ସମାଜ ଡିଜିଟାଲ ଡେସ୍କ: ବର୍ଷା ହେଲେ ଘରେ ପାଣି ପଶୁଛି। ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଚାଲୁଛି। ଯିବା ଆସିବାରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରୁ ସରପଞ୍ଚଙ୍କ ସ୍ଵାମୀଙ୍କୁ ଅଟକ ରଖିଛନ୍ତି। ଏପରି କି ତାଙ୍କୁ ବାନ୍ଧିବାକୁ ମଧ୍ୟ ଉଦ୍ୟମ କରିଛନ୍ତି। ଶୁକ୍ରବାର ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲା ବାଲିଆପାଳ ପଞ୍ଚାୟତର ୭ ନମ୍ବର ଓ୍ବାର୍ଡରେ।
ଓ୍ବାର୍ଡ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ଘର ନିକଟରେ ଏକ ବିରାଟ ପୋଖରୀ ରହିଛି। ଯାହାର ନାଁ ହେଉଛି ପଦ୍ମପୋଖରୀ। ବର୍ଷାଦିନେ ପୋଖରୀ ବୁଡ଼ି ଉଦବୃତ୍ତ ଜଳ ସେମାନଙ୍କ ଘରେ ପଶୁଛି। ଜଳ ନିଷ୍କାସନ ସମସ୍ୟାର ସମାଧାନ ନେଇ ସେମାନେ ପ୍ରଶାସନ ନିକଟରେ ଅନେକ ଥର ଦାବି କରିଆସିଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।
ଶୁକ୍ରବାର ଉକ୍ତ ପୋଖରୀକୁ ଲିଜରେ ନେଇ ମାଛ ଚାଷ କରୁଥିବା ସରପଞ୍ଚ ବନଲତା ଦାସଙ୍କ ସ୍ଵାମୀ ହେମନ୍ତ ଦାସ ପୋଖରୀ ଆଡକୁ ବୁଲିବାକୁ ଯାଇଥିଲେ। ଉକ୍ତ ପୋଖରୀ ପାଇଁ ଲୋକଙ୍କ ଘରେ ପାଣି ପଶୁଥିବା ଅଭିଯୋଗ କରି ସ୍ଥାନୀୟ ମହିଳାମାନେ ତାଙ୍କୁ ଅଟକ ରଖିଥିଲେ। କିଛି ମହିଳା ହେମନ୍ତଙ୍କୁ ବାନ୍ଧିବାକୁ ମଧ୍ୟ ଉଦ୍ୟମ କରିଥିଲେ।
ଖବର ପାଇ ବାଲିଆପାଳ ଥାନା ଅଧିକାରୀ ଗୋବିନ୍ଦ ବେହେରା ଏବଂ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଓ୍ବାର୍ଡବାସୀ ଅଟକ ରଖିଥିବା ହେମନ୍ତଙ୍କୁ ଛାଡ଼ିଥିଲେ।



