ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍‌ସିପ : ନିଖତ୍‌ ଓ ଲଭ୍‌ଲିନା ବିଶ୍ବ ବିଜୟିନୀ

ନୂଆଦିଲ୍ଲୀ : ଚଳିତ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍‌ସିପରେ କ୍ରମାଗତ ୨ୟ ଦିନରେ ଭାରତକୁ ଡବଲ୍‌ ସ୍ବର୍ଣ୍ଣପଦକ ମିଳିଛି। ଶନିବାର ଦୁଇ ଭାରତୀୟ ନୀତୁ ଘାଙ୍ଘାସ୍‌ ଓ ସ୍ବିଟି ବୁରା ସ୍ବର୍ଣ୍ଣପଦକ ଜିତିଥିଲେ। ରବିବାର ଆଉ ୨ ଭାରତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି। ସେମାନେ ହେଲେ ୫୦ କିଗ୍ରା ବର୍ଗରେ ନିଖତ୍ ଜରିନ୍ ଓ ୭୫ କିଗ୍ରା ବର୍ଗରେ ଲଭ୍‌ଲିନା ବର୍ଗୋହାଇଁ। ଦୁହେଁ ଭିନ୍ନ ଢଙ୍ଗରେ ଫାଇନାଲ ଲଢ଼େଇ ଜିତିଥିଲେ। ନିଖତ୍‌ ଫାଇନାଲରେ ସହଜରେ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିବା ବେଳେ ଲଭ୍‌ଲିନା କଡ଼ା ମୁକାବିଲା କରି ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ। ରାଜଧାନୀର କେ.ଡି. ଯାଦବ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ମୋଟ ୪ଟି ସ୍ବର୍ଣ୍ଣପଦକ ଜିତିଛି। ୧୭ ବର୍ଷ ପରେ ଏହା ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍‌ସିପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ୨୦୦୬ ବିଶ୍ବ ଚମ୍ପିଆନ୍‌ସିପ୍‌ରେ ମଧ୍ୟ ଭାରତ ୪ଟି ସ୍ବର୍ଣ୍ଣପଦକ ଜିତି ପାରିଥିଲା।
ନିଖତ୍ ଜରିନ୍‌ ରବିବାର ଫାଇନାଲରେ ଭିଏତ୍‌ନାମର ଏନ୍‌ଗୁୟେନ୍‌ ଥି ଟାମ୍‌ଙ୍କୁ ୫-୦ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ନିଖତ୍‌ଙ୍କ ସପକ୍ଷରେ ୪ ଜଣଯାକ ବିଚାରକ ୨୮-୨୭, ୨୮-୨୭, ୨୮-୨୭, ୨୯-୨୬, ୨୮-୨୭ ପଏଣ୍ଟରେ ନିଷ୍ପତ୍ତି ଦେଇଥିଲେ। ଗତବର୍ଷ ମଧ୍ୟ ନିଖତ୍‌ ଜରିନ୍ ୫୨ କିଗ୍ରା ବର୍ଗରେ ବିଶ୍ବ ଚମ୍ପିଆନ୍‌ ହୋଇଥିଲେ। ଫଳରେ ୨ୟ ଥର କ୍ରମାଗତ ନିଖତ୍‌ ବିଶ୍ବ ବିଜୟିନୀ ହୋଇଛନ୍ତି। ଫାଇନାଲର ପ୍ରଥମ ରାଉଣ୍ଡରେ ଉଭୟ ବକ୍ସର ଲୟ ପାଇନଥିଲେ। ଭିଏତ୍‌ନାମର ଏନ୍‌ଗୁୟେନ୍‌ଙ୍କୁ ରେଫେରୀ ହଳଦିଆ କାର୍ଡ ଦେଖାଇଥିଲେ। ଅନ୍ୟପକ୍ଷରେ ୫ ଜଣଯାକ ବିଚାରକ ନିଖତ୍‌ଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ। ୨ୟ ରାଉଣ୍ଡରେ ଭିଏତ୍‌ନାମର ଏନ୍‌ଗୁୟେନ୍‌ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରିବାର ପ୍ରୟାସ କରିଥିବା ବେଳେ ନିଖତ୍‌ ରକ୍ଷଣାତ୍ମକ ହୋଇ ଯାଇଥିଲେ। ଫଳରେ ନିଖତ୍‌ଙ୍କୁ ରେଫେରୀ ହଳଦିଆ କାର୍ଡ ଦେଖାଇଥିଲେ। ହେଲେ ରାଉଣ୍ଡର ଶେଷଆଡ଼କୁ ଭିଏତ୍‌ନାମର ଏନ୍‌ଗୁୟେନ୍‌ଙ୍କ ମୁହଁରେ ନିଖତ୍‌ ୨ଟି ମୁଥ ମାରିବାରୁ ଏହି ରାଉଣ୍ଡ ତାଙ୍କ ସପକ୍ଷରେ ଯାଇଥିଲା। ୩ୟ ରାଉଣ୍ଡରେ କଡ଼ା ମୁକାବିଲା ହୋଇଥିଲେ ହେଁ ଅଳ୍ପ ବ୍ୟବଧାନରେ ନିଖତ୍ ଏହାକୁ ଜିତି ନେଇଥିଲେ। ୨ୟ ଭାରତୀୟ ଭାବେ ନିଖତ୍ ଜରିନ୍‌ ୨ରୁ ଅଧିକ ଥର ବିଶ୍ବ ଚମ୍ପିଆନ୍ ହୋଇ ପାରିଛନ୍ତି। ଭାରତର ଏମ୍‌.ସି. ମ୍ୟାରି କମ୍‌ ୬ ଥର ବିଶ୍ବ ଚମ୍ପିଆନ୍ ହୋଇ ପାରିଥିଲେ।
ରବିବାର ୨ୟ ଭାରତୀୟ ଭାବେ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍‌ସିପରେ ସ୍ବର୍ଣ୍ଣପଦକ ଜିତିଛନ୍ତି ଟୋକିଓ ଅଲିମ୍ପିକ୍‌ସ ପଦକ ବିଜୟିନୀ ଲଭ୍‌ଲିନା ବର୍ଗୋହାଇଁ। ଆସାମର ଏହି ମହିଳା ମୁଷ୍ଟିଯୋଦ୍ଧା ଫାଇନାଲରେ ଅଷ୍ଟ୍ରେଲିଆର କେଟ୍‌ଲିନା ପାର୍କରଙ୍କୁ ୫-୨ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି। ୩ଟିଯାକ ରାଉଣ୍ଡରେ କଡ଼ା ମୁକାବିଲା ହୋଇଥିଲା। ଶେଷରେ ନିଷ୍ପତ୍ତିର ରିଭ୍ୟୁ ହୋଇଥିଲା। ଉଭୟ ବକ୍ସର ବିଜୟୀ ହୋଇଛନ୍ତି ବୋଲି ଉତ୍ସବ ମୁଖର ହୋଇଥିବା ବେଳେ ବିଚାର ଲଭ୍‌ଲିନାଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ। ଫଳରେ ଲଭ୍‌ଲିନା ପ୍ରଥମଥର ବିଶ୍ବ ଚମ୍ପିଆନ୍ ହୋଇଛନ୍ତି। ଚଳିତ ସଂସ୍କରଣରେ ନୀତୁ ଘାଙ୍ଘାସ୍‌, ସ୍ବିଟି ବୁରା, ନିଖତ୍ ଜରିନ୍ ଓ ଲଭ୍‌ଲିନା ବର୍ଗୋହାଇଁଙ୍କ ପୂର୍ବରୁ ଏମ୍‌.ସି. ମ୍ୟାରି କମ୍‌ (୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮) ୬ ଥର ବିଶ୍ବ ବକ୍ସିଂ ଚମ୍ପିଆନ୍ ହୋଇଥିଲେ। ତାଙ୍କୁ ଛାଡ଼ି ଭାରତର ମହିଳା ବକ୍ସର ଭାବେ ଏଲ୍‌. ସରିତା ଦେବୀ (୨୦୦୬), ଜେନି ଆର୍‌.ଏଲ୍‌ (୨୦୦୬), ଲେଖା କେ.ସି. (୨୦୦୬)ଓ ନିଖତ ଜରିନ୍ (୨୦୨୨) ବିଶ୍ବ ଚମ୍ପିଆନ୍ ହୋଇଥିଲେ।

Comments are closed.