www.samajalive.in
Saturday, December 6, 2025
16.1 C
Bhubaneswar

କାଳବୈଶାଖୀ ତାଣ୍ଡବ: ବାଲେଶ୍ବର ଓ ମୟୂରଭଞ୍ଜରେ ବ୍ୟାପକ କ୍ଷତି

ବାଲେଶ୍ବର : ବାଲେଶ୍ବର ଓ ମୟୂରଭଞ୍ଜ ଜିଲାରେ ଦୁଇଦିନର କାଳବୈଶାଖୀ ଝଡ଼ ଓ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଶୁକ୍ରବାର ସନ୍ଧ୍ୟାରେ ଉତ୍ତର ବାଲେଶ୍ବରର ଭୋଗରାଇ, ଜଳେଶ୍ବର, ବାଲିଆପାଳ ଆଦି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଝଡ଼ ଆସି ବହୁ କ୍ଷୟକ୍ଷତି ଘଟାଇଥିବା ଜଣାପଡ଼ିଛି। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପଡ଼ିଯିବା ସହିତ ନଡ଼ାଛପର, ଟିଣ ଓ ଆଜବେଷ୍ଟସ ଘରର ଛପର ଉଡ଼ିଯାଇଛି। କିଛି ସ୍ଥାନରେ ବଡ଼ ଗଛ ପଡ଼ି ଘରଦ୍ବାର ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜଳେଶ୍ବର ବ୍ଲକର ଲକ୍ଷ୍ମଣନାଥ, ନଛିମପୁର, ଗୋବରଘଟା ପଞ୍ଚାୟତରେ ବେଶୀ କ୍ଷୟକ୍ଷତି ଘଟିଛି। ସେହିପରି ଅନେକ ସ୍ଥାନରେ ପନିପରିବା ଚାଷ ମଧ୍ୟ ଉଜୁଡ଼ି ଯାଇଛି। ତେଣେ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀରେ ବହୁ ସ୍ଥାନରେ ଗଛ ଭାଙ୍ଗି ପଡିବା ସହିତ କମର୍ଦ୍ଦା ଛକ ଓ ଅନ୍ୟ ସ୍ଥାନରେ ଥିବା ବଡ଼ ବଡ଼ ହୋର୍ଡିଂ ଭାଙ୍ଗି ପଡ଼ିବା ସହ ଉଡିଯାଇଛି। ସନ୍ଧ୍ୟାଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି। ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ରବି ଧାନ ଚାଷରେ ଆସୁଥିବା ଥୋଡ଼, ତରଭୁଜ ଚାଷ ସହିତ ଅନ୍ୟ ପନିପରିବା ଚାଷ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଗୁରୁବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲାର ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଆଦି ବ୍ଳକ ଅଞ୍ଚଳରେ କାଳବୈଶାଖୀର ଭୟାନକ ତାଣ୍ଡବ ଦେଖିବାକୁ ମିଳିଥିଲା। ଭୀଷଣ କୁଆପଥର ବୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ଅଧଘଣ୍ଟାର କାଳବୈଶାଖୀ ବର୍ଷା, ଝଡ଼ତୋଫାନ ଓ କୁଆପଥର ମାଡ଼ରେ ଶହଶହ ଏକର ଜମିର ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ ଦୁଇହଜାରରୁ ଅଧିକ ଘର ଛପରଶୂନ୍ୟ ହୋଇଛି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ବିଶୋଇ ବ୍ଲକର ଖଡ଼ମବେଡ଼ା ପଞ୍ଚାୟତ। ସରକାରୀ ଭାବେ ମୟୂରଭଞ୍ଜ ଜିଲାର ୧୯ଟି ପଂଚାୟତର ୪୭ଟି ଗ୍ରାମର ୪,୭୭୫ଲୋକେ ପ୍ରଭାବିତ ହୋଇଥିବା କୁହାଯାଇଥିବା ବେଳେ ବାସ୍ତବରେ ଏହାଠାରୁ ବହୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଙ୍ଗିରିପୋଷି ଓ ବିଶୋଇ ବ୍ଳକରେ ଯଥାକ୍ରମେ ୮ଶହ ଓ ୧୫ ଶହରୁ ଅଧିକ ଘର ଭାଙ୍ଗିଯାଇଥିବା ବେସରକାରୀ ଭାବେ ଆକଳନ କରାଯାଉଛି।କୁଆପଥର ମାଡ଼ରେ ବହୁ ଯାନବାହନ ନଷ୍ଟ ହୋଇଥିବା ବେଳେ ଅନେକଙ୍କ ଘରେ ପାଣିର ଲହଡି ଖେଳୁଥିଲା। ବଡ଼ବଡ଼ କୁଆପଥର ମାଡ଼ରେ ଆହତ ହୋଇଥିବା ଲୋକେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତୁରନ୍ତ ରିଲିଫ୍ ଓ ଘର ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଲୋକେ ଦୀର୍ଘ ୭ ଘଣ୍ଟା ଧରି ୪୯ ନମ୍ବର ଜାତୀୟ ରାଜପଥର ଖଡ଼ମବେଡ଼ା ଛକରେ ରାସ୍ତା ଅବରୋଧ କରିଥିଲେ। ତେବେ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି, ବିଶୋଇ, କୁଳିଅଣା ଆଦି ବ୍ଲକରେ କାଳବୈଶାଖୀଜନିତ କ୍ଷୟକ୍ଷତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ଜିଲାର ବରିଷ୍ଠ ନେତୃବୃନ୍ଦ ଭୁବନେଶ୍ବରରେ ଶୁକ୍ରବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଆଲୋଚନା କରିଥିଲେ। କାଳବୈଶାଖୀ ପରବର୍ତ୍ତୀ ସ୍ଥିତି କିଭଳି ସ୍ବାଭାବିକ ହେବ ଓ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ କିପରି ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ ସେନେଇ ଆଲୋଚନା କରାଯାଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ ରିଲିଫ ଓ କ୍ଷୟକ୍ଷତିର ଆକଳନ ସହ ଆହତଙ୍କ ଚିକିତ୍ସା ନେଇ ନିର୍ଦେଶ ଦେଇଛନ୍ତି। ଶନିବାର ଅଞ୍ଚଳ ପରିଦର୍ଶନ ପାଇଁ ମନ୍ତ୍ରୀ ମୟୂରଭଞ୍ଜ ଜିଲା ଗସ୍ତରେ ଯାଉଥିବା ଜଣାପଡ଼ିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories