ଅନନ୍ୟ ଦୀକ୍ଷାଗୁରୁ
ଶ୍ରୀ ଚୈତନ୍ୟଙ୍କ ସମ୍ପର୍କିତ ଏହି ପ୍ରସଙ୍ଗ। ସେ ସମୟରେ ଶ୍ରୀ ଚୈତନ୍ୟ ପୁରୀ ଜଗନ୍ନାଥ ଧାମରେ ଅବସ୍ଥାନ କରୁଥାନ୍ତି। ହରି ଦାସ ନାମକ ଜନୈକ ବ୍ୟକ୍ତି ଶ୍ରୀ ଚୈତନ୍ୟଙ୍କ ଠାରୁ ଦୀକ୍ଷା ନେବା ପରେ ତାଙ୍କ ଚରଣ ତଳେ ହରିଦାସ ବସିଥାନ୍ତି। ଏହି ସମୟରେ ମହାପ୍ରଭୁଙ୍କ ପ୍ରସାଦ ଆସିଲା। ଶିଷ୍ୟ ପରିବେଷ୍ଟିତ ଶ୍ରୀଚୈତନ୍ୟ ପ୍ରସାଦ ଗ୍ରହଣ କରିବା ପୂର୍ବରୁ ନବଦୀକ୍ଷିତ ଶିଷ୍ୟ ହରି ଦାସଙ୍କୁ ଇଙ୍ଗିତ କରି କହିଥିଲେ- ହରି ଦାସ? ଆସ, ତୁମେ ମୋ ପାଖରେ ବସ। ଭଗବାନଙ୍କ ପ୍ରସାଦ ଗ୍ରହଣ କର।’
ସେ ସମୟରେ ଉତ୍କଟ ଜାତିଭେଦ ପ୍ରଥା ପ୍ରଚଳିତ ଥିଲା। ଉଚ୍ଚନୀଚ ଜାତିଭେଦ ଏତେ ପ୍ରବଳ ଥିଲା ଯେ ଉଚ୍ଚଜାତିର ଲୋକ ନିମ୍ନ ବର୍ଗର ଲୋକଙ୍କୁ ଘୃଣା କରୁଥିଲେ। ନିମ୍ନବର୍ଗର ଲୋକଙ୍କ ମଧ୍ୟରେ ବି ସେହିଭଳି ଏକ ହୀନ ମାନସିକତା ଥିଲା; ତେଣୁ ସେମାନେ ଉଚ୍ଚବର୍ଗର ଲୋକମାନଙ୍କଠାରୁ ଯଥେଷ୍ଟ ବ୍ୟବଧାନ ରଖୁଥିଲେ।
ଶ୍ରୀ ଚୈତନ୍ୟଙ୍କଠାରୁ ଏହା ଶୁଣିବା ପରେ ହରି ଦାସ ନମ୍ର ଭାବରେ କହିଲେ- ମହାରାଜ! ମୁଁ ନିମ୍ନ ଜାତିର ଲୋକ। ଭଲା ଆପଣ ଓ ବ୍ରାହ୍ମଣମାନଙ୍କ ସହ ଏକତ୍ର ବସି କିପରି ଭୋଜନ କରିପାରିବି? ଏହା ତ ନିୟମ ବିରୁଦ୍ଧ ହେବ। ଆପଣ ଯଦି ଚାହୁଁଛନ୍ତି ତା’ହେଲେ ଆପଣ ପତ୍ର ଉପରେ ମୋର ପ୍ରସାଦ ରଖି ଦିଅନ୍ତୁ। ମୁଁ ତାହା ଉଠାଇ ନେଇ ଅନ୍ୟତ୍ର ଖାଇବି।
ଏହା ଶୁଣିବା ପରେ ଶ୍ରୀ ଚୈତନ୍ୟ ହସିଥିଲେ। ହସିହସି କହିଥିଲେ- ‘ଆରେ ପାଗଳା। ତୁ ଓ ମୁଁ ଏବେ ତ ଦୁହେଁ ଏକ। ଦୁହେଁ ଶ୍ରୀହରିଙ୍କ ଭକ୍ତ। ଦୁହିଁଙ୍କ ଭିତରେ ଭିନ୍ନତା ନାହିଁ। ଆଉ ଏମିତି ଦେଖିଲେ ତୁ ତ ନିର୍ମଳ ହୃଦୟର ଭକ୍ତଟିଏ। ତୋର ଅନ୍ତର ଆବିଳତାଶୂନ୍ୟ। ‘ହରିବୋଲ’ ‘ହରିବୋଲି’ ଉଚ୍ଚାରଣ ମାଧ୍ୟମରେ ସଭିଙ୍କୁ ସମାନ ବନାଇ ଏକ କରି ଦେଇଛି ମୁଁ। ଏଠି କେହି ବଡ଼ ସାନ ନାହାନ୍ତି, ସମସ୍ତେ ସମାନ, ଶ୍ରୀହରିଙ୍କ ଭକ୍ତ। କ’ଣ ତୋର ଶରୀର ଓ ମୋ ଶରୀରରେ କିଛି ଭେଦଭାବ ଅଛି? ଆଉ ଏମିତି ଦେଖିଲେ ତୁ ତ ମୋର ଅନନ୍ୟ ଭକ୍ତ।’
ଏହା କହିବା ଭିତରେ ଚୈତନ୍ୟ ମହାପ୍ରଭୁ ନିଜ ଆସନରୁ ଉଠି ହରିଦାସଙ୍କୁ ଆଲିଙ୍ଗନ କରିଥିଲେ। ଗୁରୁଶିଷ୍ୟ ଦୁହେଁ ଏକାକାର ହୋଇଯାଇଥିଲେ। ଦୁହିଁଙ୍କ ଭିତରେ ନଥିଲା ଭିନ୍ନତା। ହରିଦାସଙ୍କୁ ଅତି ଶ୍ରଦ୍ଧାରେ ନିଜ ପାଖରେ ବସାଇଥିଲେ। ଦୁହେଁ ଏକତ୍ର ପାଖାପାଖି ବସି ଅନ୍ୟ ଶିଷ୍ୟଙ୍କସହ ପଂକ୍ତି ଭୋଜନ କରିଥିଲେ। ହରିଦାସ ଶ୍ରୀଚୈତନ୍ୟଙ୍କ ଠାରେ ଏଭଳି ଉଦାର ମନୋଭାବ ଲକ୍ଷ୍ୟକରି କୃତକୃତ୍ୟ ହୋଇଥିଲେ।