www.samajalive.in
Monday, December 15, 2025
26.1 C
Bhubaneswar

ଲଘୁଚାପ ସୃଷ୍ଟି; ଦୁଇଦିନ ହାଲୁକା ବର୍ଷା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଏବଂ ପୁଡୁଚେରୀରେ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶାରେ ପାଗ କୋହଲା ରହିବା ସହ ବୁଧବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ। ପରବର୍ତ୍ତୀ ଦୁଇଦିନ ଦକ୍ଷିଣ, ଉପକୂଳ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେତେକ ଘରୋଇ ପାଣିପାଗ ସଂସ୍ଥାର ଆକଳନ କହୁଛି, ଲଘୁଚାପ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ୧୯ତାରିଖ ସୁଦ୍ଧା ଗତିପଥ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଗତି କରିବା ଦ୍ବାରା ୨୧ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଅବପାତ ଉତ୍ତର-ଉପକୂଳ ତାମିଲନାଡୁ ଆଡ଼କୁ ମୁହଁାଇବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ବୁଧବାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୯ରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଏବଂ କଳାହାଣ୍ଡି ଜିଲାକୁ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ୨୦ରେ ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ଦେବଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କନ୍ଧମାଳରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍‌ ଜି.ଉଦୟଗିରିରେ ୪.୭ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରାଉରକେଲାରେ ୫.୭ଡିଗ୍ରୀ ରହିଛି। ସେମିଳିଗୁଡ଼ା ୬.୫, ଫୁଲବାଣୀ ୭.୫, ଅନୁଗୋଳ ୯, ସୁନ୍ଦରଗଡ଼ ୮.୬, ନବରଙ୍ଗପୁର, ଭବାନୀପାଟଣା, କିରେଇ, ଚିପିଲିମାରେ ୯ଡିଗ୍ରୀ ଲେଖାଏଁ, ଝାରସୁଗୁଡ଼ା ୭.୨, କେନ୍ଦୁଝର ୮.୯, ଭଦ୍ରକ ୯.୫, କୋରାପୁଟ ୧୦.୮, ବଲାଙ୍ଗିର ୧୦, ବୌଦ୍ଧ ୧୦.୨, ତାଳଚେର ୧୦.୮, ଢେଙ୍କାନାଳ ୧୦.୫, ଭୁବନେଶ୍ବର ୧୩.୬ ଏବଂ କଟକରେ ୧୨.୫ଡିଗ୍ରୀ ପାରଦ ରହିଛି। ରାଜ୍ୟର ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳକୁ ଥିବାରୁ ପ୍ରଚଣ୍ଡ ଶୀତ ଅନୁଭୂତ ହେଉଛି। ଫୁଲବାଣୀ, ଭବାନୀପାଟଣା ଏବଂ ରାଉରକେଲାରେ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା ସହ ଉତ୍ତର ଉପକୂଳବର୍ତ୍ତୀ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ରାତି ତାପମାତ୍ରା ହ୍ରାସ ଘଟିଛି। ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକରୁ କମ୍‌ ରେକର୍ଡ କରାଯାଇଥିବାବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକ୍‌ଠାରୁ କମ୍‌ ରହୁଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। କେତେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ଯୋଗୁ ଶୀତ କମିବା ସମ୍ଭାବନା ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories