BSKY banner  750×100

‘ଆମ ଗାଁ, ଆମ ବିକାଶ’ ଓ ‘ବିଜୁ ଯୁବ ବାହିନୀ’ କାର୍ୟ୍ୟକ୍ରମକୁ ନେଇ ଏଜିଙ୍କ ନିକଟରେ ବିଜେପି ଫେରାଦ

nua o banner
0

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜୁ ଜନତା ଦଳ ଶାସନ କ୍ଷମତାର ଅପବ୍ୟବହାର କରି ନିଜ ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ବିପୁଳ ଅର୍ଥ ଖର୍ଚ୍ଚ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ଏତାଦୃଶ ମନମୁଖି କାର୍ୟ୍ୟକଳାପକୁ ବିରୋଧ କରିବାସହ ଏ ସଂକ୍ରାନ୍ତରେ ହୋଇଥିବା ଆର୍ଥିକ ଅନିୟମିତତା ବିରୁଦ୍ଧରେ ମଙ୍ଗଳବାର ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହାଲେଖା ନିୟନ୍ତ୍ରକ(ଏଜି)କୁ ଭେଟି ବିସ୍ତୃତ ଭାବେ ଜଣାଇଛନ୍ତି। ରାଜ୍ୟ ରାଜସ୍ୱରେ ଆୟୋଜିତ ‘ଆମ ଗାଁ, ଆମ ବିକାଶ’ଓ ‘ବିଜୁ ଯୁବ ବାହିନୀ’ କାର୍ୟ୍ୟକ୍ରମକୁ ଶାସକ ବିଜେଡି ନିଜ ଦଳୀୟ କାର୍ୟ୍ୟକ୍ରମ ଭାବେ ଆୟୋଜନ କରିବା ସହ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ଜିଲାସ୍ତରରେ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।
ସେ କହିଛନ୍ତି ଯେ ପଞ୍ଚାୟତ କ୍ଷମତାକୁ ଛଡାଇ ନେଇ ଶାସକ ବିଜେଡି ରାଜ୍ୟ ସଚିବାଳୟରୁ ଅସାମ୍ବିଧାନିକ ଭାବେ ନିଜ ଏବଂ ଦଳୀୟ ଇଚ୍ଛା ଓ ସ୍ୱାର୍ଥ ଅନୁଯାୟୀ ବିଭିନ୍ନ ଯୋଜନା ପ୍ରଣୟନ କରୁଛି। ଏଥିରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଅର୍ଥ ଆବଣ୍ଟନ କରୁଛନ୍ତି, ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ଆବଣ୍ଟିତ ଅର୍ଥର ଖର୍ଚ୍ଚ ପାଇଁ କୌଣସି ନିର୍ଦିଷ୍ଟ ମାର୍ଗଦର୍ଶିକା ନାହିଁ। ସେହିପରି ବିଜୁ ଯୁବ ବାହିନୀ ଶାସକ ବିଜେଡିର ଏକ ମୋର୍ଚ୍ଚା ଭାବେ କାର୍ୟ୍ୟ କରୁଛି। ରାଜ୍ୟବାସୀଙ୍କ କଷ୍ଟ ଉପାର୍ଜିତ ୪୫୦ କୋଟି ଟଙ୍କାର ଅର୍ଥକୁ ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ପ୍ରଚାର ପାଇଁ ବିଜ୍ଞାପନ, ବିଭିନ୍ନ ସଭା ଏବଂ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ଆମୋଦ ପ୍ରମୋଦ ପାଇଁ ଖର୍ଚ୍ଚ କରାଯାଉଛି। ବିଜେପି ବିଧାୟକ ପ୍ରତିନିଧି ଦଳର ଦାବି ଉପରେ ଯଥା ଶୀଘ୍ର ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଜି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂହଦେଓ କହିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ବିଭୂତି ହରିଚନ୍ଦନ, ଦୁର୍ୟୋଧନ ମାଝୀ, ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନିତେଶ ଗଙ୍ଗଦେବ, ଗୋବିନ୍ଦ ଦାଶ ପ୍ରମୁଖ ସାମିଲ ଥିଲେ।
ଅନ୍ୟପକ୍ଷରେ ବିଜେଡ଼ି ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ସରକାରଙ୍କ ପ୍ରତି ଜନସାଧାରଣଙ୍କ ଅକୁଣ୍ଠିତ ବିଶ୍ୱାସ ବଢ଼ୁଥିବା ଦେଖି ଭୟଭୀତ ହୋଇଯାଇଛି। ତେଣୁ ଜ୍ୱର ବାଉଳାରେ ତାଟିଆ କାମୁଡିବା ନ୍ୟାୟରେ ପ୍ରଗତିରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏଭଳି ହାସ୍ୟାସ୍ପଦ କଥାରୁ ନିବୃତ୍ତ ରହି ରାଜ୍ୟର ବିକାଶ ଧାରାରେ ସାମିଲ ହେବାପାଇଁ ଶ୍ରୀ ପାତ୍ର ବିଜେପି ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି।

Leave A Reply