mission shakti banner

ଆଇପିଏଲ୍‌କୁ ନେଇ କୋହଲିଙ୍କ ଉପରେ ପ୍ରଶ୍ନବାଚୀ ଅନୁଚିତ୍‌: ଭେଙ୍ଗସରକାର

BSKY banner  750×100

ପାଣାଜୀ: ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ନିମନ୍ତେ ଅଳ୍ପଦିନ ବାକି ରହିଛି। ବର୍ତ୍ତମାନ ବିସିସିଆଇ ଆନୁକୂଲ୍ୟରେ ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବାଙ୍ଗାଲୋର ରୟାଲ୍‌ ଚ୍ୟାଲେଞ୍ଜର୍ସ (ଆରସିବି)ର ନେତୃତ୍ବ ନେଉଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ସୁଦ୍ଧା ଆରସିବି ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ରେ ପରାସ୍ତ ହୋଇଥିଲା ଭାରତ। ଏହାକୁ ନେଇ ବିଶ୍ବକପ୍‌ରେ ଭାରତୀୟ ଦଳର ନେତୃତ୍ବ ନେବାକୁ କୋହଲି ଉପଯୁକ୍ତ କି ବୋଲି କେତେକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଆଇପିଏଲ୍‌ର ପ୍ରଦର୍ଶନକୁ ଦେଖି କୋହଲିଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠାଇବା ଅନୁଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଭେଙ୍ଗସରକାର କହିଛନ୍ତି ଆଇପିଏଲ୍‌ ପ୍ରଦର୍ଶନକୁ ଦେଖି କୌଣସି କ୍ରିକେଟର୍‌ଙ୍କ ଦକ୍ଷତା ସଂପର୍କରେ କଳନା କରିବା ଅନୁଚିତ୍‌। କୋହଲି ବର୍ତ୍ତମାନ ସମୟର ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌। ଦଳର ଅଧିନାୟକ ଭାବେ ତାଙ୍କୁ ଦାୟିତ୍ବ ମିଳିଥିବାରୁ ତାଙ୍କ ଉପରେ ସମସ୍ତେ ବିଶ୍ବାସ ରଖିବା ଉଚିତ୍‌। ବିଶ୍ବକପ୍‌ରେ ଭାରତ କିପରି ପ୍ରଦର୍ଶନ କରିବ ବୋଲି ପ୍ରଶ୍ନର ଉତ୍ତରରେ ଭେଙ୍ଗସରକାର କହିଥିଲେ ଦଳ ଅତିକମ୍‌ରେ ସେମିଫାଇନାଲରେ ପ୍ରବେଶ କରିବ। ଇତିମଧ୍ୟରେ ଭାରତୀୟ ଦଳର ବୋଲିଂ ବେଶ୍‌ ଶକ୍ତିଶାଳୀ ହୋଇଉଠିଛି। ଦଳରେ ଯଶପ୍ରୀତ୍‌ ବୁମରା, ଭୁବନେଶ୍ବର କୁମାର ଓ ମହମ୍ମଦ ସାମିଙ୍କ ଭଳି ଦ୍ରୁତ ବୋଲର ଅଛନ୍ତି। ବିଶେଷ କରି ବୁମରା ଚମତ୍କାର ଫର୍ମରେ ଥିବାରୁ ସେ ଯଦି ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଦଳର ବିଜୟ ସମ୍ଭାବନା ବେଶ୍‌ ବଢ଼ିଯିବ। ଅନ୍ୟପକ୍ଷରେ ଭାରତୀୟ ଦଳର ବ୍ୟାଟିଂ ସର୍ବଦା ବେଶ୍‌ ମଜଭୁତ୍। ବିରାଟ କୋହଲି ଚମତ୍କାର ଫର୍ମରେ ଥିବା ବେଳେ ରୋହିତ ଶର୍ମା, ଶିଖର ଧାୱନ୍‌ଙ୍କ ପରି ତାରକା ବ୍ୟାଟସମ୍ୟାନ୍ ଦଳରେ ଅଛନ୍ତି। ଏହାବାଦ୍‌ ପୂର୍ବତନ ଅଧିନାୟକ ତଥା ୱିକେଟରକ୍ଷକ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତାରୁ ଦଳ ବେଶ୍‌ ଲାଭବାନ୍‌ ହେବ ବୋଲି ଭେଙ୍ଗସରକାର ଆଶାବ୍ୟକ୍ତ କରିଛନ୍ତି।

ବିଶ୍ବକପ୍‌ରେ ଭାରତୀୟ ବ୍ୟାଟିଂ କ୍ରମର ୪ନଂରେ କିଏ ବ୍ୟାଟିଂ କରିବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଏ ସଂପର୍କରେ ମତ ଦେଇ କୋହଲି କହିଥିଲେ ୪ନଂ ସ୍ଥାନ ଦୌଡ଼ରେ କେଏଲ୍‌ ରାହୁଲ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍‌ ଆଦି ଖେଳାଳିଙ୍କ ନାମ ରହିଛି। ତେବେ ମୟଙ୍କ ଅଗ୍ରୱାଲ୍‌ଙ୍କ ଉପରେ ମଧ୍ୟ ମନୋନୟନକାରୀ ଦୃଷ୍ଟି ରଖିବା ଉଚିତ୍‌। ଭାରତୀୟ ଦଳ ବେଶ୍ ଶକ୍ତିଶାଳୀ ହୋଇଥିବା ବେଳେ ବିଶ୍ବକପ୍‌ରେ ଏହି ଦଳର ଖେଳାଳିମାନେ ଯଦି ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରନ୍ତି ତେବେ ଦଳ ଚମ୍ପିଆନ୍‌ ହୋଇପାରିବ ବୋଲି ଭେଙ୍ଗସରକାର କହିଛନ୍ତି।

Comments are closed.