ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ନିର୍ବାଚନ ସମୟରେ ଆଚରଣ ବିଧିକୁ ସଂପୂର୍ଣ୍ଣ ଉଲ୍ଲଂଘନ କରି ଚାଲିଛି ରାସ୍ତା ନିର୍ମାଣ କାମ। ଏହି ରାସ୍ତା ନିର୍ମାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ପରେ ମଧ୍ୟ ରାତାରାତି ଚାଲିଛି ନିର୍ମାଣ।
ପ୍ରାପ୍ତ ଖବରରୁ ଜଣାଯାଇଛି, ଦୋସିଙ୍ଗା ପଂଚାୟତ ସମିପାଟିଆ ଗ୍ରାମରେ ବେସରକାରୀ ସ୍ଥାନରେ ଚାଲିଛି ସରକାରୀ ରାସ୍ତା ନିର୍ମାଣ। ଏହି କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦୋସିଙ୍ଗା ପଂଚାୟତରେ କୌଣସି ଗ୍ରାମସଭାରେ କିମ୍ବା ପଲ୍ଲୀ ସଭାରେ କୌଣସି ଆଲୋଚନା ପର୍ଯ୍ୟାଲୋଚନା ହୋଇ ନଥିବା ବେଳେ କେଉଁ ପରିସ୍ଥିତିରେ ଏହି ରାସ୍ତା ନିର୍ମାଣ ଚାଲିଛି? ଏହି ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରୋଜେକ୍ଟ ମଧ୍ୟ ନ ଥିବା କଥା ସଂପୃକ୍ତ କନିଷ୍ଠଯନ୍ତ୍ରୀ କହୁଥିବାବେଳେ ଏହି ରାସ୍ତା କିପରି ରାତାରାତି ନିର୍ମାଣ ଚାଲିଛି ତାହା ତଦନ୍ତ ସାପେକ୍ଷ ହୋଇପଡ଼ିଛି। ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରି ଏହି ରାସ୍ତା ନିର୍ମାଣ ଚାଲିଛି ବୋଲି ଦୋସିଙ୍ଗା ପଂଚାୟତର ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର ମାଇତି, ରାଜକିଶୋର ଦାସ ଏବଂ ସଂପୃକ୍ତ ଅଂଚଳବାସୀ ଏହାକୁ ବିରୋଧ କରିବା ସହ ଏହି ଅନିୟମିତତା ବିରୁଦ୍ଧରେ ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦେଶକଙ୍କ ପାଖରେ ଅଭିଯୋଗ ଆଣିଥିଲେ। ସଂପୃକ୍ତ ପ୍ରକଳ୍ପ ନିର୍ଦେଶକ ଚାନ୍ଦବାଲି ବିଡିଓଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିବା ଜଣାଯାଇଛି।
ଅନ୍ୟ ପକ୍ଷରେ ସାଧାରଣ ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସଂପୃକ୍ତ ସମିତିସଭ୍ୟ ଅଭିଯୋଗ ଆଣିଥିବାବେଳେ ଏହି ଅନିୟମିତତା ବିରୁଦ୍ଧରେ ସେ ରାଜ୍ୟ ନିର୍ବାଚନ କମିଶନରଙ୍କ ପାଖରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏହି ବାବଦରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରକଳ୍ପ ନଥିବା କଥା କହିଥିବାବେଳେ ସେ ଆସି ଏହାର ତଦନ୍ତ କରିବେ ବୋଲି ମତ ରଖିଥିଲେ। ଏ ବାବଦରେ ସଂପୃକ୍ତ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ।



