www.samajalive.in
Saturday, December 6, 2025
15.1 C
Bhubaneswar

ପୃଥିବୀର ଘୂର୍ଣ୍ଣନ ଗତି ଓ ସମୟ ଗଣନା

ଭୁବନେଶ୍ଵର: ପୃଥିବୀର ଦୁଇ ପ୍ରକାର ଗତି ଅଛି। ଆବର୍ତ୍ତନ ଗତି (ରୋଟେସନ) ଓ ସୂର୍ଯ୍ୟକୈନ୍ଦ୍ରିକ ପରିକ୍ରମଣ (ରିଭୋଲିଉସନ)। ଏଠାରେ ପୃଥିବୀର ଆବର୍ତ୍ତନ ଗତି ଅର୍ଥାତ୍‌ ନିଜ ଅକ୍ଷ ଚାରିପଟେ ଘୂର୍ଣ୍ଣନ ଗତି ଓ ସେଥି ସମ୍ପର୍କିତ ସମୟ ଗଣନା ବିଷୟରେ ଆଲୋଚନା କରାଯିବ। ପୃଥିବୀ ତା’ର କଳ୍ପିତ ଅକ୍ଷ ସାପେକ୍ଷରେ ପଶ୍ଚିମରୁ ପୂର୍ବକୁ ଘୂରି ଥାଏ। ଏହା ପୃଥିବୀର ଆବର୍ତ୍ତନ ଗତି। ଏହି ଆବର୍ତ୍ତନ ଯୋଗୁଁଁ ଦିନ ରାତି ହୋଇଥାଏ। ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୂରୁଥିବାରୁ ପୃଥିବୀବାସୀ ସୂର୍ଯ୍ୟକୁ ପୂର୍ବଦିଗରେ ଉଦିତ ହେବା ଦେଖିଥାଆନ୍ତି। ପୃଥିବୀର ଘୂର୍ଣ୍ଣନ ଯୋଗୁଁଁ ଏକ କାଳ୍ପନିକ ବଳ ତିଆରି ହୁଏ, ଏହାକୁ ‘କୋରିଓଲିସ ବଳ’ କୁହାଯାଏ। ବାୟୁ ଓ ଜଳପ୍ରବାହର ଗତିପଥ ଏହି ବଳ ଦ୍ୱାରା ପ୍ରଭାବିତ ହୋଇଥାଏ। ଘୂର୍ଣ୍ଣନ ଯୋଗୁଁଁ ପୃଥିବୀ ସମ୍ପୂର୍ଣ୍ଣ ଗୋଲାକାର ନ ହୋଇ ବିଷୁବରେଖାରେ କିଛି ପରିମାଣରେ ସ୍ଫୀତ ଓ ମେରୁ ଅଞ୍ଚଳରେ ଚେପା ଆକାର ଧାରଣ କରିଛି। ଏହି ଆକାର ହେଲା ‘ଚେପା ଉପଗୋଲକ’ (ଅବଲେଟ ସ୍ଫେରୋଏଡ)। ବିଷୁବ ରେଖା ଅଞ୍ଚଳରେ ପୃଥିବୀର ଘୂର୍ଣ୍ଣନ ତୀବ୍ରତା ସବୁଠୁ ବେଶି। ଏହି ଅଞ୍ଚଳରେ ପୃଥିବୀ ପୃଷ୍ଠସ୍ଥିତ ଗୋଟିଏ ବିନ୍ଦୁ ପ୍ରତି ଘଣ୍ଟାରେ ପ୍ରାୟ ୧୬୭୦ କିମି ବେଗରେ ଘୂରିଥାଏ। ପୃଥିବୀ ଘୂର୍ଣ୍ଣନର ପ୍ରମାଣ ‘ଫୁକୋ ପେଣ୍ଡୁଲମ’ରୁ ଜଣାପଡ଼େ। ଭୂସ୍ଥିର ଉପଗ୍ରହ ବ୍ୟବହାର କରି ପୃଥିବୀର ଘୂର୍ଣ୍ଣନ ପ୍ରମାଣିତ ହୋଇଛି। ଉପଗ୍ରହ ଚିତ୍ର ଓ ମହାକାଶଚାରୀଙ୍କ ପର୍ଯ୍ୟବେକ୍ଷଣରୁ ମଧ୍ୟ ଏହା ନିଶ୍ଚିତ କରାଯାଇଛି। ଗୋଟିଏ ସମ୍ପୂର୍ଣ୍ଣ ଆବର୍ତ୍ତନ ସମ୍ପନ୍ନ କରିବାକୁ ପୃଥିବୀ ସମୟ ନିଏ ପ୍ରାୟ ୨୩ ଘଣ୍ଟା ୫୬ ମିନିଟ ୪ ସେକେଣ୍ଡ, ଯାହାକୁ କୁହାଯାଏ ‘ସିଡେରିୟାଲ ଦିନ’ (ନାକ୍ଷତ୍ରିକ ଦିନ)। କିନ୍ତୁ ସାଧାରଣ ଭାବେ ଯାହାକୁ ଦିନ କୁହାଯାଏ, ଅର୍ଥାତ୍‌ ସୂର୍ଯ୍ୟୋଦୟରୁ ସୂର୍ଯ୍ୟୋଦୟ ଯାଏ, ଏହି ସମୟର ଅବଧି ପ୍ରାୟ ୨୪ ଘଣ୍ଟା, ତାହା ହେଲା ଏକ ‘ସୌର ଦିନ’। ସମୟ ଗଣନାର ସୁବିଧା ଦୃଷ୍ଟିରୁ ଏହି ୨୪ ଘଣ୍ଟାକୁ ମାପକାଠି କରାଯାଇଛି।
ଆଧୁନିକ ସମୟ ଗଣନା କରାଯାଇଥାଏ ‘ପାରମାଣବିକ ଘଡ଼ି’ ଦ୍ୱାରା ଯାହା ଅତ୍ୟନ୍ତ ନିର୍ଭୁଲ। ପୃଥିବୀର ଘୂର୍ଣ୍ଣନବେଗ କେତେବେଳେ ଟିକିଏ ଧୀର ବା କେତେବେଳେ ଟିକିଏ ଦ୍ରୁତ ହୋଇଥାଏ। ଏଥି ଯୋଗୁଁଁ ଦିନର ସମୟ ଅବଧିରେ ମିଲିସେକେଣ୍ଡର ତାରତମ୍ୟ ହୁଏ। ତେଣୁ ଏହି ଦୁଇ ଭିତରେ ସାମଞ୍ଜସ୍ୟ ରଖିବା ପାଇଁ ବେଳେବେଳେ ସମୟ ଗଣନାରେ ୧ ସେକେଣ୍ଡ ଯୋଗ କରାଯାଇଥାଏ। ଏହାକୁ କୁହାଯାଏ ‘ଲିପ ସେକେଣ୍ଡ’ (ଅଧି ସେକେଣ୍ଡ)। ଯେମିତି ୨୦୧୬ରେ ଶେଷଥର ପାଇଁ ଏକ ‘ପଜିଟିଭ ଲିପ ସେକେଣ୍ଡ’ ଯୁକ୍ତ କରାଯାଇଥିଲା କାରଣ ସେତେବେଳେ ପୃଥିବୀ ଟିକିଏ ଧୀରେ ଘୂରୁଥିଲା। ଆଉ ପୃଥିବୀ ଯଦି ସ୍ୱାଭାବିକ ତୁଳନାରେ ଦ୍ରୁତ ଘୂରିବ, ତେବେ ଘଡ଼ିର ସମୟ ଠାରୁ ପ୍ରକୃତ ‘ସୌର ସମୟ’ ଆଗ ହୋଇଯିବ। ସେତେବେଳେ ଘଡ଼ିର ସମୟକୁ ମିଳାଇବା ପାଇଁ ୧ ସେକେଣ୍ଡ କମେଇବା ପ୍ରୟୋଜନ ହୋଇ ପାରେ। ଏହାକୁ କୁହାଯାଏ ‘ନେଗେଟିଭ ଲିପ ସେକେଣ୍ଡ’।
ସାମ୍ପ୍ରତିକ ଗବେଷଣାରୁ ଦେଖା ଯାଇଛି ପୃଥିବୀ କିଛି ଦିନରେ ଟିକିଏ ଦ୍ରୁତ ଘୂରୁଛି, ତେଣୁ ସେହି ଦିନର ଦୈର୍ଘ୍ୟ ଟିକିଏ କମ୍‌ ହୁଏ। ୨୦୨୦ ମସିହାର ୧୯ ଜୁଲାଇ ଥିଲା ଏ ଯାଏଁ ସବୁଠାରୁ କ୍ଷୁଦ୍ର ଦିନ। ସେହି ଦିନ ପୃଥିବୀ ତା’ ଅକ୍ଷ ଚାରିପଟେ ଥରେ ଘୂରିବା ପାଇଁ ୧.୪୬ ମିଲିସେକେଣ୍ଡ କମ୍‌ ସମୟ ନେଇଥିଲା। ସେହିପରି ଏହି ବର୍ଷ ଜୁଲାଇ ୯ ତାରିଖରେ ମଧ୍ୟ ପୃଥିବୀ ଦ୍ରୁତ ଘୂରିଥିଲା। ବୈଜ୍ଞାନିକଙ୍କ ଆକଳନ ଅନୁସାରେ ଏହି ବର୍ଷ ଜୁଲାଇ ୨୨ (ଆଜି) ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ପୃଥିବୀ ଦ୍ରୁତ ଘୂରିବ। ସେହି ଦିନଗୁଡ଼ିକରେ ଦିନର ସମୟ ୧.୩ରୁ ୧.୫୧ ମିଲିସେକେଣ୍ଡ ଯାଏ ହ୍ରାସ ପାଇବ।
ପୃଥିବୀ ହଠାତ୍‌ ଦ୍ରୁତ ଘୂରିବାର କ’ଣ କାରଣ ହୋଇପାରେ ? ଏହାର କେତେଗୁଡ଼ିଏ ସମ୍ଭାବ୍ୟ କାରଣର କଥା କୁହାଯାଉଛି। ଭୂମିକମ୍ପ ବା ଆଗ୍ନେୟଗିରିର ଅଗ୍ନ୍ୟିତ୍ପାତ ଭଳି ଘଟଣାରେ ଭୂତ୍ୱକରେ ହଲଚଲ ସୃଷ୍ଟି ହୋଇଥାଏ, ଏଥି ପାଇଁ ପୃଥିବୀର ବସ୍ତୁତ୍ୱ ବିନ୍ୟାସ ବଦଳି ପାରେ। ସେହିପରି ବିଶ୍ୱ ଉଷ୍ମାୟନ (ଗ୍ଲୋବାଲ ୱର୍ମିଂ) କାରଣରୁ ମେରୁ ଅଞ୍ଚଳରେ ବରଫ ତରଳିବା ଯୋଗୁଁଁ ମଧ୍ୟ ପୃଥିବୀର ବସ୍ତୁତ୍ୱବିନ୍ୟାସ ପରିବର୍ତ୍ତିତ ହେଉଛି। ଚନ୍ଦ୍ରର ପ୍ରଭାବ ଓ ଜୁଆର-ଭଟ୍ଟା ପାଇଁ ପୃଥିବୀ ଓ ଚନ୍ଦ୍ର ମଧ୍ୟର ଆକର୍ଷଣ ବଳ ପୃଥିବୀର ଘୂର୍ଣ୍ଣନକୁ ଧୀର ବା ଦ୍ରୁତ କରିପାରେ। ବାୟୁପ୍ରବାହ ଓ ସମୁଦ୍ରର ସ୍ରୋତ ମଧ୍ୟ ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରି ପାରେ।
୨୦୨୫ ବା ୨୦୨୬ରେ ଯଦି ପୃଥିବୀ ଆହୁରି ଦ୍ରୁତ ଘୂରେ, ତା’ହେଲେ ପ୍ରଥମ କରି ‘ନେଗେଟିଭ ଲିପ ସେକେଣ୍ଡ’ର ପ୍ରୟୋଜନ ହୋଇ ପାରେ। ସେଥିପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ହେଉଛନ୍ତି। ଆମର ଦୈନନ୍ଦିନ ଜୀବନରେ ଏହାର କୌଣସି ପ୍ରଭାବ ନାହିଁ। ମାତ୍ର ବୈଜ୍ଞାନିକଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ‘କମ୍ପ୍ୟୁଟର ନେଟୱାର୍କ’, ‘ଇଣ୍ଟରନେଟ ସର୍ଭର’, ‘ସ୍ୟାଟେଲାଇଟ ସିଷ୍ଟମ’, ‘ଜିପିଏସ’- ସବୁକିଛି ଅତ୍ୟନ୍ତ ନିର୍ଭୁଲ ସମୟ ଅନୁସାରେ ଚାଲିଥାଏ। ହଠାତ୍ ଏକ ସେକେଣ୍ଡ କମିଗଲେ ଅନେକ ବଡ଼ ବିଭ୍ରାଟ ହେବାର ସମ୍ଭାବନା ଅଛି, ତେଣୁ ଏହା ଏକ ପ୍ରଯୁକ୍ତିଗତ ଆହ୍ୱାନ। ପୃଥିବୀର ଘୂର୍ଣ୍ଣନ ଗତି ସହିତ ଆମ ସମୟ ଧାରଣା ସମ୍ପର୍କିତ। ପୃଥିବୀ ଦ୍ରୁତ ଘୂରିଲେ ଘଡ଼ିର ସମୟ ସହିତ ‘ସୌର ସମୟ’ ମିଳେଇବା ପାଇଁ ‘ନେଗେଟିଭ ଲିପ ସେକେଣ୍ଡ’ ବ୍ୟବହାରର ପ୍ରୟୋଜନ ହୋଇପାରେ। ପ୍ରକୃତି ଓ ପ୍ରଯୁକ୍ତିର ସମନ୍ୱୟ ସାଧନର ଏହା ଏକ ଚମତ୍କାର ଦୃଷ୍ଟାନ୍ତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories