ଅନ୍ତର୍ଜାତୀୟ ଖୋଖୋରେ ଭାରତକୁ ସ୍ୱର୍ଣ୍ଣ; ସସ୍ମିତା ଓ ଅଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଇଂଲଣ୍ଡରେ ଚଳିତ ସେପ୍ଟେମ୍ବର ୨ରୁ ୫ ପର୍ଯ୍ୟନ୍ତ ପ୍ରଥମ ଅନ୍ତର୍ଜାତୀୟ ପୁରୁଷ ଓ ମହିଳା ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାିଛି। ଏଥିରେ ଉଭୟ ବିଭାଗରେ ଭାରତ ଚମ୍ପିଆନ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ପୁରୁଷ ଦଳ ପକ୍ଷରୁ ଓଡ଼ିଶାର ଅଜୟ ମାନ୍ଦ୍ରା ଓ ମହିଳା ଦଳ ପକ୍ଷରୁ ସସ୍ମିତା ନାଥଶର୍ମା ପ୍ରତିନିଧିତ୍ୱ କରିଥିଲେ। ପୁରୁଷ ଓ ମହିଳା ବିଭାଗ ଫାଇନାଲରେ ଭାରତ -ଇଂଲଣ୍ଡକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଦୁଇ ଓଡ଼ିଆ ଖେଳାଳି ଅଜୟ ଓ ସସ୍ମି୍ତା ଚମତ୍କାର ପ୍ରଦର୍ଶନ କରିଥିଲେ। ଦୁଇ ଖେଳାଳି ଅଜୟ ଓ ସସ୍ମିତା ପ୍ରତ୍ୟାବର୍ତ୍ତନନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ଖୋଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ସଫଳତା ଲାଗି ଦୁଇ ଖେଳାଳିଙ୍କୁ ଓଡ଼ିଶା ଖୋଖା ଆସୋସିଏସନ ସଭାପତି ନାରାୟଣ ପାତ୍ର, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଓଡ଼ିଶା ଖୋଖୋ ଆସୋସିଏସନ ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା, କୀଡ଼ା ସଚିବ ବିଶାଳ ଦେବ ଓ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, କିସ୍ରେ ଅଧ୍ୟୟନ କରୁଥିବା ମାଲକାନାଗିରି ବିରଳ ବଣ୍ଡା ଜନଜାତିରୁ ଅଜୟ ପ୍ରତିନିଧିତ୍ୱ କରୁଥିବାବେଳେ ସସ୍ମିତା ଜଗତସିଂହପୁର ଜିଲାରୁ ପ୍ରତିନିଧିତ୍ୱ କରୁଛନ୍ତି।