେସରକାରୀ ଡିଗ୍ରୀ କଲେଜ ଲାଗି ୩୬୯୮ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ଥିବା ବେଳେ ସେଥିରୁ ୧୦୯୮ଟି ଖାଲିପଡ଼ିଛି ଓ ତାହା ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

kalyan agarbati
Leave A Reply