କେନ୍ଦୁଝର ଓ ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର: କହିଲେ ବିଜେଡିର ଅସ୍ତ୍ର ହେଉଛି ବିକାଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର କେନ୍ଦୁଝର ସଦର, ଆନନ୍ଦପୁର ଏବଂ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। କେନ୍ଦୁଝର ସଦର ଓ ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର। କୁମ୍ଭୀରକାନ୍ଦଣା ଚଳିବନି। ଏହି ଅବସରରେ ସେ ବିଏସ୍‌କେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା, ୫-ଟି ସ୍କୁଲ, ଛାତ୍ରବୃତ୍ତି, କାଳିଆ, ମଧୁବାବୁ ପେନ୍‌ସନ, ଚାଉଳ କାର୍ଡ ଆଦି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଜନମତ ନେଇଥିଲେ। ସେ ପଚାରିଥିଲେ ଯେ ନବୀନ ପଟ୍ଟନାୟକ ଭଲ କି? ଭାବବିହ୍ବଳପୂର୍ଣ୍ଣ ‘ହଁ’ ରେ ପ୍ରତିଧ୍ବନିତ ହୋଇଥିଲା ସଭାସ୍ଥଳ। ଜୁଲାଇରୁ ବିଜୁଳ ବିଲ୍‌ ଆସିବ ନାହିଁ, ବିଜେଡି ସରକାର ମାଗଣାରେ ବିଜୁଳି ଦେବ, ଆପଣମାନେ ଖୁସି ତ? ପୁରୀ ପରିକ୍ରମା ପ୍ରକଳ୍ପ କାମ ଓ ମା’ ସମଲେଇ ପ୍ରକଳ୍ପ କାମ ଭଲ ହୋଇଛି କି ନାହିଁ ବୋଲି ପଚାରିଥିଲେ। ବହୁତ ଭଲ ବୋଲି ଉଚ୍ଚସ୍ବରରେ ଉତ୍ତର ଦେଇଥିଲେ ଜନତା। ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀ ଭାଇଭଉଣୀ। ସେମାନଙ୍କର କଳା, ସଂସ୍କୃତି, ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ଭାରତବର୍ଷର କୌଣସି ରାଜ୍ୟରେ ଏହା ହୋଇନାହିଁ। ଆଦିବାସୀ ଭାଇଭଉଣୀଙ୍କ ଉପରୁ ୫୦ ହଜାର ଛୋଟ ବଡ଼ ପୁଲିସ ମାମଲା ରଦ୍ଦ ହୋଇଛି। ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଠକାମିର ଶିକାର ନ ହେବା ପାଇଁ ‘ଲାଭ’ ଯୋଜନା ଆରମ୍ଭ ହୋଇଛି। ହଜାର ହଜାର ହଷ୍ଟେଲ ମାଧ୍ୟମରେ ଲକ୍ଷ ଲକ୍ଷ
ଆଦିବାସୀ ପିଲା ପାଠ ପଢୁଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ନିର୍ବାଚନ ପାଇଁ ଏଠାରେ ବୁଲୁଛନ୍ତି। ସେମାନଙ୍କୁ ପଚାରନ୍ତୁ, ତାଙ୍କ ରାଜ୍ୟରେ ସେମାନେ ଏଭଳି କିଛି କରିଛନ୍ତି କି? ଏଠାରେ ଆସି ବଡ଼ ବଡ଼ କଥା କହୁଛନ୍ତି। ୧୦ ବର୍ଷ ତଳେ ବିଜେପି କହିଥିଲା ଆମେ କ୍ଷମତାକୁ ଆସିଲେ ଦରଦାମ କମାଇବୁ, ରୋଜଗାର ବଢ଼ାଇବୁ, କିଛି କଲେ ନାହିଁ, ଏବେ ଆସି ଭୋଟ ପାଇଁ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଏମାନେ ଲୋକଙ୍କ ପାଇଁ କାମ କରନ୍ତି ନାହିଁ, ଭୋଟ ପାଇଁ ମିଛ କଥା କୁହନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକଙ୍କ ପାଇଁ କାମ କରିଥାନ୍ତି। ଜୁନ ୯ରେ ୧୧.୩୦ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେପିର ଚାଲ୍‌ ବୁଝନ୍ତୁ। ବିଜେପିର ମିଛ ପ୍ରଚାର ବିଷୟରେ ସମସ୍ତଙ୍କୁ ସତର୍କ କରାନ୍ତୁ। ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସୁଖଦୁଃଖରେ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାନ୍ତୁ। ଆନନ୍ଦପୁରରେ ୫୦ ହଜାର ଓ ଘସିପୁରାରେ ୬୦ ହଜାର ଭୋଟ ବ୍ୟବଧାନରେ ଜିତାଇବାକୁ ସେ ଆହ୍ବାନ ଦେଇଥିଲେ। ଭଦ୍ରକ ଇଡ୍‌କୋ ପଡ଼ିଆରେ ଆୟୋଜିତ ନିର୍ବାଚନ ସଭାରେ ଜନତାଙ୍କ ବିପୁଳ ଉତ୍ସାହ ଦେଖି ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଉତ୍ସାହିତ ଜନତା ଭାବବିହ୍ବଳ ହୋଇ କରତାଳି ଦେଇ ‘ହଁ’ ଧ୍ବନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ବିରୋଧୀ ଦଳ ନେତାମାନେ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି। କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ସେମାନଙ୍କ ପ୍ରତି ସତର୍କ ହୋଇ ରୁହନ୍ତୁ। ମୁଖ୍ୟମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କ ଠାରୁ ମତାମତ ନେଇଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍‌ ଆସିବ ନାହିଁ। ବିଜେଡି ସରକାର ବିଜୁଳି ମାଗଣାରେ ଦେବେ। ଏଥିରେ ଆପଣମାନେ ଖୁସି ତ ? ସମବେତ ଜନତା ଉଚ୍ଚସ୍ବରରେ ହଁ ଭରିଥିଲେ। ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା, ସ୍ନେହ ଓ ଉତ୍ସାହ ଦେଖି ବିରୋଧୀ ଦଳର ନିଦ ହଜିଗଲାଣି। ଏବେ ନିର୍ବାଚନ ସମୟରେ ଆସାମ ଓ ଛତିଶଗଡର ମୁଖ୍ୟମନ୍ତ୍ରୀ ଏଠାକୁ ଆସି କହୁଛନ୍ତି ଓଡ଼ିଶାକୁ ଏକନମ୍ବର କରିବେ। ତାହାହେଲେ ସେମାନେ ତାଙ୍କ ରାଜ୍ୟକୁ କ’ଣ କରିବେ? ସାରା ଭାରତବର୍ଷ ଜାଣିଛି ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ କିଏ। ଏକନମ୍ବର ମୁଖ୍ୟମନ୍ତ୍ରୀ ହିଁ ଓଡ଼ିଶାକୁ ଏକନମ୍ବର କରିବେ ବୋଲି ସେ କହିଥିଲେ। ଜୁନ୍‌ ୯ରେ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ଼ ହେବ। ଦ୍ବିତୀୟ ଦସ୍ତଖତରେ ସମସ୍ତେ ବିଏସ୍‌କେୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟା ଓ କର୍ମୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା କରାଯିବ। ସେ ଆହୁରି କହିଥିଲେ ଯେ, ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବାକୁ। ଆପଣମାନେ ବିପୁଳ ସଂଖ୍ୟାରେ ତାଙ୍କୁ ଆଶୀର୍ବାଦ କରନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ମଜଭୁତ ହେବ ଓ ସେ ଆହୁରି ସଶକ୍ତ ହେବେ। ଭଦ୍ରକ ଅଞ୍ଚଳର ବିକାଶର ହିସାବ ଦେଇ ସେ କହିଲେ ଯେ, ଭଦ୍ରକ ରିଙ୍ଗ ରୋଡ ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ମଞ୍ଜୁର କରିଛନ୍ତି ଓ ଭଦ୍ରକାଳୀ ମନ୍ଦିର ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପାଣ୍ଡିଆନ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସିମୁଳିଆ ବିଧାୟକ ପ୍ରାର୍ଥୀ ସୁଭାଶିନୀ ସାହୁ, ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସ, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ସୋର ବିଧାୟକ ପ୍ରାର୍ଥୀ ମାଧବ ଧଡ଼ା ପ୍ରମୁଖ ନିଜ ନିଜର ଅଭିଭାଷଣରେ ବିଜେଡିକୁ ଭୋଟ ଦେଇ ଓଡ଼ିଶାର ବିକାଶ ରଥକୁ ଆହୁରି ଗତିଶୀଳ କରିବା ପାଇଁ ଅନୁରୋଧ କରିଥିଲେ।

Comments are closed.