ଇଂଲଣ୍ଡରେ ସେ ସମୟରେ ସପ୍ତମ ଏଡ୍ୱାର୍ଡ ଶାସନ କରୁଥାନ୍ତି। ଏକ ଅଭାବନୀୟ ଘଟଣା କ୍ରମରେ ତାଙ୍କୁ ଇଂଲଣ୍ଡର ମୁଖ୍ୟ ନ୍ୟାୟାଧୀଶଙ୍କ ସମ୍ମୁଖରେ ଅପରାଧୀ ଭାବରେ ଠିଆ ହେବାକୁ ପଡ଼ିଥିଲା। ରାଜା ଆପଣା ଅପରାଧର ସମ୍ପୂର୍ଣ୍ଣ ବିବରଣୀ ଦେଇ ଉଚିତ ଶାସ୍ତିବିଧାନ ନିମନ୍ତେ ପ୍ରାର୍ଥନା କରିଥିଲେ। ନ୍ୟାୟାଧୀଶ ସମ୍ରାଟଙ୍କଠାରୁ ସକଳ କଥା ଜାଣିବା ପରେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ସ୍ଥିର କରି ପାରିନଥିଲେ ତାଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ। ସମୁଚିତ ଦଣ୍ଡ ନଦେଇ ଏହି ମାମଲାକୁ କୌଣସି ପ୍ରକାରେ ରଫା କରି ହେବନି ବୋଲି ବିଚାରପତି ନିଶ୍ଚିତ ଥିଲେ। ମାମଲା ଖୋଦ୍ ସମ୍ରାଟଙ୍କ ସମ୍ପର୍କିତ, ଅତି ସ୍ପର୍ଶକାତର, ତେଣୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଏକ ବିେଶଷ ରୀତିରେ କରାଯିବା ଉଚିତ। ଏହା ମନରେ ଆଣି ମତ ଦେଇଥିଲେ- ଏହି ମାମଲା ଇଂରେଜ ଶାସନାଧୀନ (ଇଂରେଜ ଉପନିବେଶ ସହିତ) ସବୁ ନ୍ୟାୟାଧୀଶଙ୍କ ନିକଟକୁ ପଠାଯିବ। ସଂଖାଗରିଷ୍ଠ ମତ ଭିତ୍ତିରେ ଦଣ୍ଡବିଧାନ କରାଯିବ।
ନିର୍ଦ୍ଧାରିତ ସମୟ ମଧ୍ୟରେ ବିଚାରପତିମାନେ ସେମାନଙ୍କ ମତ ମୁଖ୍ୟ ନ୍ୟାୟାଧୀଶଙ୍କ ନିକଟକୁ ପଠାଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଏହା ଥିଲା ଯେ ସମ୍ରାଟଙ୍କ ଚକ୍ଷୁଶୂଳ ହେବା ଭୟରେ ନ୍ୟାୟାଧୀଶମାନେ କ୍ଷମା ପ୍ରଦାନ ସପକ୍ଷରେ ମତ ଦେଇଥିଲେ। ପରାଧୀନ ଭାରତବର୍ଷର ଏହି ଘଟଣା ଥିଲା। ସେ ସମୟରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଥିଲେ ସାର୍. ବି. ମୁଥୁସ୍ବାମୀ। ମୁଥୁସ୍ବାମୀ ତାଙ୍କର ସୁଚିନ୍ତିତ ମତ ପ୍ରଦାନ କରି ଲେଖିଥିଲେ- ‘ଆମେ ଭୁଲିଯିବା ଉଚିତ ନୁହେଁ ଯେ ମାମଲା ସମ୍ରାଟଙ୍କ ସମ୍ପର୍କିତ ବା ସାଧାରଣ ପ୍ରଜାଙ୍କ ସମ୍ପର୍କିତ ହେଉ, ଆଇନ ଦୃଷ୍ଟିରେ ସମସ୍ତେ ସମାନ। ଆଇନର ବିଚାର ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଏହା ନହେଲେ ରାଷ୍ଟ୍ରର ପ୍ରଚଳିତ ଆଇନ ଉପରୁ ଜନସାଧାରଣଙ୍କ ଭରସା ତୁଟିଯିବ।
ନ୍ୟାୟାଳୟର ଏହା ପ୍ରମୁଖ କର୍ତ୍ତବ୍ୟ ଓ ଗୁରୁଦାୟିତ୍ବ ଯେ ବିଷମ ପରିସ୍ଥିତିରେ ଚୂଡ଼ାନ୍ତ ନିର୍ଣ୍ଣୟ ଏଭଳି ହେବା ଉଚିତ ଯାହା ଅନ୍ୟ ପଦସ୍ଥ ବ୍ୟକ୍ତିବିଶେଷଙ୍କ ପାଇଁ ଉଦାହରଣ ହୋଇ ରହିବ। ଏହି କାରଣରୁ ମୋର ନିଷ୍ପତ୍ତି (ରାୟ) ହେଲା ସମ୍ରାଟଙ୍କ ମୁକୁଟବିହୀନ ଶିର (ଶୂନ୍ୟ ମୁକୁଟ) ଥିବା ଏକକୋଟି ମୁଦ୍ରା ଛାପି ଇଂରେଜ ଶାସନାଧୀନ ସାମ୍ରାଜ୍ୟରେ ଏହାକୁ ପ୍ରଚଳନ କରାଯାଉ। ମୁଁ ବୁଝି ପାରୁଛି ମୁକୁଟ ସମ୍ରାଟଙ୍କ ଶୋଭା ବର୍ଦ୍ଧନକାରୀ। ଏଥିରେ ତାଙ୍କର ଗୁରୁତ୍ବ ନିହିତ ରହିଛି। ମୋର ଏହି ନିଷ୍ପତ୍ତିକୁ ଭୁଲ ନବୁଝି, ନିଜକୁ ଅପମାନିତ ମନେ ନକରି ନ୍ୟାୟାଳୟକୁ ସମ୍ମାନ ଜଣାଇ ଏହାକୁ କାର୍ଯ୍ୟକାରୀ କରାଯିବା ଉଚିତ।’ ମୁଥୁସ୍ବାମୀଙ୍କ ଏହି ରାୟ ମାନ୍ୟ ବିବେଚିତ ହୋଇଥିଲା ଓ ବିନା ମୁକୁଟରେ ସେହି ପରିମାଣର ମୁଦ୍ରା ଛପାଯାଇ ସାମ୍ରାଜ୍ୟ ସାରା ଚାଲୁ କରାଯାଇଥିଲା। ପକ୍ଷପାତ ମୂଳକ ନିଷ୍ପତ୍ତି ନ୍ୟାୟ ବିଚାର ପ୍ରତି ଦ୍ରୋହ ଆଚରଣ ସଦୃଶ। ମୁଥୁସ୍ବାମୀ ନିର୍ଭୀକତାର ସହ ଏହା ରାୟ ପ୍ରଦାନ ମାଧ୍ୟମରେ ସମଗ୍ର ଜଗତକୁ ଦେଖାଇ ଦେଇଥିଲେ।



