ଭୟାନକ ଯକ୍ଷ୍ମା ଓ ଯକୃତ୍ ସଂକ୍ରମଣ

ପ୍ରଫେସର ଉମେଶ ଚନ୍ଦ୍ର ପାତ୍ର, ବିଭାଗୀୟ ମୁଖ୍ୟ, ଯକୃତ୍‌ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

୧୮୮୨ ମସିହା, ସେତେବେଳେ ୟୁରୋପ ଏବଂ ଆମେରିକା ମହାଦେଶରେ ଯକ୍ଷ୍ମାର ପ୍ରାଦୁର୍ଭାବ ଥିଲା । ଏହି ରୋଗରେ ପ୍ରାୟ ପ୍ରତି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମୃତୁ୍ୟବରଣ କରୁଥିଲେ। ରୋଗର ଭୟାବହତାକୁ ଲକ୍ଷ୍ୟ କରିଥିଲେ ବର୍ଲିନର ଡାଃ ରବର୍ଟ କୋକ୍। ତା’ପରେ ସେ ଏହି ରୋଗ ପଛରେ ଥିବା କାରଣକୁ ଖୋଜିବା ପାଇଁ ଲାଗିପଡ଼ିଲେ। ଦୀର୍ଘଦିନର ଗବେଷଣା ପରେ ସେ ଚିହ୍ନଟ କରିଥିଲେ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିଆକୁ। ଏହି ବ୍ୟାକ୍ଟେରିଆକୁ ଡାଃ କୋକ୍ “ମାଇକୋବ୍ୟାକ୍ଟେରିୟମ୍ ଟୁ୍ୟବରକୁ୍ୟଲୋସିସ୍’ ନାମରେ ନାମିତ କରିଥିଲେ। ତା’ପରେ ଯକ୍ଷ୍ମାର ଚିହ୍ନଟ ଏବଂ ଚିକିତ୍ସା ପାଇଁ ଦ୍ୱାର ଉନ୍ମୁକ୍ତ ହୋଇଥିଲା। ଯେଉଁଦିନ ସେ ଏହି ଐତିହାସିକ ସଫଳତା ହାସଲ କରିଥିଲେ ସେଦିନ ଥିଲା ୧୮୮୨ ମାର୍ଚ୍ଚ ୨୪ ତାରିଖ। ଆଉ ସେହି ଦିନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ପାଳିତ ହୋଇ ଆସୁଛି “ବିଶ୍ୱ ଯକ୍ଷ୍ମା ଦିବସ’। ସମଗ୍ର ବିଶ୍ୱକୁ ଯକ୍ଷ୍ମାମୁକ୍ତ କରିବା ଏହି ଦିବସର ପ୍ରମୁଖ ଲକ୍ଷ୍ୟ। ଲୋକମାନଙ୍କୁ ଯକ୍ଷ୍ମାରୋଗ ସମ୍ପର୍କରେ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୧୯୮୨ରେ ଇଣ୍ଟରନ୍ୟାସନାଲ ୟୁନିୟନ ଏଗେନ୍ଷ୍ଟ ଟୁ୍ୟବରକୁଲୋସିସ୍ ଆଣ୍ଡ ଲଙ୍ଗସ ଡିଜିଜ୍ (ଆଇୟୁଏଟିଏଲଡ଼ି) ଆନୁକୂଲ୍ୟରେ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ ହୋଇଥିଲା। ଏହି ଅବସରରେ ଯକ୍ଷ୍ମାର ନିରାକରଣ ପାଇଁ ଉପରୋକ୍ତ ସଂସ୍ଥା ପକ୍ଷରୁ ମାର୍ଚ୍ଚ ୨୪ ତାରିଖକୁ “ବିଶ୍ୱଯକ୍ଷ୍ମା ଦିବସ’ ରୂପରେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୧୯୯୬ରେ ଆଇୟୁଏଟିଏଲଡ଼ି ସହ ଏହି ଅଭିଯାନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ହାତ ମିଳାଇଥିଲା। ଯକ୍ଷ୍ମା ଦିବସ ଅବସରରେ ବିଶ୍ୱସ୍ୱାସ୍ଥ୍ୟସଂଗଠନ ପକ୍ଷରୁ ପ୍ରକାଶିତ ବାର୍ତ୍ତାରେ ମତବ୍ୟକ୍ତ କରାଯାଇଛି ଯେ ସମସ୍ତେ ଯେପରି ଏହି ରୋଗର ନିରାକରଣ ପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର।

ସମ୍ପ୍ରତି ସରକାର ଯକ୍ଷ୍ମାରୋଗ ପାଇଁ ଡଟ୍ସ୍ ପଦ୍ଧତିକୁ ରୋଗୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ିକର୍ମୀ, ଆଶା କର୍ମୀଙ୍କ ଠାରୁ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ ଏହାର ନିରାକରଣ ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ବେଶ୍ ସଫଳ ହୋଇଛନ୍ତି। ସରକାରଙ୍କୁ ବିଭିନ୍ନ ବେସରକାରୀ ସଂଗଠନ ମଧ୍ୟ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛନ୍ତି। ଯକ୍ଷ୍ମା ଏକ ଭୟାନକ ସଂକ୍ରମିତ ରୋଗ ହୋଇଥିଲେ ବି ପ୍ରାଥମିକ ଅବସ୍ଥାରେ କଫ ପରୀକ୍ଷା ଦ୍ୱାରା ଏହାର ନିରାକରଣ ନୁହେଁ ବରଂ ମୂଳତ୍ପୋଟନ ମଧ୍ୟ ହୋଇପାରୁଛି। ଯକ୍ଷ୍ମା କ୍ଷେତ୍ରରେ ଜଣେ ରୋଗୀକୁ ଦୀର୍ଘଦିନ ଧରି କାଶ ହେଉ ବା ଜ୍ୱର, ରାତିରେ ଝାଳ ବୋହିବା ଠାରୁ ଭୋକ କମିଯିବା, ଓଜନ କମିଯିବା ଓ ଛାତିରେ ଯନ୍ତ୍ରଣା ହେବାପରି ଲକ୍ଷଣ ଶରୀରରେ ପ୍ରକାଶ ପାଇଥାଏ। ଶରୀରର ସମସ୍ତ ଅଙ୍ଗକୁ ଏହି ଯକ୍ଷ୍ମା ଜୀବାଣୁ ଆକ୍ରାନ୍ତ କରେ। ସାଧାରଣତଃ ଫୁସ୍ଫୁସ୍କୁ ଏହା ପ୍ରଥମେ ଆକ୍ରମଣ କରେ ଓ ପରବର୍ତ୍ତୀ କ୍ଷେତ୍ରରେ ଏହା ଶରୀରର ସମସ୍ତ ଅଙ୍ଗକୁ ଆକ୍ରାନ୍ତ କରେ। ରୋଗୀର ରୋଗପ୍ରତିରୋଧକ ଶକ୍ତି ଉପରେ ଏହି ଆକ୍ରାନ୍ତର ଭୟାବହତା ନିର୍ଭର କରେ। ଖାଦ୍ୟନଳୀ, ଯକୃତ୍, ଅଗ୍ନ୍ୟାଶୟ, ବୃକକ୍, ମସ୍ତିଷ୍କ, ଅସ୍ଥି, ମଜ୍ଜା, ଗଣ୍ଠି, ଆଖି, ଜରାୟୁ, ଚମଡ଼ା ଓ ହୃଦ୍ୟନ୍ତ୍ର ଇତ୍ୟାଦି ଅଙ୍ଗ ଏହି ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୁଏ। ଏହି ସବୁ ରୋଗକୁ ଏକ୍ସଟ୍ରା ପାଲମୋନାରୀ ଟୁ୍ୟବରକୁ୍ୟଲୋସିସ୍ କୁହାଯାଏ। ତେବେ ଯକ୍ଷ୍ମା ଆଉ ଭୟାନକ ହୋଇରହି ନାହିଁ ଏବଂ ଡାକ୍ତର କୋକ୍ଙ୍କ ଦୀର୍ଘଦିନର ଗବେଷଣାର ଫଳ ଆଜି ସଫଳ ହୋଇଛି। ବେଳେ ବେଳେ ଏହି ମାଇକୋବ୍ୟାକ୍ଟେରିୟମ୍ ଟୁ୍ୟବରକୁ୍ୟଲୋସିସ୍ ଡଟ୍ସ ଚିକିତ୍ସା ପଦ୍ଧତିରେ ନିୟନ୍ତ୍ରଣ ହୁଏ ନାହିଁ। ଏହି ଏକ୍ସଟ୍ରା ପାଲମୋନାରୀ ଟୁ୍ୟବରକୁ୍ୟଲୋସିସ୍ରେ ଦୀର୍ଘ ସମୟ ପାଇଁ (ଏକବର୍ଷରୁ ଦେଢ଼ବର୍ଷ) ରୋଗୀକୁ ଔଷଧ ସେବନ କରିବାକୁ ପଡ଼େ। ଯକୃତ୍ ଓ ଖାଦ୍ୟନଳୀ ଟୁ୍ୟବରକୁ୍ୟଲୋସିସ୍ରେ ମଧ୍ୟ ଏକବର୍ଷରୁ ଦେଢ଼ବର୍ଷ ପର୍ଯ୍ୟନ୍ତ ରୋଗୀକୁ ଔଷଧ ସେବନ କରିବାକୁ ପଡ଼େ। ଆସନ୍ତୁ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଏହାର ମୂଳତ୍ପୋଟନ ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ଦାୟିତ୍ୱ ପ୍ରତି ଗୁରୁତ୍ୱ ପ୍ରଦାନ କରିବା।

Comments are closed.