ନୀଳଗିରି: ସେରଗଡ଼-ନୀଳଗିରି-ଝରଣଘାଟୀ(ଏସଏନ୍ଜେ) ରାସ୍ତାର ଆଜି ଖନ୍ତାପଡ଼ା ଥାନା ବାହାର୍ଦ୍ଦା ଗାଁର ନିହାର ରଞ୍ଜନ ମଲିକ(୪୦) ବାଇକରେ ନୀଳଗିରି ଆଡ଼କୁ ଆସୁଥିବା ସମୟରେ ଗଡ଼ିଆମାଳ ଛକ ନିକଟରେ ଜେସିବି ଚାଳକ ଜଣକ ମେସିନର ଶୁଣ୍ଢ ବୁଲାଇ ଦେବାରୁ ସମ୍ପୃକ୍ତ ଯୁବକ ପିଟି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଏନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଖାନାରେ ବ୍ୟବଛେଦ କରାଯିବା ପରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ଗଡ଼ିଆମାଳ ନିକଟରେ ଅପରାହ୍ନରୁ ରାସ୍ତା ଅବରୋଧ କରିଥିଲେ । ଏହି ମୁଖ୍ୟ ରାସ୍ତା ଅବରୋଧ ଯୋଗୁ ରାସ୍ତାରେ ସହସ୍ରାଧିକ ଗାଡ଼ି ମଟର ଅଟକି ଯାଇଥିଲା । କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଟାୟାର ଜାଳି ଲୋକେ ବିକ୍ଷୋଭ କରିଥିଲେ । ଠିକାଦାରଙ୍କ ମନମାନୀ, ବେପରୁଆ ରାସ୍ତା କାମକୁ ନେଇ ଆନ୍ଦୋଳନ ଉଗ୍ର ହୋଇ ଚାଲିଥିଲା । ଖନ୍ତାପଡ଼ା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା । କମ୍ପାନୀ ପକ୍ଷରୁ ୩ଲକ୍ଷ ୨୦ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ପରେ ରାତି ୯ଟା ପରେ ଆନ୍ଦୋଳନ ହଟିଥିବା ଦେଖିବାକୁ ମିଳିଛି ।



