ଅଦରକାରୀ ଜିନିଷରୁ କ୍ଷୁଦ୍ରତମ କଳାକୃତି
ରାଜଗାଙ୍ଗପୁର : କୋମଳ ହାତରେ କଳା। ହାତରେ ଅଟା, ମାଟି, ରଙ୍ଗ ତୂଳୀ ଧରି ଅଦରକାରୀ ଜିନିଷ ଯେପରି ପୁରୁଣା କାଗଜ, ଖାଲି ଶିଶି ବୋତଲ,ନଡ଼ିଆ ଖୋଳ, ମାଟି ଉପକରଣରୁ ସୁନ୍ଦର ଘର ସଜ୍ଜା ପାଇଁ ଆକର୍ଷଣୀୟ କଳାକୃତୀ ତିଆରି କରିବାର ନିଶା ଅାଜି ୧୩ ବର୍ଷୀୟା ସୁଦୀକ୍ଷା ନନ୍ଦଙ୍କୁ ସମାଜରେ ସ୍ବତନ୍ତ୍ର ପରିଚୟ ଦେଇଛି। ନିକଟରେ କ୍ଷୁଦ୍ରତମ ଜଗନ୍ନାଥ ଠାକୁରଙ୍କ (ଏକ ଇଞ୍ଚରୁ କମ) ସହିତ ଏକାଧିକ କଳାକୃତୀ ତିଆରି କରି ଦିଲ୍ଲୀରେ ଆୟୋଜିତ “ୱାଲର୍ଡ ୱାଇଡ ବୁକ ଅଫ ରେକର୍ଡସ “ ରେ ନିଜର ନାମ ପଞ୍ଜିକୃତ କରି ପାରିଛନ୍ତି। ପୁରୁଣା ଖବର କାଗଜରୁ ଆଫ୍ରିକାନ ଝିଅ, ନଡ଼ିଆ ଖୋଳରେ ପ୍ରଭୁ ଶ୍ରୀଜଗନ୍ନାଥ, ଶିବଙ୍କ ପ୍ରତିମୂର୍ତ୍ତି, ଆଇସକ୍ରିମ ଷ୍ଟିକ ଦ୍ୱାରା ମୋବାଇଲ ଷ୍ଟାଣ୍ଡ, ମାଟି ଦୀପରେ କଇଁଛ, ରଙ୍ଗ ବୋତଲକୁ ରାଜସ୍ଥାନୀ ନୃତ୍ୟଙ୍ଗନାଙ୍କ ପ୍ରତିମୂର୍ତ୍ତିର ରୂପ ଦେବା ଠାରୁ ଆରମ୍ଭ କରି ଖାଲି ମହୁ ବୋତଲରେ ଲଣ୍ଠନ, ମାଟି ଘୋଡ଼ା, ଦହି ହାଣ୍ଡି ଓ ଆହୁରି ଅନେକ ପ୍ରକାରର କଳାକୃତୀ ସେ ତିଆରି କରିଛନ୍ତି ଯାହା ଘରକୁ ଏକ ମ୍ୟୁଜିୟମର ରୂପ ଦେଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ କୃତୀ ତାଙ୍କ ହାତରେ ଗଢ଼ା ହୋଇଛି। ପୁରୁଣା କାଗଜରୁ ତିଆରି ବିଭିନ୍ନ ପ୍ରକାରର ରଞ୍ଜିତ ଚିତ୍ର ତାଙ୍କ କାନ୍ଥର ଶୋଭା ବଢାଉଛି। ସ୍କୁଲ ସହିତ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରରେ ଏକାଧିକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ପାଠପଢା ପରେ ସେ ସବୁରେ ସମୟ ଦିଅନ୍ତି। ଆଗକୁ ଲକ୍ଷ୍ୟ ରଖିଛନ୍ତି ଗିନିଜ ବୁକରେ ନାମ ପଞ୍ଜିକୃତ କରିବାର।
Comments are closed.