ଆରପାରିରେ ଜଷ୍ଟିସ ସଚ୍ଚର
ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ରାଜିନ୍ଦର ସଚ୍ଚରଙ୍କ ୯୪ବର୍ଷ ବୟରେ ନିଧନ ହୋଇଯାଇଛି। ଭାରତରେ ମୁସଲିମ ସମୁଦାୟଙ୍କ ପାଇଁ ନିର୍ମିତ ଜଷ୍ଟିସ ସଚ୍ଚର କମିଟି ପାଇଁ ସେ ଦୀର୍ଘ ସମୟ ଧରି ଚର୍ଚ୍ଚିତ ଥିଲେ। ୨୨ଡିସେମ୍ବର ୧୯୨୩ରେ ଜନ୍ମିତ ଜଷ୍ଟିସ ସଚ୍ଚର ଶେଷ ସମୟରେ ଦୀର୍ଘ ସମୟ ଧରି ଶର୍ଯ୍ୟାଶାୟୀ ଥିଲେ ଓ ଶେଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ମାନବାଧିକାରକୁ ନେଇ ସେ ଏକାଧିକ ଯୁଗାନ୍ତକାରୀ ରାୟ ତାଙ୍କୁ ଚୀରଦିନ ଅମର କରିବ।
୧୯୫୨ରେ ସେ ଆଇନଜୀବୀ ଭାବରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୮ଡିସେମ୍ବର ୧୯୬୦ରେ ସୁପ୍ରିମ କୋର୍ଟରେ ସେ ଆଇନଜୀବୀ ଭାବରେ କାର୍ଯ୍ୟ ତୁଲାଇବା ଆରମ୍ଭ କରିଥିଲେ। ୧୨ଫେବୃଆରୀ ୧୯୭୦ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଦୁଇ ବର୍ଷ ପାଇଁ ଅତିରିକ୍ତ ବିଚାରପତି ଦାୟିତ୍ୱ ତୁଲାଇ ଥିଲେ। ୫ଜୁଲାଇ ୧୯୭୨ରେ ତାଙ୍କୁ ସ୍ଥାୟୀ ଭାବରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବ୍ୟତୀତ ସେ ସିକ୍କିମ୍,ରାଜସ୍ଥାନ ଉଚ୍ଚ ନ୍ୟାୟାଳୟରେ ମଧ୍ୟ କାର୍ଯ୍ୟକାରୀ ବିଚାରପତି ଦାୟିତ୍ୱ ତୁଲାଇ ଥିଲେ।
୯ମାର୍ଚ୍ଚ ୨୦୦୫ରେ ଦେଶର ମୁସଲିମ ସମୁଦାୟଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷାଗତ ସମସ୍ୟାର ସମାଧାନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଦେଶରେ ମୁସଲିମ ସମୁଦାୟଙ୍କ ବାସ୍ତବ ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ୟୁପିଏ ସରକାର ଅମଳରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଚ୍ଚର କମିଟି ଗଠନ କରିଥିଲେ। ଏହି କମିଟିରେ ରାଜେନ୍ଦର ସଚ୍ଚର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ। ଏହି କମିଟିର ୪୦୩ପୃଷ୍ଠାର ରିପୋର୍ଟ ୩୦ନଭେମ୍ବର ୨୦୦୬ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏହି ରିପୋର୍ଟରେ ଜାଣ ପଡ଼ିଥିଲା ଯେ ଭାରତରେ ମୁସଲିମଙ୍କ ପରିସ୍ଥିତି ଦେଶରେ ଅନୁସୂଚିତ ଜାତି ଓ ଜନଜାତିଙ୍କଠାରୁ ମଧ୍ୟ ଖରାପ ଅବସ୍ଥାରେ ରହିଛି।