ପଶ୍ଚିମଘାଟ ପରିବେଶ ଧ୍ୱଂସ ଜଳପ୍ରଳୟର ମୁଖ୍ୟ କାରଣ
ନୂଆଦିଲ୍ଲୀ : କେରଳରେ ପ୍ରବଳ ବର୍ଷା ଏବଂ ତଦ୍ଜନିତ ବର୍ଷା କିଛି ନୂଆ କଥା ନୁହେଁ; କିନ୍ତୁ ଚଳିତଥର ରାଜ୍ୟରେ ଯେଭଳି ଜଳପ୍ରଳୟ ସୃଷ୍ଟି ହୋଇଛି ତାହା ଶତାବ୍ଦୀର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ। ଚଳିତଥର ପଶ୍ଚିମଘାଟ ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ କ୍ଷେତ୍ର (ଇଏସ୍ଜେଡ୍) ଅଧୀନ ବହୁ ଅଞ୍ଚଳ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ଭୟାବହ ହୋଇପଡିଛି। ଏହା ପଶ୍ଚିମଘାଟ ବିଶେଷଜ୍ଞ ପରିବେଶ କମିଟି (ଡବ୍ଲ୍ୟୁଜିଇଇପି) ରିପୋର୍ଟରେ ଉଲ୍ଲେଖ ରହିଛି। ଭୂ-ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ କେରଳର ସର୍ବାଧିକ କ୍ଷତିଗ୍ରସ୍ତ ୱାୟାନାଡ ଏବଂ ଇଡୁକି ସମେତ ମୁନ୍ନାର, ଥାମାରାସେରୀ, ବିଥିରି ଏବଂ ଥିରୁବାମ୍ବାଡିକୁ ଇଏସ୍ଜେଡ୍ ଅଧୀନ କ୍ଷେତ୍ର ବୋଲି ଦର୍ଶାଯାଇଛି। ଇଏସ୍ଜେଡ୍ ଅଧୀନରେ ତିନୋଟି ଜୋନ୍ ରହିଥିବା ବେଳେ ପ୍ରଥମଟିରେ ୧୫ଟି, ଦ୍ୱିତୀୟ ଜୋନ୍ରେ ଦୁଇଟି ଏବଂ ତୃତୀୟ ଜୋନ୍ରେ ୫ଟି ତାଲୁକା ରହିଛି। ଇଡୁକି ଜିଲା ପ୍ରଥମ ଜୋନ୍ରେ ଥିବା ତାଲୁକା ମଧ୍ୟରେ ଶୀର୍ଷରେ ରହିଛି। ଜୋନ୍-୧ ସମ୍ପୂର୍ଣ୍ଣ ବନାଞ୍ଚଳ ହୋଇଥିବା ବେଳେ ତାହା ପଶ୍ଚିମ ଘାଟର ଅତି ନିକଟବର୍ତ୍ତୀ। ଏଠାରେ କୃଷି ଭଳି ଅନ୍ୟାନ୍ୟ କାର୍ଯ୍ୟ ନିଷେଧ। ତଥାପି ଏଠାରେ ଜନବସତି ବୃଦ୍ଧିପାଇବାରେ ଲାଗିଛି। ସେହିଭଳି ଜୋନ୍-୨ରେ ବହୁ ସଂଖ୍ୟକ ହୋଟେଲ ଏବଂ ରିସୋର୍ଟ ଗଢି ଉଠିଛି ଏବଂ ଜୋନ୍-୩ରେ କୃଷି ଭିନ୍ନ ଅନ୍ୟ କାର୍ଯ୍ୟ ପାଇଁ ଜମି ବ୍ୟବହାର କରାଯାଉଛି। ଡବ୍ଲ୍ୟୁଜିଇଇପି କମିଟି ମୁଖ୍ୟ ମାଧବ ଗାଡ଼ଗିଲ କହିଛନ୍ତି, ପରିବେଶ ଦୃଷ୍ଟିକୋଣରୁ ସମ୍ବେଦନଶୀଳ କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ନୀତିନିୟମ ପାଳନ କରିବାକୁ ହେବ; ଅନ୍ୟଥା ଏହି ଅଞ୍ଚଳ ଏକ ତାସ୍ଘର ଭଳି ଭୁଶୁଡିପଡିବ। ଏହି ଅଞ୍ଚଳର ସୁରକ୍ଷା କରା ନ ଗଲେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଜୀବନ ଓ ଜୀବିକା ନଷ୍ଟ ହେବ ବୋଲି ସେ ଦର୍ଶାଇଛନ୍ତି। ଏହି ଅଞ୍ଚଳ କେରଳବାସୀଙ୍କ ପାନୀୟଜଳର ପ୍ରମୁଖ ଉତ୍ସ। ଏହାକୁ ଦୃଷ୍ଟିରେ ରଖି ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ଏହି ଅଞ୍ଚଳର ପୁନରୁଦ୍ଧାର କରିବା ଦରକାର ବୋଲି କମିଟିର ଅନ୍ୟତମ ସଦସ୍ୟ ଭି. ଏସ୍. ବିଜୟନ୍ କହିଛନ୍ତି।