ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ
କେନ୍ଦୁଝରଗଡ : ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନରଣପୁରସ୍ଥିତ ଆଦୃତ ଶିଶୁ ଗୃହ ଠାରେ ସୋମବାର ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ଦିବସ-୨୦୨୩ ପରିପ୍ରେକ୍ଷୀରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ମାମୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିର ଉଦ୍ଘାଟନ କରିବା ଅବସରରେ ଶିଶୁ ଶ୍ରମିକ ବିରୋଧୀ ଆଇନ ସମ୍ପର୍କରେ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେବା ସହ ଏଥିପାଇଁ ଜଣେ ମା’ର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ । ଶିଶୁ ଶ୍ରମିକ ଭଳି ଘୃଣ୍ୟ ପ୍ରଥା ବିଶ୍ୱରୁ ଉଛେଦ ହୋଇପାରିଲେ ଶ୍ରମିକ ଭାବେ ନିୟୋଜିତ ପିଲାମାନେ ଦେଶର ବିକାଶରେ ସେମାନଙ୍କ ମାନସିକତାକୁ ଦୃଢ଼ କରିପାରିବା ସହ ଭବିଷ୍ୟତରେ ସେମାନେ ଜଣେ ଜଣେ ଉଜ୍ୱଳ ପ୍ରତିଭା ଭାବେ ଉଭା ହୋଇପାରିବେ ବୋଲି ସଚିବ ଶ୍ରୀମତୀ ବେହେରା କହିଥିଲେ । ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ନିମନ୍ତେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଅପରିହାର୍ଯ୍ୟ ବୋଲି କହିବା ସହ ଶିଶୁ ଶ୍ରମିକ ପ୍ରଥା ଶିଶୁ ମାନଙ୍କ ବିକାଶରେ ବାଧକ ସାଜିଛି ବୋଲି ସଚିବ ଶ୍ରୀମତୀ ବେହେରା କହିଥିଲେ । ତେଣୁ ଶିଶୁ ମାନଙ୍କ ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପ୍ରତି ସମାଜର ଗୁରୁ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ। ୬ ରୁ ୧୪ବର୍ଷ ପର୍ଯ୍ୟନ୍ତ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଗ୍ରହଣ ଭଳି ସାମ୍ବିଧାନିକ ଅଧିକାର ସମ୍ପର୍କରେ ସେ ସଚେତନ କରିଥିଲେ। ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ସ୍ୱାଗତ ଭାଷଣ ଅବସରରେ ଶିଶୁ ଶ୍ରମିକ ପ୍ରଥା ଉଛେଦ ପ୍ରକ୍ରିୟାରେ ଆଇନ ସେବା ପ୍ରାଧିକରଣର ଉଦ୍ଦେଶ୍ୟ ଏବଂ ସମ୍ବିଧାନରେ ଶିଶୁ ମାନଙ୍କ ଅଧିକାର ସମ୍ପର୍କିିତ ବିଭିନ୍ନ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଶିଶୁ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରମୋଦ ନନ୍ଦ ଯୋଗଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ସହ ଶିଶୁ ଶ୍ରମିକ ଉଦ୍ଧାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶେଷରେ ଆଦୃତ ଶିଶୁ ଗୃହର ସମ୍ପାଦକ ମାନସ ହେଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡାକ୍ତର ଶ୍ରୀ ନନ୍ଦ ସମସ୍ତ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଆବଶ୍ୟକ ଔଷଧ ଯୋଗାଇ ଦେଇଥିଲେ। ଏହି ଶିବିରରେ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ପ୍ୟାନେଲ ଅଧିବକ୍ତା, ପାରାଆଇନ ସ୍ୱେଛାସେବୀ ଯୋଗ ଦେଇଥିଲେ।
Comments are closed.