ନୂଆଦିଲ୍ଲୀ : ଭାରତ ତଥ୍ୟ ସୁରକ୍ଷା ସହ କୌଣସି ସାଲିସ କରିବ ନାହିଁ ଓ ହ୍ୱାଟସ୍ଆପ୍ ଭଳି ସାମାଜିକ ଗଣମାଧ୍ୟମରେ ସନ୍ଦେଶ ପ୍ରେରଣର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସରକାର କହିଛନ୍ତି ।
ରାଜ୍ୟସଭାରେ ଏକ ଧ୍ୟାନଆକର୍ଷଣକାରୀ ପ୍ରସ୍ତାବରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଗୋଟିଏ ହେଲେ ବି ଏଫ୍ଆଇଆର୍ ରୁଜୁ ହୋଇନାହିଁ କିମ୍ବା ତାଙ୍କ ମନ୍ତ୍ରଣାଳୟ ପାଖକୁ ଗୋଟିଏ ମଧ୍ୟ ଅଭିଯୋଗ ଆସିନାହିଁ । ହ୍ୱାଟସ୍ଆପ୍ ମାଧ୍ୟମରେ କିଛି ବ୍ୟକ୍ତିଙ୍କର ଫୋନ୍ ଡାଟା ସ୍ପାଏଓୟାର୍ ପିଗାସସ୍ ଦ୍ୱାରା ବ୍ୟବହାର କରାଯିବା ଉପରେ ଏହି ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଗତ ହୋଇଥିଲା । ମନ୍ତ୍ରୀ କହିଛନ୍ତି, ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସନ୍ଦେଶ ପ୍ରେରଣର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ଆଇଟି ଆଇନରେ ପର୍ଯ୍ୟାପ୍ତ ବ୍ୟବସ୍ଥାମାନ ରହିଛି।
ଶ୍ରୀ ପ୍ରସାଦ କହିଛନ୍ତି, ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିମାନ ନିର୍ଦ୍ଧାରଣ କରାଯାଇଛି, ଯାହାକୁ ନିରାପତ୍ତା ସଂସ୍ଥାଗୁଡ଼ିକ କଡ଼ାକଡ଼ି ଭାବେ ବ୍ୟବହାର କରୁଛନ୍ତି ଓ ଦେଶର ସାର୍ବଭୌମ୍ୟ ତଥା ଏକତାର ସୁରକ୍ଷା କରିପାରୁଛନ୍ତି। ଏହି ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧିତିଗୁଡ଼ିକୁ ଦେଶର ସ୍ୱାର୍ଥ ପାଇଁ କଡ଼ାକଡ଼ି ଭାବେ ପାଳନ ହେବା ଉଚିତ୍ ବୋଲି ସେ ଗୁରୁତ୍ୱାରୋପ କରି କୌଣସି ଅବୈଧ ହସ୍ତକ୍ଷେପ ହୋଇନଥିବାର ସ୍ପଷ୍ଟିକରଣ ଦେଇଛନ୍ତି। ଗୁପ୍ତଚରଗିରି ପ୍ରସଙ୍ଗ ଉପରେ ମନ୍ତ୍ରୀ କହିଛନ୍ତି, CERT-IN ଇସ୍ରାଏଲ୍ ଭିତ୍ତିକ NSO କମ୍ପାନୀକୁ ଗତ ୨୬ ତାରିଖରେ ଏକ ନୋଟିସ୍ ଜାରି କରି ସେହି ମାଲ୍ଓୟାର୍ ଓ ଭାରତର ଗ୍ରାହକମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ବିସ୍ତୃତ ତଥ୍ୟ ମାଗିଛି। ତଥ୍ୟ ଓ ସୁରକ୍ଷା ବିଲ୍ ସଂକ୍ରାନ୍ତରେ ବିରୋଧୀଦଳଗୁଡ଼ିକର ପ୍ରଶ୍ନଗୁଡ଼ିର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଏ ଦିଗରେ କାର୍ଯ୍ୟ ସଠିକ୍ ପଥରେ ଅଗ୍ରସର ହେଉଛି ଓ ଏ ସମ୍ବନ୍ଧୀୟ ଆଇନ୍ ଅତ୍ୟନ୍ତ କଡ଼ାକଡ଼ି ହେବ।



