www.samajalive.in
Saturday, December 6, 2025
15.1 C
Bhubaneswar

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୮ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ, ଆଜି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ। ଆଜିଠାରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୨୮ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଆଗକୁ ଭଲ ବର୍ଷିବା ଦ୍ବାରା ଚାଷ କାର୍ଯ୍ୟ ଆଗେଇ ପାରିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ୧୩ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। ୧୩ ,୧୪ ଓ ୧୫ରେ କିଛି ସ୍ଥାନରେ ପ୍ରବଳ ଓ କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା ହେବ। ଉତ୍ତର-ପୂର୍ବ ଆସାମରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଏକ ନିମ୍ନଚାପ ରେଖା ଲମ୍ବିଥିବାବେଳେ ପଶ୍ଚିମ ଆସାମ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଅନ୍ୟ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି। ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଚାନ୍ଦବାଲିରେ ସବୁଠୁ ଅଧିକ ୭୯ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ କଟକରେ ୮.୪ମି.ମି ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସତର୍କ ରହିବା ପାଇଁ ଏସ୍‌ଆରସି ସତ୍ୟବ୍ରତ ସାହୁ ସମ୍ପୃକ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ବାହୁଡ଼ାରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ୧୫ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଜୁଲାଇ ୧୮ କିମ୍ବା ୧୯ ତାରିଖ ବେଳକୁ ଅବପାତର ରୂପ ନେବା ସହ ୨୦ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଫଳରେ ୨୧ ପର୍ଯ୍ୟନ୍ତ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଶୁକ୍ରବାର ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)ର ଶରତଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଜୁଲାଇ ୧୪ରେ ସେହି ଅଞ୍ଚଳରେ ଏକ ଅପର୍‌‌ ଏୟାର ସାଇକ୍ଲୋନିକ୍‌‌ ସର୍କୁଲେସନର ସୃଷ୍ଟି ହେବା ଫଳରେ ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଓ ଜୁଲାଇ ୧୪ରୁ ୧୭ ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ଉତ୍ତର ପ୍ରଦେଶରୁ ଦକ୍ଷିଣ ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବା ଦୁର୍ବଳ ଅପର୍‌‌ ଏୟାର ଟ୍ରଫ୍‌‌ ଲାଇନ୍‌‌ ଯୋଗୁଁ ଉତ୍ତର ଓ ଉପକୂଳ ଜିଲାରେ ୧୨ ଏବଂ ୧୩ ମଧ୍ୟରେ କେତେକ ସ୍ଥାନରେ ମଧ୍ୟମ ଧରଣର ଓ କିଛି ସ୍ଥାନରେ ପ୍ରବଳ ହୋଇପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories