ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ୍ ୧୫ ସୁଦ୍ଧା ଛୁଇଁପାରେ ଓଡିଶା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କୋମୋରିନ-ମାଲଦ୍ବୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଏନେଇ ପାଣିପାଗ ବିଭାଗ ରବିବାର ସ୍ପଷ୍ଟ କରିଛି। ମେ’ ୩୧ ସୁଦ୍ଧା (ଆଗୁଆ ଓ ପଛୁଆ ୪ଦିନ) ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ପୂର୍ବରୁ ପାଣିପାଗ ବିଭାଗ ଆକଳନ କରିଥିଲା। ପାଣିପାଗ ବିଭାଗର ନିୟମାନୁଯାୟୀ, ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିଥାଏ, ଅର୍ଥାତ ଜୁନ ୧୨ ସ୍ବାଭାବିକ ତାରିଖ ଥିବାବେଳେ ସ୍ବଭାବିକ ସମୟ ପୂର୍ବରୁ କିମ୍ବା ପରେ ଆସିପାରେ। ଚଳିତ ବର୍ଷ ଜୁନ ୧୦ରୁ ୧୫ ତାରିଖ ଭିତରେ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବାରେ ପାଗ ଅନୁକୂଳ ରହିଛି। ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଥିଲା। ୭ଦିନ ବିଳମ୍ବରେ ଅର୍ଥାତ୍ ଜୁନ ୮ରେ କେରଳ ଉପକୂଳକୁ ପ୍ରବେଶ କରିଥିଲା। ଓଡ଼ିଶାକୁ ଜୁନ୍‌ ୨୨ବେଳକୁ ପହଞ୍ଚିଥିଲା। ଏଥର ମୌସୁମୀ ସ୍ବାଭାବିକ ସମୟରେ କେରଳ ସମେତ ଓଡ଼ିଶାକୁ ଛୁଇଁବା ନେଇ ବିଭିନ୍ନ ମଡେଲ୍‌ ଗୁଡିକ ଆକଳନ କରିଛନ୍ତି। ସାଧାରଣତଃ ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଯଦି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ନହୁଏ ତେବେ କେରଳ ଓ ଓଡ଼ିଶାକୁ ନିର୍ଦ୍ଧାରିତ ସମୟରେ ମୌସୁମୀ ଅଗ୍ରସରରେ ବିଳମ୍ବ ହୋଇପାରେ।
ଆସନ୍ତା ୨୨ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାଥମିକସ୍ତରରେ ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ଥିବାବେଳେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ। ଏ ସଂକ୍ରାନ୍ତରେ ୨୨ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏବେ ଭୟ କରିବାର କିଛି ନାହିଁ। ଏ ପର୍ଯ୍ୟନ୍ତ ଆଇଏମ୍‌ଡି ବାତ୍ୟା ନେଇ କୌଣସି ଆକଳନ କରିନାହିଁ। ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତି ହେଉଛି। ରବିବାର ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୬ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୦ ଡିଗ୍ରୀ ରହିଛି। ଚାନ୍ଦବାଲି, କଟକ, ଗୋପାଳପୁର, ବାରିପଦା, ଦାରିଙ୍ଗବାଡି, ନୟାଗଡ, ରାୟଗଡା ଏବଂ ଢେଙ୍କାନାଳରେ କାଳବୈଶାଖୀଜନିତ ବର୍ଷା ପବନ ହୋଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲ ଆକଳନ କହୁଛି, ୨୧ରେ ଘୂର୍ଣ୍ଣିବଳୟ, ୨୨ରେ ଲଘୁଚାପ, ୨୩ରେ ଅବପାତ ଓ ୨୪ରେ ଗଭୀର ଅବପାତ ସୃଷ୍ଟି ହୋଇପାରେ। ଏହା ସୃଷ୍ଟି ହେବା ପରେ ଉତ୍ତର-ପୂର୍ବ ଏବଂ ୨୩ ତାରିଖ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ। ୨୫ରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ବାତ୍ୟା ପାଇଁ ସମୁଦ୍ରରେ ପାଗ ଅନୁକୂଳ ରହିଛି, ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରେ।

Comments are closed.