ଭୁବନେଶ୍ୱର : ଘନକୁହୁଡ଼ି ଯୋଗୁଁ ଗୁରୁବାର କୋରାପୁଟରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ବାୟୁମଣ୍ଡଳକୁ ଅଚ୍ଛାଦିତ କରି ରଖିଥିଲା। ତାଳଚେର, ଅନୁଗୋଳ, କେନ୍ଦୁଝର, ଫୁଲବାଣୀ ଏବଂ ଚାନ୍ଦବାଲିରେ ଘନକୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନକୁହୁଡ଼ି ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝରଗଡ଼, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଏବଂ କୋରାପୁଟ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ସେହିପରି ୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବୌଦ୍ଧ, ଅନୁଗୋଳ, କେନ୍ଦୁଝରଗଡ଼, କଳାହାଣ୍ଡି, କନ୍ଧମାଳ ଓ ମୟୂରଭଞ୍ଜ ଜିଲାରେ ଘନକୁହୁଡ଼ି ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଆସନ୍ତା ୪-୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବୃଦ୍ଧି ପାଇବ। ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ରାଜ୍ୟର ସବୁ ସ୍ଥାନରେ ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିଲା। ଜି ଉଦୟଗିରିରେ ତାପମାତ୍ରା ୧୦.୮ ଡିଗ୍ରୀ ଥିବାବେଳେ କୋରାପୁଟରେ ୧୧.୫, ଫୁଲବାଣୀ ୧୨, ରାଉରକେଲାରେ ୧୩.୨, ଭୁବନେଶ୍ବରରେ ୧୯.୨ ଏବଂ କଟକରେ ୧୮.୫ ଡିଗ୍ରୀ ରେକର୍ଡ଼ ହୋଇଛି। ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୩.୪ ଡିଗ୍ରୀ ଲେଖାଏଁ, ବଲାଙ୍ଗିରରେ ୩୩.୩ , ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୩୩ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି। ବିଭିନ୍ନ ସ୍ଥାନରେ ଦିନରେ ଗରମ ଅନୁଭୂତ ହେଉଛି।
Popular Categories



