BJD Bijuli 480×75 Mob

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଜମି ପ୍ରଦାନ ନିଷ୍ପତ୍ତି ଶୀଘ୍ର

BJD Bijuli 480×75 Mob
0

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀ ଜମି ପ୍ରଦାନ ନିମନ୍ତେ ଖୁବ୍‍ ଶୀଘ୍ର ନୀତି ପ୍ରସ୍ତୁତ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।
ଏଥି ପାଇଁ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ତାଲିକା ଏବଂ ସେମାନଙ୍କ ଦଖଲରେ ଥିବା ଜମିର ପରିମାଣ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ବକେୟା ଥିବା ସରକାରୀ ଦେୟ ଆଦିର ତଥ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ତୁରନ୍ତ ଜଣାଇବା ନିମନ୍ତେ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପତ୍ର ଲେଖାଯାଇଛି। ଏ ସଂକ୍ରାନ୍ତରେ କ୍ଷେତ୍ର ଅଧିକାରୀଙ୍କ ସହାୟତାରେ ଆବଶ୍ୟକ ତଥ୍ୟ ସଂଗ୍ରହ କରି ପଠାଇବାକୁ ସମସ୍ତ ଜିଲାପାଳଙ୍କୁ କୁହାଯାଇଛି।
ରାଜ୍ୟରେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀ ଜମି ପ୍ରଦାନ ନିମନ୍ତେ ଏକ ନୀତି ପ୍ରସ୍ତୁତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଶିକ୍ଷାନୁଷ୍ଠାନରୁ ସଂଗୃହୀତ ତଥ୍ୟ ଆଧାରରେ ଖୁବ୍‍ ଶୀଘ୍ର ନୀତି ପ୍ରଣୟନ କରିବା ପାଇଁ ଏକ କ୍ୟାବିନେଟ ଚିଠା ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକର ପ୍ରସ୍ତାବ ଅନୁଯାୟୀ ଜମିଗୁଡ଼ିକ ଶିକ୍ଷାନୁଷ୍ଠାନକୁ ସିଧାସଳଖ ଦିଆ ନଯାଇ ସମ୍ପୃକ୍ତ ବିଭାଗକୁ ଦିଆଯିବ। ଏଥିସହିତ ଗ୍ରାଣ୍ଟ ଇନ ଏଡ଼/ବ୍ଳକ ଗ୍ରାଣ୍ଟ ପାଉଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଦ୍ୱାରା ବେଆଇନ ଦଖଲରେ ଥିବା ସରକାରୀ ଜମିର ପରିମାଣ ଓ ଏହାର ମୂଲ୍ୟ ଏବଂ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଏଥିନିମନ୍ତେ ଧାର୍ଯ୍ୟ କରାଯାଇଥିବା ଜୋରିମାନା ଆଦିର ତଥ୍ୟ ନିର୍ଦ୍ଧାରିତ ଫର୍ମରେ ରାଜସ୍ୱ ବିଭାଗକୁ ତୁରନ୍ତ ପଠାଇବା ପାଇଁ ଜିଲାପାଳମାନଙ୍କୁ ପତ୍ର ଲେଖାଯାଇଛି।

Leave A Reply