www.samajalive.in
Saturday, December 6, 2025
16.1 C
Bhubaneswar

ସାଙ୍ଗର ଜନ୍ମଦିନ ପାଳନ ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

କଟକ : ସାଙ୍ଗର ଜନ୍ମଦିନ ପାଳନ କରୁଥିବା ଜଣେ ଯୁବକଙ୍କ ପାଇଁ ପୁରୁଣା ଲୁହା ବିଦ୍ୟୁତ୍‌ ଖୁଣ୍ଟ କାଳ ହୋଇଛି। କାଳ ବୈଶାଖୀ ପରେ ବାଇକ୍‌ରେ ଯାଉଥିବାବେଳେ ଏହି ଖୁଣ୍ଟ ସଂସ୍ପର୍ଶରେ ଆସି ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ତୁଳସୀପୁରସ୍ଥିତ ମଧୁକୁଞ୍ଜ ପାର୍କ ନିକଟରେ ରବିବାର ରାତିରେ ଘଟିଛି ଏହି ଅଘଟଣ। ମୃତକ ଷ୍ଟୁଆର୍ଟପାଟଣା ତଳସାହିର ଆଲୋକ ପ୍ରଧାନ। ରବିବାର ରାତିରେ ଆଲୋକ ସାଙ୍ଗମାନଙ୍କ ସହିତ ମଧୁକୁଞ୍ଜ ପାର୍କ ନିକଟରେ ଜଣେ ସାଙ୍ଗର ଜନ୍ମଦିନ ପାଳନ କରୁଥିଲେ। କାଳବୈଶାଖୀ ଯୋଗୁଁ ନିକଟରେ ଥିବା ଏକ ଲୁହା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ଆଲୋକ ଅନ୍ୟ ଜ​‌ଣେ ସାଙ୍ଗ ସହିତ ଏକ ବାଇକରେ ଉକ୍ତ ରାସ୍ତା ଦେଇ ଆସୁଥିବାବେଳେ ତାଙ୍କ ଗୋଡ଼ ବିଦ୍ୟୁତ୍‌ ଖୁଣ୍ଟରେ ଲାଗିଯାଇଥିଲା। ବିଦ୍ୟୁତ୍‌ ସଂସ୍ପର୍ଶରେ ସେଠାରେ ସେ ଅଚେତ ହୋଇପଡ଼ିଥିଲେ। ବାଇକରେ ଥିବା ସାଙ୍ଗ ଉଦୟ ସେନାପତି ଆଲୋକଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ କଲାବେଳେ ସେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ଛିଟିକି ପଡିଥିଲେ। ସେ ଆହତ ହୋଇଥିବାବେଳେ ଅନ୍ୟ ସାଙ୍ଗମାନେ ଆଲୋକଙ୍କୁ ତୁଳସୀପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ହସ୍ପିଟାଲରେ ପହଞ୍ଚି ପଚରାଉଚୁରା କରିବା ସହ ମୃତକଙ୍କ ଘରକୁ ଯାଇ ବୁଝାସୁଝା କରିଥିଲେ। ମଧୁକୁଞ୍ଜ ପାର୍କ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟଟି ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ସ୍ଥାନୀୟ ଅଞ୍ଚଳବାସୀ ଖୁଣ୍ଟ ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଇନଥିଲା। ଖୁଣ୍ଟ ବଦଳାଯାଇଥିଲେ ହୁଏତ ଆଲୋକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories