ବିଶ୍ୱ ସ୍ତନ୍ୟପାନ ସପ୍ତାହରେ ଜନସଚେତନତା କାର୍ଯ୍ୟକ୍ରମ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଓ ଧାଇପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୁଲ୍ୟରେ ଧାଇପୁରଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୪ଦିନ ବ୍ୟାପୀ ୮ଟି ପଞ୍ଚାୟତର ୩୩ଟି ଗାଁ କଲ୍ୟାଣ ସମିତି ଜରିଆରେ ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଧାଇପୁରଠାରେ ଉଦ୍‍ଯାପିତ ହୋଇଛି । ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ମାଆ କ୍ଷୀର ସଦ୍ୟଜାତ ଶିଶୁଙ୍କ ପାଇଁ ଏକ ସର୍ବୋତ୍ତମ ସନ୍ତୁଳିତ ଆହାର ଏବଂ ଏହାର ବିକଳ୍ପ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମତବ୍ୟକ୍ତ କରିଥିଲେ । ମାଆ କ୍ଷୀର ଖାଇବା ଦ୍ୱାରା ଶିଶୁକୁ ସଂପୂର୍ଣ୍ଣ ପୁଷ୍ଟି ମିଳିଥାଏ ଏବଂ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବହୁମାତ୍ରାରେ ବୃଦ୍ଧି ପାଇଥାଏ ବୋଲି ସେ କହିଥିଲେ । ପରିବାରର ସଦସ୍ୟ ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ମାଆ ମାନଙ୍କୁ ପୋତ୍ସାହିତ କରିବା ଆବଶ୍ୟକ । ନିୟମିତ ନିଜ ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଆମାନେ ଅନେକ ଦୁରାରୋଗରୁ ରକ୍ଷା ପାଇଥାନ୍ତି । ଶିଶୁକୁ ଜନ୍ମର ଏକ ଘଣ୍ଟା ପରେ ଏବଂ ୨ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଦରକାର ବୋଲି ଶ୍ରୀ ଅସଲମ କହିଥିଲେ । ଏହି କାର୍ଯ୍ୟକ୍ରମରେ ଧାଇପୁର ସରପଞ୍ଚ ମିନାକ୍ଷୀ ସାହୁ, ବ୍ରହ୍ମପୁର ସିଏଚସିର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତିଙ୍କ ସମେତ ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

kalyan agarbati

Comments are closed.