ବଡଭାଇକୁ ପଥରରେ ଛେଚି ହତ୍ୟା ଘଟଣା ; ଅଭିଯୁକ୍ତ ସାନଭାଇ କୋର୍ଟ ଚାଲାଣ

ଆଠଗଡ :  ଆଠଗଡ ସହରର ରାସରସିକପୁର ସାହିରେ ରବିବାର ନିଜ ବଡଭାଇକୁ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତ ସାନଭାଇକୁ ପୁଲିସ ସୋମବାର ଅଦାଲତ ଚାଲାଣ କରିବା ପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଜମିବାଡି ବିବାଦକୁ ନେଇ ପାରିବାରିକ କଳହ କାରଣରୁ ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ଏକ ଗଛତଳେ ଛାଇରେ ଶୋଇଥିବା ବଡଭାଇ ଜଗନ୍ନାଥ ପ୍ରଧାନଙ୍କ ଉପରେ ସାନଭାଇ ଟୁଟୁନା ପ୍ରଧାନ ଏକ ବଡ ପଥର ଛେଚି ଦେବାରୁ ସେ ଗୁରୁତର ଅବସ୍ଥାରେ ପଡିଥିଲେ। ଖବର ପାଇ ଆଠଗଡ ଥାନା ଉପନିରୀକ୍ଷକ ବିଶ୍ୱଜିତ୍‌‌ ଜେନା ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଜଗନ୍ନାଥକୁ ଆଠଗଡ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସ୍କୁଲର ସିସିଟିଭି ଯାଞ୍ଚ କରିବା ପରେ ସାନଭାଇ ଟୁକୁନା ବଡଭାଇ ଉପରେ ପଥର ଛେଚୁଥିବା ଦୃଶ୍ୟ ଦେଖିବା ପରେ ପୁଲିସ ତୁରନ୍ତ ଟୁଟୁନାକୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲେ। ସୋମବାର କଟକରୁ ପୁଲିସ ବିଜ୍ଞାନୀ ଦଳ ଆସି ଘଟଣାର ସରଜମିନ ତଦନ୍ତ କରିବା ପରେ ଜଗନ୍ନାଥଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ପୂର୍ବରୁ ଜଗନ୍ନାଥଙ୍କର ପତ୍ନୀ ମୃତ୍ୟୁବରଣ କରିଥିବାବେଳେ ଏକମାତ୍ର ପୁତ୍ର ସଞ୍ଜୟ କୁମାର ପ୍ରଧାନ ବାହାରେ ରହି କାମ କରନ୍ତି। ସେ ଆସି ଥାନାରେ ଏତଲା ଦେବା ପରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ତଦନ୍ତକାରୀ ଅଧିକାରୀ ଭାବେ ସହକାରୀ ନିରୀକ୍ଷକ ଜନ୍ମିତା ସାସମଲ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Comments are closed.