ଦୀର୍ଘ ଚାରିମାସ ବିତିଯାଇଚି ୟା’ ଭିତରେ। କୋଭିଡ-୧୯ ଭୂତାଣୁର ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଛି। ମଣିଷରୁ ମଣିଷକୁ ସଂକ୍ରମିତ ହେବାର ମହାଶକ୍ତି ନେଇ କୋଭିଡ-୧୯ ମୃତ୍ୟୁର ତାଣ୍ଡବ ଖେଳାଉଛି। ଏଯାବତ୍ ୩୪ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ-୧୯ରେ ଆକ୍ରାନ୍ତ ହେବାବେଳେ ୨.୩୯ ଲକ୍ଷରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି ସାରା ବିଶ୍ୱରେ।
ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଓ ପ୍ରଗତିଶୀଳ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧.୪୭ ଲକ୍ଷରୁ ଊର୍ଦ୍ଧ୍ବ ଥିବାବେଳେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୬୬ ହଜାରକୁ ଟପିସାରିଛି।
ବଢ଼ି ଚାଲିଛି କୋଭିଡ-୧୯ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା। ବିଶ୍ୱର ଅଧିକାଂଶ ଦେଶ ‘ଲକ-ଡାଉନ୍’ ଘୋଷଣା କରିଛନ୍ତି। ଯାନ୍ତ୍ରିକ ଜୀବନ ଓ ଜୀବିକା ଉପରେ ଜାରିହୋଇଛି କଟକଣା ମହାମାରୀର ଆତଙ୍କରେ। ନିଜନିଜ ଦେଶର ସାମର୍ଥ୍ୟର ଅନୁଯାୟୀ ମହାମାରୀକୁ ସାମନା କରୁଛନ୍ତି ପ୍ରତିଟି ଦେଶ। ବିପର୍ଯ୍ୟସ୍ତ ହୋଇପଡ଼ିଛି ବିଶ୍ୱର ଅର୍ଥନୀତି। ସ୍ତବ୍ଧ ବିଶ୍ୱବାସୀ। କେତେ ଭୟାନକ ଏହି ଭୂତାଣୁ? କେଉଁଠୁ ହୋଇଛି ଏହାର ଉତ୍ପତ୍ତି? କ’ଣ ଏହାର ଗୁଣ? ଏହାର ଗତିବିଧି କିପରି? ଆଉ କେତେଦିନ ରହିବ ଏହି ଭୂତାଣୁର ପ୍ରଭାବ। ପ୍ରତିଦିନର ତଥ୍ୟକୁ ଭିତ୍ତିକରି ଜାରୀ ରହିଛି ତର୍ଜମା।
୩୧ ଡିସେମ୍ବର,୨୦୧୯-
ଉହାନ, ଚୀନରେ କିଛି ନିମୋନିଆ ରୋଗୀ ଏକ ଅଜଣା ଉତ୍ସରୁ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାର ସୂଚନା ଦେଇଥିଲେ ଚୀନ ସରକାର। ଅଧିକାଂଶ ଅସୁସ୍ଥ ରୋଗୀ ଉହାନର ମାଛହାଟକୁ ଯାଇଥିଲେ ବୋଲି କର୍ତ୍ତୃପକ୍ଷ ଜଣାଇଥିଲେ। ମାତ୍ର ଏହି ସଂକ୍ରମଣ ମଣିଷରୁ ମଣିଷକୁ ହୋଇଛି ବୋଲି କୌଣସି ସୂଚନା ନଥିଲା।
୧୧ ଜାନୁଆରୀ, ୨୦୨୦-
ଚୀନରେ ପ୍ରଥମ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ। ବ୍ୟକ୍ତି ଜଣକ ଉହାନ ମାଛହାଟର ଜଣେ ନିୟମିତ ଗ୍ରାହକ ଥିଲେ ବୋଲି ଦର୍ଶାଯାଇଥିଲା।
୧୩ ଜାନୁଆରୀ, ୨୦୨୦-
ଥାଇଲାଣ୍ଡ (୧୩-ଜାନୁଆରୀ), ଜାପାନ (୧୫ ଜାନୁଆରୀ) ଓ ସାଉଥ କୋରିଆ (୨୦ ଜାନୁଆରୀ)ରେ ପ୍ରଥମ କୋଭିଡ-୧୯ ସଂକ୍ରମିତ ଚିହ୍ନଟ।
୨୧ ଜାନୁଆରୀ, ୨୦୨୦-
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ କୋଭିଡ-୧୯ ବ୍ୟକ୍ତି ଚିହ୍ନଟ। ବ୍ୟକ୍ତି ଜଣଙ୍କ ଉହାନରୁ ଫେରିଥିଲେ।
୨୯ ଜାନୁଆରୀ, ୨୦୨୦-
କରୋନା ଭୂତାଣୁ ସଂକ୍ରମଣର ତଦାରଖ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ‘ଟାସ୍କଫୋର୍ସ’ ଗଠନ କରିଥିଲେ।
୩୦ ଜାନୁଆରୀ, ୨୦୨୦-
ୱାର୍ଲଡ ହେଲଥ୍ ଅର୍ଗାନାଇଜେସନ କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ।
୩୧ ଜାନୁଆରୀ, ୨୦୨୦-
ଦୁଇ ସପ୍ତାହ ଭିତରେ ଚୀନ ଗସ୍ତ କରିଥିବା ବିଦେଶୀ ନାଗରିକଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରବେଶ କରିବା ଉପରେ ନିଷେଧାଜ୍ଞା ଜାରି କଲେ ରାଷ୍ଟ୍ରପତି ଟ୍ରମ୍ପ।
୨ ଫେବୃଆରୀ, ୨୦୨୦-
ଫିଲିପାଇନସରେ ପ୍ରଥମ କୋଭିଡ-୧୯ ମୃତ୍ୟୁର ସୂଚନା (ଚୀନ ବାହାରେ କୋଭିଡ-୧୯ର ପ୍ରଥମ ମୃତ୍ୟୁ)
୭ଫେବୃଆରୀ, ୨୦୨୦-
ଚୀନର (ଡାକ୍ତର ଲି. ୱେନଲିଆଙ୍ଗ)ଙ୍କର କୋଭିଡ-୧୯ରେ ମୃତ୍ୟୁର ସୂଚନା ମିଳିଲା। କରୋନା ଭୂତାଣୁର ବିସ୍ଫୋରଣ(ଆଉଟବ୍ରେକ) ସମ୍ବନ୍ଧରେ ସରକାରୀ ବିଜ୍ଞପ୍ତି ମିଳିବା ପୂର୍ବରୁ ଡାକ୍ତର ଲି ଏହି ସମ୍ପର୍କରେ ଚେତାବନୀ ଦେଇଥିଲେ। ତାଙ୍କ ମୃତ୍ୟୁରେ ବିପୁଳ ଜନପ୍ରତିକ୍ରିୟା ପ୍ରକାଶ ପାଇଥିଲା।
୧୪ ଫେବୃଆରୀ, ୨୦୨୦-
ଇଜି୍ପଟ୍, ଆଫ୍ରିକାର ପ୍ରଥମ କୋଭିଡ-୧୯ର ଚିହ୍ନଟ।
୧୯ ଫେବୃଆରୀ, ୨୦୨୦-
ଇରାନ୍ରେ ପ୍ରଥମ କୋଭିଡ-୧୯ର ସୂଚନା।
୨୬ ଫେବୃଆରୀ, ୨୦୨୦-
ବ୍ରାଜିଲରେ ପ୍ରଥମ କୋଭିଡ-୧୯।
୨୯ ଫେବୃଆରୀ, ୨୦୨୦-
ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ-୧୯ରେ ପ୍ରଥମ ମୃତ୍ୟୁ।
୮ ମାର୍ଚ୍ଚ, ୨୦୨୦-
କୋଭିଡ୍-୧୯ ସଂକ୍ରମଣରେ ନିୟନ୍ତ୍ରଣ ପାଇଁ ଇଟାଲିରେ ଲକ୍-ଡାଉନ ଘୋଷଣା।
୧୧ ମାର୍ଚ୍ଚ, ୨୦୨୦-
ୱାର୍ଲଡ୍ ହେଲଥ ଅର୍ଗାନାଇଜେସନ କୋଭିଡ-୧୯ ସଂକ୍ରମଣକୁ ମହାମାରୀ (ଏପିଡେମିକ)ର ଭାବେ ଘୋଷଣା କଲେ। ରାଷ୍ଟ୍ରପତି ଟ୍ରମ୍ପ ୟୁରୋପରୁ ଆସୁଥିବା ବିଦେଶୀ ନାଗରିକଙ୍କ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ କରିବାର କଟକଣା ଜାରୀ କଲେ।
୧୩ ମାର୍ଚ୍ଚ, ୨୦୨୦-
ଯୁକ୍ତରାଷ୍ଟ୍ର ଆମେରିକାରେ ନ୍ୟାସନାଲ ଇମରଜେନସି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ। ଓଡ଼ିଶାରେ ‘ଷ୍ଟେଟ ଡିଜାଷ୍ଟର’ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୨୪ ମାର୍ଚ୍ଚ, ୨୦୨୦-
ବିଶ୍ୱର ଜାତୀୟ ଜନବହୁଳ ରାଷ୍ଟ୍ରର ଭାରତରେ ୧୩୦ କୋଟି ଲୋକଙ୍କ ପାଇଁ ୨୧ ଦିନର ସଂପୂର୍ଣ୍ଣ ‘ଲକ୍ଡାଉନ’ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ବିଶ୍ୱର ସବୁଠାରୁ ବଡ଼ ଲକ-ଡାଉନ।
୨୭ ମାର୍ଚ୍ଚ, ୨୦୨୦-
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ କୋଭିଡ-୧୯ରେ ଆକ୍ରାନ୍ତ ହେବାର ସୂଚନା।
୨ ଏପ୍ରିଲ, ୨୦୨୦-
ବିଶ୍ୱରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷକୁ ଟପିବାର ସୂଚନା।
ଲକ୍ଡାଉନର ଘୋଷଣା ସତ୍ତ୍ୱେ ବଢ଼ି ଚାଲିଛି କୋଭିଡ-୧୯ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ବିଭିନ୍ନ ଦେଶର ସାମର୍ଥ୍ୟ ଅନୁଯାୟୀ ହେଉଥିବା କୋଭିଡ-୧୯ ପରୀକ୍ଷାରୁ ମିଳୁଥିବା ସଂଖ୍ୟା ପ୍ରକୃତ ସଂକ୍ରମିତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍ ବୋଲି ଆକଳନ କରାଯାଉଛି। ଆତଙ୍କ ସହ ବଢ଼ୁଛି ସନ୍ଦେହ। କୋଭିଡ-୧୯ର ସଂକ୍ରମଣ ଉହାନର ମାଛହାଟ ନାଁ ନିକଟବର୍ତ୍ତୀ ଲାବୋରେଟୋରିରୁ ଆସିଛି ଏଥିନେଇ ପ୍ରଶ୍ନ ଉଠିବା ସହ ବିଭିନ୍ନ ଉତ୍ସରୁ ମିଳୁଥିବା ଖବରକୁ ଭିତ୍ତିକରି ସନ୍ଦେହ ଦୃଢ଼ୀଭୂତ ହେଉଛି।
ଅଦ୍ୟପି ଏଇ ଭାଇରସର ଉତ୍ପତ୍ତି ବାଦୁଡ଼ିଠାରୁ ଆସିଛି ବୋଲି ସାଧାରଣ ସ୍ତରରେ ଗ୍ରହଣ କରାଯାଇଛି। ତେବେ ଧୀରେଧୀରେ ମୁଣ୍ଡଟେକୁଛି ନୂଆନୂଆ ତତ୍ତ୍ୱ (ଥିଓରି) ଭାଇରସର ଉତ୍ପତ୍ତିକୁ ନେଇ। ଯଥା- ‘ଏହି ଭାଇରସ ଉହାନର ମାର୍କେଟରୁ ବାହାରିବା ପୂର୍ବରୁ ମାର୍କେଟ ଭିତରକୁ ଯାଇଛି।’ ଅନ୍ୟ ଏକ ତତ୍ତ୍ୱ ଅନୁଯାୟୀ ‘କୋଭିଡ୍-୧୯’ ଏକ ବାଇଓ ଉଇପନ ବା ଜୈବିକ ଅସ୍ତ୍ର ଏବଂ ଏହା ଚୀନରେ ତିଆରି ହୋଇଛି। ତେବେ ଏହି ତତ୍ତ୍ୱର କୌଣସି ପ୍ରମାଣ ମିଳିନାହିଁ। ଆଉ ଏକ ତତ୍ତ୍ୱରେ ଏହି ଭୂତାଣୁ ଅଜାଣତରେ ମାଛହାଟ ପାଖରେ ଥିବା ଏକ ଲାବୋରେଟୋରିରୁ ‘ଲିକ୍’ ହୋଇ ଯାଉଛି ବୋଲି କୁହାଯାଉଛି ଯାହାର ପ୍ରମାଣ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। କୋଭିଡ-୧୯ ଭୂତାଣୁ ଦ୍ୱନ୍ଦ୍ୱାତ୍ମକ ଗୁଣ ସମ୍ପନ୍ନ। ଭୟାନକ ସଂକ୍ରମଣ ଶକ୍ତି ଏବଂ ବିଭିନ୍ନ ଜଳବାୟୁରେ ଭିନ୍ନଭିନ୍ନ ଲକ୍ଷଣ ନିଶ୍ଚିତ ଭାବରେ ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦ୍ୱନ୍ଦ୍ୱ ଏବଂ ସନ୍ଦେହକୁ ଟାଣିନେଉଛି।
ଚୀନ ଭଳି ଏକ ଶକ୍ତିଶାଳୀ ଏବଂ ପ୍ରଗତିଶୀଳ ରାଷ୍ଟ୍ର ଉପରେ କାହିଁକି ଏହି ସନ୍ଦେହ? ବିଶ୍ୱର ଅଧିକାଂଶ ଦେଶ ଆଜି ଚୀନ ଉପରେ ନିର୍ଭରଶୀଳ ତେବେ କାହିଁକି ଏହି ପ୍ରଶ୍ନବାଚୀ? ଉଦାହରଣ ସ୍ୱରୂପ ବିଭିନ୍ନ ଦେଶରୁ ମିଳୁଥିବା ତଥ୍ୟ ଅନୁଯାୟୀ ଏହି ଭୂତାଣୁର ଗୋଷ୍ଠୀ ବା ସଂପ୍ରଦାୟ ଭିତରେ ସଂକ୍ରମଣର ଶକ୍ତି ଖୁବ୍ ବେଶୀ ବୋଲି ଜଣାଯାଉଛି ଏବଂ ଦେଶରେ ଏକାଧିକ ‘ହଟ-ସ୍ପଟ’ ଦେଖିବାକୁ ମିଳୁଛି। ହେଲେ ଚୀନରୁ ଆସିଥିବା ତଥ୍ୟ ଅନୁଯାୟୀ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚୀନରେ ଉହାନ ହିଁ ଏକମାତ୍ର ‘ହଟ-ସ୍ପଟ’ ଏହା ବିଶ୍ୱାସଯୋଗ୍ୟ ତଥ୍ୟ କି?
ସେହିପରି ଆଉ ଏକ ତଥ୍ୟ ଚୀନର କୋଭିଡ-୧୯ରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉପରେ ସନ୍ଦେହ ଆଣେ। ଯଥା- ସାଧାରଣ ଭାବେ ଲକ-ଡାଉନ ସମୟରେ ମୋବାଇଲ ଫୋନ୍ର ବ୍ୟବହାର ବଢ଼ିବାର ଆଶା କରାଯାଏ, କିନ୍ତୁ ତଥ୍ୟ ଅନୁଯାୟୀ ଚୀନରେ ଲକ-ଡାଉନ୍ ସମୟରେ ସେଠିକାର ମୋବାଇଲ ଫୋନ କଲ ସଂଖ୍ୟା ୨ ଶହ ୧୦ ଲକ୍ଷ ଏବଂ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ୮ଲକ୍ଷ ୪୦ ହଜାର କମିଯାଇଥିଲା। ଏହି ତଥ୍ୟକୁ ଭିତ୍ତିକରି ଚୀନରେ କୋଭିଡ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଉପରେ ସନ୍ଦେହ ହେବା ସ୍ୱାଭାବିକ।
ଏକ ବୃହତ ଶକ୍ତିଶାଳୀ ଦେଶ ଯେତେବେଳେ ପ୍ରକାଶ କରୁଥିବା ତଥ୍ୟ ଓ ପରିସଂଖ୍ୟାନରେ ସ୍ୱଚ୍ଛତା ରକ୍ଷା ନକରେ ତା’ର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ମହାମାରୀର ଆତଙ୍କ ଭିତରେ ମହାଆତଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି କରୁଛି। ସେଇ ଘୂର୍ଣ୍ଣିଝଡ଼ ଭିତରୁ ‘ମହାଶିକ୍ଷା’ର ଆଲୋକ ପାଉଛି ମଣିଷ। ଭବିଷ୍ୟତରେ ଦେଶଦେଶ ଭିତରେ ସମ୍ପର୍କ ଗଢ଼ିବା ଏବଂ ତଥ୍ୟ ବିନିମୟ-ସମୟରେ ସ୍ୱଚ୍ଛତା ରଖିବା ଆବଶ୍ୟକତାର ମହତ୍ତ୍ୱ ବୁଝୁଛି ମଣିଷ।
ଗଣତନ୍ତ୍ର ହିଁ ସ୍ୱଚ୍ଛତାର ମୂଳମନ୍ତ୍ର। ସୃଷ୍ଟିର ଶ୍ରେଷ୍ଠଜୀବ ମଣିଷ। କୋଭିଡ-୧୯ର ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଗବେଷଣା ଚାଲିଛି। ଅନେକ ସକାରାତ୍ମକ ପଦକ୍ଷେପ ଧୀରେଧୀରେ ସଂକ୍ରମଣକୁ ଶିଥିଳ କରିବାରେ ଲାଗିଛି। ମୃତ୍ୟୁର ଆତଙ୍କ ଭିତରେ ବି ବିଶ୍ୱର ହିତ ପାଇଁ ନିଜ ଜୀବନକୁ ବାଜି ଲଗାଇ ଅନେକ ଠିଆ ହୋଇଛନ୍ତି ଆଗଧାଡ଼ିରେ। ମହାମାରୀ ସହ ଜାରୀ ରହିଛି ମହାସଂଗ୍ରାମ।
ଶୁଭଶ୍ରୀ ଦାସ
ନ୍ୟୁଜର୍ସି, ଆମେରିକା
suvasri_das@hotmail.com



