ମେଘା ସେକ୍ଟରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗତ ୭ଦିନ ବ୍ୟାପୀ ୮ଟି ପଞ୍ଚାୟତର ୩୩ଟି ଗାଁରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ସୋମବାର ବେଣ୍ଟପଦା ପଞ୍ଚାୟତର ରାଧାକାନ୍ତପାଟଣାଠାରେ ଏହା ଉଦ୍‌‌ଯାପିତ ହୋଇଯାଇଛି। ଉଦ୍‌‌ଯାପନୀ ଦିବସରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ କାର୍ଯ୍ୟକ୍ରମ ସଂଯୋଜନା କରି ମାଆ କ୍ଷୀର ଶିଶୁପାଇଁ ଏକ ସ୍ୱୟଂ ସଂପୂର୍ଣ୍ଣ ଆହାର ଏବଂ ମହିଳାମାନଙ୍କୁ ଶିଶୁଙ୍କୁ ସ୍ତନ୍ୟପାନ ପାଇଁ ଉତ୍ସାହିତ କରିବା ପରିବାର ସଦସ୍ୟଙ୍କର ନୈତିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ମାଆ କ୍ଷୀର ଖାଇବା ଦ୍ୱାରା ଶିଶୁକୁ ଆବଶ୍ୟକୀୟ ସଂପୂର୍ଣ୍ଣ ପୁଷ୍ଟି ମିଳିଥାଏ । ନବଜାତ ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ଉପଯୁକ୍ତ ପୋଷଣ ଅତ୍ୟନ୍ତ ଜରୁରୀ ଥିବାରୁ ଶିଶୁକୁ ସଠିକ୍‌‌ ଭାବେ ସ୍ତନ୍ୟପାନ କରାଇବା ଜରୁରୀ ବୋଲି ଶ୍ରୀ ଅସଲମ ବୁଝାଇଥିଲେ । ସ୍ତନ୍ୟପାନ ଦ୍ୱାରା ମାଆମାନଙ୍କର ସ୍ତନକର୍କଟ ଓ ଗର୍ଭାଶୟ କର୍କଟ ରୋଗର ସମ୍ଭାବନା ଯଥେଷ୍ଟ କମ୍‌‌ ଥାଏ । ଶିଶୁ ଜନ୍ମ ହେବା ପରେ କୁସଂସ୍କାର ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ତା’ର ଉପଯୁକ୍ତ ଅଭିବୃଦ୍ଧି ପାଇଁ ସ୍ତନ୍ୟପାନ କରାଇବା ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ସୁରେଖା ପ୍ରଧାନ, ସିଏଚଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଆଶାକର୍ମୀ ବାସନ୍ତି ରାଉଳ, ତିଳୋତ୍ତମା ସାହୁ, ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ସାହୁଙ୍କ ସମେତ ଉକ୍ତ ଗ୍ରାମର ବହୁ ମାଆ ଓ ଗର୍ଭବତୀ ମହିଳା ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟା ଯୋଗଦାନ କରିଥିଲେ । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାରେ ସମସ୍ତେ ଗ୍ରାମ ପରିକ୍ରମା କରିବା ସହ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଲାଗି ଶପଥ ପାଠ କରିଥିଲେ।

Comments are closed.