ନିକଟରେ ଇଂଲଣ୍ଡ, କାନାଡା, ଅଷ୍ଟ୍ରେଲିଆ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଘଟଣା, ଦଶନ୍ଧି ଧରି ଆମେରିକା ନେତୃତ୍ୱରେ ଚାଲିଆସୁଥିବା ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଐକ୍ୟକୁ ଭାଙ୍ଗି ଦେଇଛି। ଯେତେବେଳେ ପ୍ୟାରିସ୍, ଲଣ୍ଡନ, ଅଟାୱା ଏବଂ କାନବେରା ପାେଲଷ୍ଟାଇନ ସମସ୍ୟାର ସମାଧାନ ପାଇଁ ଚାପ ପକାଉଛନ୍ତି, ୱାଶିଂଟନ୍, ବର୍ଲିନ୍ ଏବଂ ରୋମ୍ ଏଥିରୁ ଦୂରେଇ ରହୁଛନ୍ତି। ଆମେରିକା, ଯିଏ ଦୀର୍ଘ ଦିନ ଧରି ନିଜକୁ “ସଚ୍ଚୋଟ ମଧ୍ୟସ୍ଥ” ବୋଲି ଦାବି କରିଆସୁଛି, ଇସ୍ରାଏଲକୁ ସାମରିକ ସହାୟତା ଏବଂ ଜାତିସଂଘ ଭିଟୋ ମାଧ୍ୟମରେ ସୁରକ୍ଷା ଦେଇ ସମସ୍ୟାକୁ ନିରନ୍ତର ବଢାଇଚାଲିଛି। ତେବେ ବିଶ୍ବଶାନ୍ତି ପରିେପ୍ରକ୍ଷୀରେ ଆେମରିକାର ପ୍ରଭାବକୁ ରୋକିବା ଦିଗରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ପାଲେଷ୍ଟାଇନକୁ ମାନ୍ୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଇସ୍ରାଏଲର ନୀତି ପ୍ରତି ବଢୁଥିବା ଅସନ୍ତୋଷକୁ ପ୍ରତିଫଳିତ କରେ। ବେଲଜିୟମ୍, ସାଉଦି ଆରବ, ଲକ୍ସମବର୍ଗ, ମାଲ୍ଟା ଏବଂ ଅନ୍ୟ କିଛି ଦେଶ ମଧ୍ୟ ପାଲେଷ୍ଟାଇନକୁ ସ୍ୱୀକୃତି ଦେଇଛନ୍ତି। ସର୍ବଶେଷ ତଥ୍ୟ ଅନୁସାରେ ୨୦୨୫ ସେପ୍ଟେମ୍ବର ସୁଦ୍ଧା ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୮୦% ବା ୧୫୬ ଦେଶ ପାଲେଷ୍ଟାଇନକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ମାନ୍ୟତା ଦେଇଛନ୍ତି। ଏଥି ସହିତ ପାଲେଷ୍ଟାଇନ ଜାତିସଙ୍ଘର ଏକ ଅଣସଦସ୍ୟ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଏହା ଛଡ଼ା ଜି-୨୦ର ଭାରତ ସମେତ ୧୪ ସଦସ୍ୟ ପାଲେଷ୍ଟାଇନକୁ ମାନ୍ୟତା ଦେଇଥିବାବେଳେ ଜାପାନ, ଜର୍ମାନୀ, ଇଟାଲୀ, ଦକ୍ଷିଣ କୋରିଆ ଓ ଆମେରିକା ଏହାକୁ ମାନ୍ୟତା ଦେଇନାହାନ୍ତି। ସାଉଦି ଆରବ ମଧ୍ୟ ସମର୍ଥନ ଘୋଷଣା କରିଥିବାବେଳେ, ୟୁରୋପୀୟ ୟୁନିଅନ୍ ଗାଜା ପାଇଁ ଏକ ପୁନର୍ଗଠନ ପାଣ୍ଠି ପ୍ରସ୍ତୁତ କରୁଛି।
୨୦୨୩ ଅକ୍ଟୋବର ୭ରେ ହମାସର ନୃଶଂସ ଆକ୍ରମଣ ପରଠାରୁ ଇସ୍ରାଏଲ୍ ଯୁଦ୍ଧ ଜାରି ରଖିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏ ଯାବତ୍ ୬୫,୦୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳ ଧ୍ୱଂସ ହୋଇଥିବାବେଳେ ସେଠାରେ ଦୁର୍ଭିକ୍ଷ ଘୋଷଣା କରାଯାଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନଧାରଣ ମଧ୍ୟ ଅନିଶ୍ଚିତତା ଭିତରେ ରହିଛି। ତେବେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ପାଲେଷ୍ଟାଇନକୁ ମାନ୍ୟତା ଦେବା ଇସ୍ରାଏଲ୍ ପାଇଁ କ୍ରୋଧର କାରଣ ହୋଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ “ସନ୍ତ୍ରାସବାଦ ପାଇଁ ପୁରସ୍କାର” ବୋଲି କହିଛନ୍ତି। ଏହା ସତ୍ତ୍ବେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଏହି ପଦକ୍ଷେପକୁ ବିଶ୍ବଶାନ୍ତି ଦିଗରେ ଏକ ବଡ ପ୍ରୟାସ ବୋଲି ମନେ କରାଯାଉଛି। ଏ କଥା ସତ୍ୟ ଆଧୁନିକ ରାଷ୍ଟ୍ର ଗଠନ ପାଇଁ ପ୍ରଭାବଶାଳୀ ଆଞ୍ଚଳିକ ନିୟନ୍ତ୍ରଣ, ସୁରକ୍ଷିତ ସୀମା, କାର୍ଯ୍ୟକ୍ଷମ ଶାସନ ଏବଂ ଅର୍ଥନୈତିକ କ୍ଷମତା ଆବଶ୍ୟକ। ଏହି ସମସ୍ତ କ୍ଷେତ୍ରରେ, ପାଲେଷ୍ଟାଇନ ଇସ୍ରାଏଲର ପ୍ରାଧାନ୍ୟ ଏବଂ ଆମେରିକାର ରାଜନୈତିକ ଢାଲ ଦ୍ୱାରା ପ୍ରତିବନ୍ଧିତ। ଜାତିସଂଘ ସୁରକ୍ଷା ପରିଷଦରେ ୱାଶିଂଟନର ଭିଟୋ କ୍ଷମତା, ଇସ୍ରାଏଲର ଗ୍ୟାରେଣ୍ଟର ଭାବରେ ଏହାର ଅପରିହାର୍ଯ୍ୟ ଭୂମିକା ଏବଂ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପ୍ରତି ଏହାର ଅନାଗ୍ରହ ଅର୍ଥ ହେଉଛି ଯେ ଆମେରିକାର ସମ୍ମତି ବିନା, ଅନ୍ୟମାନଙ୍କ ଦ୍ୱାରା ମାନ୍ୟତା କେବଳ ଏକ ଘୋଷଣା ହୋଇ ରହିଯିବ, ବାସ୍ତବ ରୂପ ନେଇ ପାରିବ ନାହିଁ। କେହି କେହି ଯୁକ୍ତି କରନ୍ତି ଯେ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ପାଇଁ ପ୍ରକୃତ ସୁଯୋଗ ୟାସର ଆରାଫତଙ୍କ ସମୟରେ ହାତଛଡ଼ା ହୋଇଥିଲା। ଏବେ ଆରବ ରାଷ୍ଟ୍ରଗୁଡ଼ିକ ଜଗି ରଖି ମନ୍ତବ୍ୟ ଦେଉଥିଲେ ହେଁ ସେମାନେ ଦୀର୍ଘ ଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରିଆସିଛନ୍ତି। ବାସ୍ତବରେ, ମାନ୍ୟତା ଏକ ଶେଷ ରେଖା ନୁହେଁ ବରଂ ଏକ କୂଟନୈତିକ କୌଶଳ। ଏହା ଫଳପ୍ରଦ ହେବା ପାଇଁ, ପାଲେଷ୍ଟାଇନ ଗୋଷ୍ଠୀଗୁଡ଼ିକୁ ଏକାଠି ହେବାକୁ ପଡିବ। ଇସ୍ରାଏଲର ସୁରକ୍ଷା ଏବଂ ସୀମା ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ଆମେରିକାକୁ ବାକ୍ ସମର୍ଥନରୁ ବାହାରି ଏ ଦିଗରେ ଆଗକୁ ବଢିବାକୁ ପଡିବ। ମାନ୍ୟତା ଏକ ସୁଯୋଗ ସୃଷ୍ଟି କରେ; କିନ୍ତୁ ଗଠନମୂଳକ ପରିବର୍ତ୍ତନ ବିନା ପାଲେଷ୍ଟାଇନ କାଗଜପତ୍ରରେ ଏକ ରାଜ୍ୟ ହୋଇ ରହିବ, ବାସ୍ତବରେ ନୁହେଁ।



