ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିକୁ ଭଲ ପାଇଲେ ପ୍ରଦୁଷଣମୁକ୍ତ ବିଶ୍ୱ ଗଠନ ସମ୍ଭବ

କେନ୍ଦୁଝରରେ ବିଶ୍ୱ ପରିବେଶ ଦିବସ ପାଳିତ

କେନ୍ଦୁଝରଗଡ଼ : ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିକୁ ଭଲ ପାଇଲେ ଏକ ପ୍ରଦୁଷଣ ମୁକ୍ତ ବିଶ୍ୱ ଗଠନ ସମ୍ଭବ ହୋଇପାରିବ ବୋଲି ଡିଏଫଓ କେନ୍ଦୁଝର ଧନରାଜ ଏଚ୍.ଡି. ମତବ୍ୟକ୍ତ କରିଛନ୍ତି । ସୋମବାର ଜିଲା ପରିବେଶ ସମିତି ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଡିଏଫଓ. ଧନରାଜ ଏଚ୍.ଡି. ଏହି ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ଚିନ୍ତାର କାରଣ ହୋଇଛି । ମନୁଷ୍ୟ ସମାଜର ଅପରିଣାମଦର୍ଶିତା ପାଇଁ ଶାନ୍ତ ଶୀତଳ ପରିବେଶ ଆଜି ଅଶାନ୍ତ ଓ ଉଗ୍ର ହୋଇପଡିଛି। ଯାହା ଫଳରେ ପରିବେଶ ପ୍ରଦୁଷିତ ହେଉଛି ଏବଂ ଏହା ଯଦି ଜାରି ରହେ ଭବିଷ୍ୟତରେ ମାନବ ସମାଜ ତିଷ୍ଠି ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ଡିଏଫଓ କହିଥିଲେ । ମାନବ ସମାଜ ଓ ପ୍ରକୃତି ପରିବେଶ ପରସ୍ପର ପରିପୂରକ। ମାନବ ସମାଜର ସମୃଦ୍ଧି ପାଇଁ ସୁସ୍ଥ ପରିବେଶ ନିହାତି ଆବଶ୍ୟକ । ଦୃତ ଜନସଂଖ୍ୟା ବୃଦ୍ଧି, ସହରୀକରଣ, ଶିଳ୍ପର ଅଭିବୃଦ୍ଧି ଏବଂ ବହୁଳ ପରିମାଣରେ ପ୍ଲାଷ୍ଟିକ୍ର ବ୍ୟବହାର ପରିବେଶ ପ୍ରତି ବିପଦ ସୃଷ୍ଟି କରିଛି। ଏଣୁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମସ୍ତେ ଶପଥ ନେବା ଦରକାର। ଶପଥ ନେଇ ସମାଜ ପ୍ରତି ନିଜର କର୍ତ୍ତବ୍ୟ ନିଭାଇବାକୁ ଆହ୍ୱାନ ଜଣାଇଥିଲେ । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ଶୀର୍ଷକ ‘ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ’ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରି ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାରକୁ ନିଷେଧ କରିବା ପାଇଁ ନିଜ ପରିବାରରୁ ଅଭିଯାନ ଆରମ୍ଭ କରିବାକୁ ନିବେଦନ କରିଥିଲେ। ଏତଦବ୍ୟତୀତ ଜିଲାର ୫ଟି ବ୍ଲକର ୫ଟି ଗ୍ରାମକୁ ଭର୍ମି ଭିଲେଜ୍ ଭାବେ ଡିଏଫଓ ଘୋଷଣା କରିବା ସହ ଏହା ପରିବେଶ ପ୍ରଦୂଷଣ ରୋକିବାରେ ସହାୟକ ହେବ ଏବଂ ମିଶନ ଶକ୍ତି ମା’ମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ଏହା ବିଶେଷ ସହାୟକ ହେବ ବୋଲି କହିଥିଲେ । ଅତିିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚିି ପ୍ରସାଦ ଦେହୁରୀ, ଆଇଏଏସ୍. ପ୍ରୋବେସନର ଧିମେନ୍ ଚକ୍ମା, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କୁମାର କର ପ୍ରମୁଖ ଯୋଗଦେଇ ପ୍ରଦୂଷଣମୁକ୍ତ ବିଶ୍ୱ ଗଠନ ଦିଗରେ ସମାଜର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ଆନ୍ତରିକତା, ମାନସିକତା ଏବଂ ଅନୁଶାସନ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ। ପ୍ରକୃତି ସହିତ ସ୍ନେହ, ଶ୍ରଦ୍ଧା ଓ ମମତା ରଖି ଏକ ସତ୍ୟ ଶିବ ସୁନ୍ଦର ବିଶ୍ୱ ଗଠନ କରିବାରେ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ପୃଷ୍ଠଭୂମି ଉପରେ ଆଲୋକପାତ କରିବା ସହ ପ୍ରଦୂଷଣମୁକ୍ତ ପରିବେଶ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ। ଜିଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ବରିଷ୍ଠ ନାଗରିକ ଇଂ ସୁରେଶ ଚନ୍ଦ୍ର ଖାଟୋଇଙ୍କ ସମେତ ଦୁଇଜଣ ଏନ୍ସିସି କ୍ୟାଡେଟ୍ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ୫ଜଣ ମିଶନ ଶକ୍ତି କର୍ମକର୍ତ୍ତା ଭର୍ମି ଭିଲେଜ୍ ସମ୍ପର୍କରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାଶ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୩ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ସହ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା କୁଇଜ୍ ପ୍ରତିଯୋଗିତାର ୬ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନର କର୍ମକର୍ତ୍ତା, ବନ ସୁରକ୍ଷା ସମିତି କର୍ମକର୍ତ୍ତା, ମିଶନ ଶକ୍ତି ସଦସ୍ୟା ଯୋଗ ଦେଇଥିଲେ।

Comments are closed.