ଭୀମ କୋରେଗାଓଁ ହିଂସାକାଣ୍ଡ : ମୁଖ୍ୟ ଅଭିଯୁକ୍ତଙ୍କ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ

0

ନୂଆଦିଲ୍ଲୀ : ଭୀମ କୋରେଗାଓଁ ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମିଲିନ୍ଦ ଏକବୋଟେଙ୍କ ଆଗୁଆ ଜାମିନ୍‌ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମହାରାଷ୍ଟ୍ର ପୁଲିସ୍‌ ନିକଟରୁ ଘଟଣାର ସ୍ଥିତି ରିପୋର୍ଟ ପାଇବା ପରେ ସୁପ୍ରିମିକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ ମିଲିନ୍ଦ ଏକବୋଟେଙ୍କ ଗିରଫଦାରୀର ସମ୍ଭାବନା ବଢିଯାଇଛି ।

ପ୍ରକାଶ ଯେ ପୂର୍ବରୁ ମିଲିନ୍ଦଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ମହାରାଷ୍ଟ୍ର ପୁଲିସ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁନାହିଁ । ଥରେ ଜେରା ପାଇଁ ଡ଼କାଯାଇଥିବାବେଳେ ସେ ବହୁ ବିଳମ୍ବରେ ପହଞ୍ଚିଥିଲେ । ମୋବାଇଲ ଫୋନ୍‌ ଜହିଯାଇଥିବା କହି ମିଲିନ୍ଦ ଫୋନ୍‌ ସମ୍ପର୍କରେ କୌଣସି ତଥ୍ୟ ଦେଉନାହିଁ । ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ବିଚାରପତି କ୍ୟୁରିୟନ ଜୋସେଫ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକବୋଟେଙ୍କୁ ଗିରଫଦାରୀ ଉପରେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବା ସହ ମହାରାଷ୍ଟ୍ର ସରକାରଙ୍କୁ ଜବାବ ତଲବ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏକବୋଟେଙ୍କ ପାଇଁ ଝଟକା ସଦୃଶ ହୋଇଛି ।

ପ୍ରକାଶ ଯେ ୧୮୧୮ରେ ଭୀମ କୋରେଗାଓଁରେ ବ୍ରିଟିଶ ଓ ପେଶୱାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ୨୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆବର୍ଷରେ ଉତ୍ସବ ପାଳନ ହୋଇଥିଲା। ଦଳିତ ସୈନିକଙ୍କ ସହଯୋଗରେ ବ୍ରିଟିଶମାନେ ଏହି ଯୁଦ୍ଧରେ ବିଜୟୀ ହୋଇଥିଲେ। ଉଚ୍ଚ ଜାତିର ପେଶୱାଙ୍କୁ ଦଳିତମାନେ ପରାସ୍ତ କରିଥିବାରୁ ପ୍ରତିବର୍ଷ ଏଥିପାଇଁ ଉତ୍ସବ ପାଳନ କରିଥାନ୍ତି। ତେବେ ଏପରି ଉତ୍ସବକୁ କେତେକ ଦକ୍ଷିଣ ପନ୍ଥୀ ଗୋଷ୍ଠୀ ବିରୋଧ କରିଥିଲେ। ଫଳରେ ହିଂସା ସୃଷ୍ଟି ହୋଇଥିଲା। ଏଥିରେ ଜଣେ ଦଳିତ ଯୁବକର ମୃତ୍ୟୁ ହୋଇଥିଲା।

Leave A Reply