Patra electronics

୪ରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଶନିବାର ମଧ୍ୟରାତ୍ରିରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବିଶାଖାପାଟଣାରୁ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଭୂସ୍ଖଳନ, ପାହାଡ଼ ଧସିବା, ଜଳବନ୍ଦୀ, କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନକୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ନିର୍ଦେଶ ଦେଇଛନ୍ତି। କଚ୍ଚା ଘରେ ନ ରହି ଆଶ୍ରୟସ୍ଥଳ କିମ୍ବା ପକ୍କା ଘରେ ରହିବାକୁ ଓ ବର୍ଷା ସମୟରେ ଯାନବାହନ ଚଳାଚଳ ନ କରିବାକୁ ପରାମର୍ଶ ଦିଆଯାଇଛି। ଚାଷବାସ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଅବପାତ ପ୍ରଭାବରେ ଆସନ୍ତା ୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୫-୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ହୋଇପାରେ। ସେହିପରି ଉତ୍ତର ଉପକୂଳରେ ୩୫-୪୫ ଏବଂ ସ୍ଥଳବିଶେଷରେ ୫୫ କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବ। ୧ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୧୦୭.୬ ମି.ମି. ବର୍ଷା ହୋଇଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୪ ତାରିଖରେ ଶ୍ରୀକାକୁଲମ ଓ ବିଶାଖାପାଟଣା ନିକଟବର୍ତ୍ତୀ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ଦିଗରେ ଗତି କରି ୭ ଓ ୮ ତାରିଖ ବେଳକୁ ଓଡ଼ିଶା ଉପକୂଳ ନିକଟରେ ରହିବ ଏବଂ ଛତିଶଗଡ଼ ଆଡ଼େ ମୁହାଁଇବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।

Comments are closed.