ମହାଦେଶରେ ରାଜନୈତିକ ପରିବର୍ତ୍ତନର ବର୍ଷ ୨୦୨୪
ଡେସ୍କ: ୨୦୨୪ ମସିହା ବିଶ୍ୱ ରାଜନୀତିରେ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ ଥିଲା, ଯେଉଁଥିରେ ରେକର୍ଡ ସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ, ଶାସନ ଏବଂ ଅନ୍ତର୍ଜାତୀୟ ସମ୍ପର୍କର ଭବିଷ୍ୟତକୁ ରୂପ ଦେଇଥିଲା। ଚୀନ୍ ସହ ଉତ୍ତେଜନା ଭିତରେ ତାଇଓ୍ଵାନର ରାଷ୍ଟ୍ରପତି ନିର୍ବାଚନଠାରୁ ଆରମ୍ଭ କରି ଭାରତର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ନିର୍ବାଚନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ପାଇଁ ରାଜନୈତିକ ଚିତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।
ବାଂଲାଦେଶ
ଜାନୁଆରୀ ୭ରେ ବାଂଲାଦେଶରେ ଅନୁଷ୍ଠିତ ୨୦୨୪ ସଂସଦୀୟ ନିର୍ବାଚନ ଦେଶର ରାଜନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ଅଧ୍ୟାୟ। ୩୫୦ ସଦସ୍ୟ ବିଶିଷ୍ଟ ଜାତୀୟ ସଂସଦ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ନିରପେକ୍ଷତା, ଅନ୍ତର୍ଭୁକ୍ତୀକରଣ ଏବଂ ଗଣତାନ୍ତ୍ରିକ ଅଖଣ୍ଡତା ପାଇଁ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ବାଧୀନ ଶାସକ ଆୱାମୀ ଲିଗ୍ କ୍ରମାଗତ ଚତୁର୍ଥ ଥର ପାଇଁ ୩୦୦ଟି ଆସନରୁ ୨୨୪ଟିରେ ବିଜୟୀ ହୋଇଛି। ତେବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ସମେତ ପ୍ରମୁଖ ବିରୋଧୀ ଦଳମାନେ ଏହି ନିର୍ବାଚନକୁ ବହିଷ୍କାର କରିଥିଲେ, ଯେଉଁଥିରେ ସରକାର ବିରୋଧୀଙ୍କ ସ୍ୱରକୁ ଦମନ କରିବା ଅଭିଯୋଗ ହୋଇଥିଲା।
ଏହି ନିର୍ବାଚନ ପରେ ବିଶ୍ୱବ୍ୟାପୀ ବିରୋଧ ଓ ସମାଲୋଚନା ଦେଖିବାକୁ ମିଳିଥିବା ବେଳେ ଆମେରିକା ଓ ବ୍ରିଟେନ ଭଳି ପାଶ୍ଚାତ୍ୟ ରାଷ୍ଟ୍ର ଏହି ପ୍ରକ୍ରିୟାର ଗଣତାନ୍ତ୍ରିକ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜୁଲାଇ ଓ ଅଗଷ୍ଟ ୨୦୨୪ରେ ଚାକିରି ସଂରକ୍ଷଣକୁ ବିରୋଧ କରି ଏକ ଛାତ୍ର ଆନ୍ଦୋଳନ ଜନବିଦ୍ରୋହରେ ପରିଣତ ହୋଇଥିଲା ଯାହା ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା, ଯାହାଫଳରେ ଦ୍ୱାଦଶ ଜାତୀୟ ସଂସଦ ଭଙ୍ଗ ହୋଇଥିଲା ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତିକାଳୀନ ସରକାର ଗଠନ କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପୁନରୁଦ୍ଧାର କରିବା ପାଇଁ ଭାରତର ପୂର୍ବ ପଡ଼ୋଶୀ ଦେଶରେ ପୁଣି ଥରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି।
ଭୁଟାନ୍
ଭୁଟାନରେ ନ୍ୟାସନାଲ ଆସେମ୍ବ୍ଲି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହୋଇଥିଲା – ନଭେମ୍ବର ୩୦, ୨୦୨୩ରେ ପ୍ରାଥମିକ ପର୍ଯ୍ୟାୟ ଏବଂ ଜାନୁଆରୀ ୯, ୨୦୨୪ରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ। ୨୦୦୮ରେ ଗଣତନ୍ତ୍ରରେ ପରିଣତ ହେବା ପରେ ଦେଶରେ ଏହା ଥିଲା ଚତୁର୍ଥ ସଂସଦୀୟ ନିର୍ବାଚନ।
ପ୍ରାଥମିକ ପର୍ଯ୍ୟାୟରୁ ଉଭା ହୋଇଥିବା ଶୀର୍ଷ ଦୁଇ ଦଳ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଏବଂ ଭୁଟାନ ଟେଣ୍ଡରେଲ ପାର୍ଟି (ବିଟିପି) ମଧ୍ୟରେ ଚୂଡ଼ାନ୍ତ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ନ୍ୟାସନାଲ ଆସେମ୍ବଲିର ୪୭ଟି ଆସନରୁ ପିଡିପି ୩୦ଟି ଆସନରେ ବିଜୟୀ ହୋଇଥିଲା। ଏହି ବିଜୟ ଶେରିଙ୍ଗ ତୋବଗେଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଚୟନ କରିଥିଲା, କାରଣ ସେ ପୂର୍ବରୁ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଏହି ଭୂମିକାରେ କାର୍ଯ୍ୟ କରିଥିଲେ।
ପାକିସ୍ତାନ
ଭାରତର ଅନ୍ୟ ଏକ ପଡ଼ୋଶୀ ପାକିସ୍ତାନରେ ଫେବ୍ରୁଆରି ୮ ତାରିଖରେ ନ୍ୟାସନାଲ୍ ଆସେମ୍ବ୍ଲି ପାଇଁ ନିର୍ବାଚନ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ତାଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ)କୁ ବାଦ୍ ଦେଇ ନିର୍ବାଚନ ସରଗରମ ଥିଲା। ଜେଲ୍ ଯିବା ଏବଂ ପିଟିଆଇର ନିର୍ବାଚନ ଚିହ୍ନ ନିଷିଦ୍ଧ ହେବା ପରେ ପିଟିଆଇ ସହ ଜଡ଼ିତ ଅନେକ ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୧୦୦ରୁ ଅଧିକ ଆସନ ହାସଲ ହାସଲ କରିଥିଲେ।
ନୱାଜ ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ୭୫ ଟି ଆସନ ସହ ସର୍ବବୃହତ ଦଳ ଭାବେ ଉଭା ହୋଇଥିବା ବେଳେ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି। ପରବର୍ତ୍ତୀ ସମୟରେ ପିଏମଏଲ-ଏନ ଏବଂ ପିପିପି ଦ୍ୱାରା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱରେ ଛୋଟ ଛୋଟ ଦଳସହିତ ମେଣ୍ଟ ସରକାର ଗଠନ କରାଯାଇଥିଲା।
ଶ୍ରୀଲଙ୍କା
ଶ୍ରୀଲଙ୍କାରେ ସେପ୍ଟେମ୍ବର ୨୧ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାୱାର ମେଣ୍ଟର ଅନୁରା କୁମାର ଦିସାନାୟକେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ରାଷ୍ଟ୍ରପତି ପଦ ସୁନିଶ୍ଚିତ କରିଥିଲେ। ଏହି ବିଜୟ ପୂର୍ବ ଶାସନ ଠାରୁ ଏକ ପରିବର୍ତ୍ତନକୁ ସୂଚାଇଥିଲା ଏବଂ ସାମ୍ପ୍ରତିକ ବର୍ଷଗୁଡିକର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ସମୟରେ ଶାସକ ସମ୍ପ୍ରଦାୟ ପ୍ରତି ବ୍ୟାପକ ଅସନ୍ତୋଷର ପ୍ରତିକ୍ରିୟା ଭାବରେ ଦେଖାଯାଇଥିଲା।
ଇଣ୍ଡୋନେସିଆ
ଦକ୍ଷିଣ ଏସିଆଠାରୁ ଦୂରେଇ ଯାଇ ୨୦୨୪ ମସିହାରେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ମଧ୍ୟ ସାଧାରଣ ନିର୍ବାଚନ ହୋଇଥିଲା। ରାଷ୍ଟ୍ରପତି ନିର୍ବାଚନ ସାଧାରଣ ନିର୍ବାଚନର କେନ୍ଦ୍ରବିନ୍ଦୁ ଥିଲା, ଯେଉଁଥିରେ ପ୍ରବୋଭୋ ସୁବିଆଣ୍ଟୋ ବିଜୟୀ ହୋଇଥିଲେ।
ତାଇୱାନ
ପୂର୍ବ ଏସୀୟ ଦେଶ ତାଇୱାନରେ ମଧ୍ୟ ଜାନୁଆରୀ ୧୩ରେ ରାଷ୍ଟ୍ରପତି ଏବଂସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶାସକ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟିର ପ୍ରାର୍ଥୀ ଲାଇ ଚିଙ୍ଗ-ତେ ୪୦ ପ୍ରତିଶତ ଭୋଟ ପାଇ କୁଓମିଣ୍ଟାଙ୍ଗର ହଉ ୟୁ-ଇହ ଏବଂ ତାଇୱାନ ପିପୁଲ୍ସ ପାର୍ଟିର କୋ ୱେନ୍-ଜେଙ୍କୁ ପରାସ୍ତ କରି ରାଷ୍ଟ୍ରପତି ପଦ ଜିତିଥିଲେ।
ଜାପାନ
ଚଳିତ ବର୍ଷ ଅକ୍ଟୋବର ମାସରେ ଅନ୍ୟ ଏକ ପୂର୍ବ ଏସୀୟ ରାଷ୍ଟ୍ର ଜାପାନରେ ମଧ୍ୟ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଦ୍ୱାରା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭକୁ ଶୀଘ୍ର ଭଙ୍ଗ କରିବା କାରଣରୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ପରେ ଇଶିବା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ପରେ ଫୁମିଓ କିଶିଦା ଦଳୀୟ ନେତା ପଦରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ମରିସସ୍
ଭାରତ ମହାସାଗରର ଆଉ ଏକ ଦ୍ୱୀପଦେଶ ମରିସସରେ ଚଳିତ ବର୍ଷ ସଂସଦୀୟ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମଙ୍କ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ବିଜୟୀ ହୋଇଥିଲା। ନିର୍ବାଚନ ଫଳାଫଳ ନିର୍ଣ୍ଣାୟକ ଥିଲା ଏବଂ ନ୍ୟାସନାଲ ଆସେମ୍ବ୍ଲିର ୬୨ଟି ଆସନରୁ ଆଲାଏନ୍ସ ଡୁ ଚେଞ୍ଜମେଣ୍ଟ ୬୦ଟି ଆସନ ହାସଲ କରିଥିଲା, ଯାହା ରାଜନୈତିକ ଦୃଶ୍ୟପଟରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଥିଲା।
ଫ୍ରାନ୍ସ
ଚଳିତ ବର୍ଷ ଫ୍ରାନ୍ସରେ ଜୁନ୍ ୩୦ ଏବଂ ଜୁଲାଇ ୭ରେ ମଧ୍ୟବର୍ତ୍ତୀ କାଳୀନ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୟୁରୋପୀୟ ସଂସଦ ନିର୍ବାଚନରେ ତାଙ୍କ ମେଣ୍ଟକୁ ଯଥେଷ୍ଟ କ୍ଷତି ସହିବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ସଂସଦ ଭଙ୍ଗ କରିଥିଲେ।
ୟୁନାଇଟେଡ଼ କିଙ୍ଗଡମ
ଚଳିତ ବର୍ଷ ବ୍ରିଟେନରେ ମଧ୍ୟ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ଏକ ନାଟକୀୟ ରାଜନୈତିକ ପରିବର୍ତ୍ତନକୁ ଚିହ୍ନିତ କରିଥିଲା, ଯାହା ଫଳରେ କିର ଷ୍ଟାରମରଙ୍କ ନେତୃତ୍ୱାଧୀନ ଲେବର ପାର୍ଟିକୁ ବିପୁଳ ବିଜୟ ମିଳିଥିଲା।
ଜୁଲାଇ ୪ତାରିଖରେ ଅନୁଷ୍ଠିତ ଏହି ନିର୍ବାଚନରେ ୧୪ ବର୍ଷର କଞ୍ଜରଭେଟିଭ୍ ଶାସନର ଅନ୍ତ ଘଟିଥିଲା ଏବଂ ଲେବର ଦଳ ୬୫୦ ସଂସଦୀୟ ଆସନମଧ୍ୟରୁ ୪୦୦ରୁ ଅଧିକ ଆସନ ହାସଲ କରିଥିଲା, ଯାହା କି ଗତ ଦଶନ୍ଧି ମଧ୍ୟରେ ସେମାନଙ୍କର ସର୍ବବୃହତ ସଂଖ୍ୟାଗରିଷ୍ଠତା। ବିଶେଷ କରି ଅର୍ଥନୈତିକ ଅସ୍ଥିରତା, ବଢ଼ୁଥିବା ଜୀବନଧାରଣ ଖର୍ଚ୍ଚ ଏବଂ ଆଭ୍ୟନ୍ତରୀଣ ଦଳୀୟ ବିଭାଜନ ଭଳି ପ୍ରସଙ୍ଗକୁ ନେଇ କଞ୍ଜରଭେଟିଭ୍ ପାର୍ଟି ପ୍ରତି ବ୍ୟାପକ ଜନଅସନ୍ତୋଷ ଯୋଗୁଁ ଏହି ଫଳାଫଳ ଘଟିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ କଞ୍ଜରଭେଟିଭ୍ ଦଳ ଇତିହାସର ସବୁଠାରୁ ଖରାପ ପରାଜୟର ସମ୍ମୁଖୀନ ହୋଇ ମାତ୍ର ୧୨୧ ଟି ଆସନ ବଜାୟ ରଖିଛି, ଯାହା କି ପୂର୍ବ ନିର୍ବାଚନ ତୁଳନାରେ ୨୪୪ ଟି ଆସନ ହରାଇଛି ।
ଆମେରିକା
ଭାରତରେ ଲୋକସଭା ନିର୍ବାଚନ ବ୍ୟତୀତ ଚଳିତ ବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱର ପ୍ରମୁଖ ନଜର ରହିଥିଲା। ନଭେମ୍ବର ୫ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରିପବ୍ଲିକାନ୍ ପାର୍ଟିର ଟିକେଟ୍ – ଡୋନାଲ୍ଡ ଟ୍ରମ୍ପ, ଯିଏ କି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ୪୫ତମ ରାଷ୍ଟ୍ରପତି ଥିଲେ ଏବଂ ଓହିଓର କନିଷ୍ଠ ଆମେରିକୀୟ ସିନେଟର ଜେଡି ଭାନ୍ସ ଡେମୋକ୍ରାଟିକ୍ ପାର୍ଟିର ଟିକେଟକୁ ପରାସ୍ତ କରିଥିଲେ।
Comments are closed.