ଅହମ୍ମଦାବାଦ୍: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ଓ ପାକିସ୍ତାନ ପରସ୍ପରକୁ ୭ଥର ଭେଟିଛନ୍ତି।ସବୁ ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ପାକିସ୍ତାନ ହାତ ଖାଲି ରହିଛି। ମୋଟ ଉପରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦେଖିବାକୁ ଗଲେ ଦୁଇ ଦଳ ୧୩୪ଥର ମୁହଁାମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ଭାରତ ଠାରୁ ପାଦେ ଆଗରେ ରହିଛି। ପାକିସ୍ତାନ ୭୩ଟି ଓ ଭାରତ ୫୬ଟି ମ୍ୟାଚରେ ବିଜୟୀ ହୋଇଛି। ୫ଟି ମ୍ୟାଚ ବିନା ଫଇସଲାରେ ଶେଷ ହୋଇଛି।
୧୯୯୨ ବିଶ୍ବକପ ; ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୧୯୯୨ ବିଶ୍ବକପର ସିଡ୍ନୀରେ ଏକ ଲିଗ୍ ମ୍ୟାଚରେ ଭାରତ ୪୩ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ୨୧୬ରନ କରିଥିବାବେଳେ ପାକିସ୍ତାନ ୧୭୩ରନ କରିଥିଲା। ସଚିନ ତେନ୍ଦୁଲକର ୫୪ ଓ ଅଜୟ ଜାଡେଜା ୪୬ରନ କରିଥିବାବେଳେ କପିଳ ଦେବ, ମନୋଜ ପ୍ରଭାକର ଓ ଜାଭାଗଲ ଶ୍ରୀନାଥ ୨ଟି ଲେଖାଏଁ ୱିକେଟ ନେଇଥିଲେ।
୧୯୯୬ ବିଶ୍ବକପ ; ଉକ୍ତ ବିଶ୍ବକପର ବାଙ୍ଗାଲୋରର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ଭାରତ ୩୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଜୟ ଜାଡେଜା ଉକ୍ତ ମ୍ୟାଚରେ ୱାର୍କର ୟୁନସଙ୍କୁ ନିର୍ଦ୍ଧୁମ ପ୍ରହାର କରି ହିରୋ ପାଲଟି ଯାଇଥିଲେ। ନବଜ୍ୟୋତ ସିଂହ ସିଦ୍ଧୁ ୯୩ରନ କରି ମ୍ୟାନ ଅଫ୍୍ ଦି ମ୍ୟାଚ ବିବେଚିତ ହୋଇଥିଲେ।
୧୯୯୯ ବିଶ୍ବକପ : ଉକ୍ତ ବିଶ୍ବକପର ଓଲଡ୍ଟାର୍ଫଡରେ ସୁପର ସିକ୍ସ ମ୍ୟାଚରେ ଭାରତ ୪୭ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ୨୨୭ରନ କରିଥିବାବେଳେ ପାକିସ୍ତାନ ୧୮୦ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଆଝାରୁଦ୍ଧିନ ୫୯ ଓ ସଚିନ ତେନ୍ଦୁଲକର ୪୫ରନ କରିଥିବାବେଳେ ବୋଲିଂେର ଭେଙ୍କଟେସ ପ୍ରସାଦ ୫ଟି ୱିକେଟ ନେଇଥିଲେ।
୨୦୦୩ ବିଶ୍ବକପ : ଉକ୍ତ ବିଶ୍ବକପର ଲିଗ୍ ମ୍ୟାଚରେ ଭାରତ ୬ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ସେଞ୍ଚୁରିଆନରେ ଖେଳାଯାଇଥିବା ମ୍ୟାଚରେ ସଚିନ ତେନ୍ଦୁଲକର ୭୫ଟି ବଲରୁ ୯୮ରନ କରିବା ସହିତ ସୋଏବ୍ ଅଖତାର ଓ ୱାସିମ ଆକ୍ରମଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ। ପାକିସ୍ତାନ ପକ୍ଷରୁ ସୟଦ ଅନ୍ୱାର ୧୦୧ରନ କରିଥିଲେ।
୨୦୧୧ ବିଶ୍ବକପ ; ଉକ୍ତ ବିଶ୍ବକପର ମୋହାଲିରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ୨୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ସଚିନ ତେନ୍ଦୁଲକରଙ୍କ ୮୫ରନ ବଳରେ ୨୬୦ରନ କରିଥିଲା। ଜବାବରେ ପାକିସ୍ତାନ ୨୩୧ରନ କରିବାକୁ ସକ୍ଷମ ହୋଇଥିଲା। ମିସ୍ବା ଉଲ୍ ହକ୍ ୫୬ରନ କରିଥିଲେ।
୨୦୧୫ ବିଶ୍ବକପ ; ଉକ୍ତ ବିଶ୍ବକପର ଆଡିଲେଡ୍ରେ ଖେଳାଯାଇଥିବା ଲିଗ ମ୍ୟାଚରେ ଭାରତ ୭୬ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ବିରାଟ କୋହଲିଙ୍କ ୧୦୭ରନ ବଳରେ ୩୦୦ରନ କରିଥିଲା । ଜବାବରେ ପାକିସ୍ତାନ ୨୨୪ରନ କରିବାକୁ ସକ୍ଷମ ହୋଇଥିଲା। ପାକିସ୍ତାନ ପକ୍ଷରୁ ସୋହେଲ ଖାନ ୫ଟି ୱିକେଟ ନେଇଥିଲେ।
୨୦୧୯ବିଶ୍ବକପ ; ଉକ୍ତ ବିଶ୍ବକପର ଓଲଡ୍ଟାଫର୍ଡରେ ଖେଳାଯାଇଥିବା ଲିଗ ମ୍ୟାଚରେ ଭାରତ ଡକ୍ ୱଥ୍ ଲୁଇସ୍ ନିୟମ ଆଧାରରେ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୧୪୦, ବିରାଟ କୋହଲି ୭୭ ଓ ଲୋକେଶ ରାହୁଲ ୫୭ରନ କରିଥିଲେ।



