ଜଳଯୋଗାଣ ପାଇପ ଫାଟି ରାସ୍ତା ବୁଡିଲା, ଲୋକଙ୍କୁ ମିଳୁନି ପାନୀୟ ଜଳ

ଲଡୁଗାଁ/ମୋଟେର : କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମର ପୁଝାରୀପଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜିକୁ ୧୦ ଦିନ ହେବ ଫାଟିଯାଇଛି । ଗ୍ରାମର ମୁଖ୍ୟ ରାସ୍ତାରେ ଜଳ ଅପବ୍ୟୟ ହୋଇ ରାସ୍ତାରେ ଲହଡି ଭାଙ୍ଗୁଛି। ଫଳରେ ପୁଝାରୀପଡାରେ ବାସ କରୁଥିବା ଲୋକେ ପାନୀୟ ଜଳ ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ପାଇପ ଲାଇନ ଫାଟିବା ଘଟଣାକୁ ନେଇ କିଛି ସଚେତନ ନାଗରିକ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଗ୍ରାମ୍ୟ ଜଳଯୋଗାଣ ପାଇଁ ସ୍ଥାନୀୟ ପଂଚାୟତ କର୍ମଚାରୀ ନିୟୋଜିତ ରହିଥିବାବେଳେ ପଞ୍ଚାୟତ କର୍ମଚାରୀଙ୍କ ଅପାରଗତା ଯୋଗୁଁ ପାଇପ ଲାଇନ ମରାମତିରେ ଅହେତୁକ ବିଳମ୍ବ ହେଉଥିବା ଯୋଗୁଁ ପୁଝାରୀପଡାର ଲୋକେ ପାନୀୟ ଜଳ ପାଇବାରେ ବଞ୍ଚିତ ହେଉଛନ୍ତି। ଏନେଇ ମୋଟେର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ବିଶିଙ୍କୁ ପଚାରିବାରୁ ସରପଞ୍ଚଙ୍କୁ ଅବଗତ କରାଯାଇଛି ଏବଂ ପାଇପ ଲାଇନ ମରାମତି ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କୋକସରା ବ୍ଲକ ଗ୍ରାମ୍ୟ ଜଳଯୋଗାଣର କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆରକାଙ୍କ କାର୍ଯ୍ୟରେ ଅବହେଳାକୁ ନେଇ ଅନେକ ସମୟରେ ଲୋକେ ଅଭିଯୋଗ ଉପରେ ଅଭିଯୋଗ କରିଥା’ନ୍ତି। ତେବେ ତାଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସ୍ୱିଚ୍ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

Comments are closed.