ଓଡ଼ିଶାରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପ୍ରଭାବହୀନ

ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ

କଟକ : ସୋମବାର ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହେବାକୁ ଯାଉଛି। ଦେଶରେ ୨୦୧୧ ପରବର୍ତ୍ତୀ ସମୟରେ ଜନଗଣନା ହୋଇନଥିବାରୁ ଶିଶୁ ଶ୍ରମିକଙ୍କ ଠିକ ସଂଖ୍ୟା ସର୍ବସମ୍ମୁଖକୁ ଆସିପାରିନାହିଁ। ତେବେ ୨୦୧୧ର ଶେଷ ଜନଗଣନା ଆଧାରରେ ଦେଶରେ ଚଳିତ ବର୍ଷ ଶିଶୁ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୭.୮ ନିୟୁତ ହେବ ବୋଲି କୈଳାସ ସତ୍ୟାର୍ଥୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଫାଉଣ୍ଡେସନ ପକ୍ଷରୁ ‘ଶିଶୁ ଶ୍ରମିକଙ୍କ ବିସ୍ତାର ଏବଂ ଶିଶୁ ଶ୍ରମିକ (ନିରାକରଣ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୧୬ ଅଧୀନସ୍ଥ ମାମଲାଗୁଡିକରେ ଦଣ୍ଡବିଧାନ’ ଶୀର୍ଷକ ଏକ ରିପୋର୍ଟରେ କୁହାଯାଇଛି ଯେ ଏଡି ୭.୮ ନିୟୁତ ଶିଶୁ ଶ୍ରମିକଙ୍କ ମଧ୍ୟରେ ବାଳକଙ୍କ ଅଂଶ ୫୭% ଏବଂ ବାଳିକାଙ୍କ ଅଂଶ ୪୩% ରହିଛି। ଓଡ଼ିଶାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚଳିତ ବର୍ଷ ସୁଦ୍ଧା କେତେ ରହିଛି ତାହାର ଠିକ୍‌‌ ହିସାବ ନାହିଁ। ତେବେ ସେମାନଙ୍କ ସମ୍ପର୍କରେ ଶେଷଥର ପାଇଁ ୧୯୯୭ରେ ସର୍ବେକ୍ଷଣ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ରାଜ୍ୟରେ ୨.୧୫ ଲକ୍ଷ ଶିଶୁ ଶ୍ରମିକ ଥିବା ଦର୍ଶାଯାଇଥିଲା। ସେମାନଙ୍କ ମଧ୍ୟରେ ୧୨୧,୫୨୬ ଜଣ ବଙ୍କଳ ଏବଂ ୯୩,୬୯୬ ଜଣ ବାଳିକା ଥିଲେ। ୨୦୧୧ ଜନଗଣନାରେ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୩୩୪,୪୧୬ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ କୈଳାସ ସତ୍ୟାର୍ଥୀ ଫାଉଣ୍ଡେସନ ରିପୋର୍ଟ ଅନୁଯାୟୀ ଦେଶରେ ଥିବା ମୋଟ ଶିଶୁ ଶ୍ରମିକଙ୍କ ମଧ୍ୟରୁ ୧୦ଟି ରାଜ୍ୟରେ ୧୪% ଶିଶୁ ଶ୍ରମିକ ଅଛନ୍ତି। ଉକ୍ତ ଦଶଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଓଡ଼ିଶାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଅନେକ ଶିଶୁ ଶ୍ରମିକ କାର୍ଯ୍ୟ କରୁଛନ୍ତି।
ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସୂତ୍ର ଅନୁଯାୟୀ ଓଡ଼ିଶାରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କେବଳ ଏକ ସମସ୍ୟା ହୋଇ ରହିନାହିଁ, ସେମାନଙ୍କ ପୁନର୍ବାସ ଏବଂ ଏ କ୍ଷେତ୍ରରେ ଦାୟୀ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଦଣ୍ଡବିଧାନ ମଧ୍ୟ ଆଶାନୁରୂପ ହେଉନାହିଁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା ଦ୍ୱାରା ଶିଶୁ ଶ୍ରମିକ ଉଦ୍ଧାର ହେଉଥିଲେ ମଧ୍ୟ ସବୁ ମାମଲା ପୁଲିସ ନିକଟରେ ପହଞ୍ଚୁନାହିଁ। ରାଜ୍ୟ ଶ୍ରମ ବିଭାଗର ଏକ ହିସାବ ଅନୁଯାୟୀ ୨୦୨୦-୨୧ରେ ୬୨୫ଟି କାର୍ଯ୍ୟସ୍ଥଳରେ ଚଢଉ କରାଯାଇ ୩୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ୨୮ଜଣ ଦୋଷୀଙ୍କ ଉପରେ ଜୋରିମାନା କରାଯାଇଥିଲା। ୨୦୧୯-୨୦ରେ ୨୭୬୦ ସ୍ଥାନରେ ଚଢଉ କରାଯାଇ ୧୪୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା; କିନ୍ତୁ ସେ କ୍ଷେତ୍ରରେ ମାତ୍ର ୨୩ଜଣ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହୋଇଥିଲା। ପ୍ରତିବର୍ଷ ବ୍ରହ୍ମପୁର ଏବଂ ଭୁବନେଶ୍ୱର ଭଳି ରେଳଷ୍ଟେସନଗୁଡିକରେ ପ୍ରାୟ ୧ହଜାର ଶିଶୁଙ୍କୁ ଉଦ୍ଧାର କରାଯାଉଛି, ଯାହା ଶିଶୁ ଶ୍ରମିକର ଦୁଇ ପ୍ରମୁଖ ସ୍ଥଳ ପାଲଟିଛି। ଶିଶୁ ଶ୍ରମିକ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଉଭୟ ଆର୍ଥିକ ଦଣ୍ଡ ଓ କାରାଦଣ୍ଡ ଭଳି ବ୍ୟବସ୍ଥା ରହିଥିଲେ ମଧ୍ୟ କ୍ୱଚିତ କ୍ଷେତ୍ରରେ ଦୋଷୀଙ୍କ ବିରୋଧରେ ଆଖିଦୃଶିଆ ଦଣ୍ଡବିଧାନ ହେଉଥିବାରୁ ଅନେକ ବରାବର ଏହି ନିୟମ ଉଲ୍ଲଘଂନ କରିଚାଲିଛନ୍ତି। ବିଶେଷକରି କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ଏହି ସମସ୍ୟା ଅଧିକ ଜଟିଳ ରୂପ ଧାରଣ କରିଛି। ଓଡ଼ିଶାର ଉତ୍ତର ଓ ପଶ୍ଚିମାଞ୍ଚଳ ଜିଲାଗୁଡିକରୁ ପରିବାରଗୁଡିକ ଦାଦନ ଖଟିବାକୁ ରାଜ୍ୟ ଭିତରେ ଏବଂ ଅନ୍ୟ ରାଜ୍ୟକୁ ଯାଉଥିବାବେଳେ ସେମାନଙ୍କ ପିଲାମାନେ ସେଠାରେ ଇଟାଭାଟି ବା ସେହିଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବାକୁ ରାଜ୍ୟ ଶ୍ରମ ବିଭାଗ, ଶିଶୁ କଲ୍ୟାଣ ବିଭାଗ ଆଦି ମିଳିତ ଭାବରେ କାର୍ଯ୍ୟ କରୁଥିବାବେଳେ ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର ହେଉଥିବା କିଶୋର ଶ୍ରମିକଙ୍କ ପାଇଁ କୁଶଳତାର ବିକାଶ ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ବୈଷୟିକ ଶିକ୍ଷା ବିଭାଗର କୁଶଳତା ବିକାଶ ଶାଖା ସହିତ ମିଳିତ ଭାବରେ ପଦକ୍ଷେପ ନିଆଯାଉଛି। ଦାରିଦ୍ର୍ୟ ଏବଂ ଶିକ୍ଷାର ପ୍ରସାର କମ୍‌‌ ରହିବା ଭଳି କାରଣ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ଘଟାଉଥିବାବେଳେ ଏହି ତୃଣମୂଳସ୍ତର ବିଷୟଗୁଡିକ ପ୍ରତି ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦିଆଯିବା ଜରୁରୀ ଆବଶ୍ୟକତା ହୋଇଛି ବୋଲି ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି।

Comments are closed.