ସାଇବର ଅପରାଧୀଙ୍କ ଗାଁ ଥାଲ୍‌ପୋସ୍‌

ବିହାରର ଏହି ଛୋଟ ଗାଁରୁ ଗିରଫ ହୋଇଛନ୍ତି ୩୧ ଯୁବକ

ପାଟନା : ବିହାରର ଗୋଟିଏ ଗାଁରୁ ଧରା ହୋଇଛନ୍ତି ସର୍ବାଧିକ ୩୧ ସାଇବର ଅପରାଧୀ। ଏହି ଛୋଟ ଗାଁ ହେଉଛି ନୱାଡ଼ା ଅନ୍ତର୍ଗତ ଥାଲ୍‌ପୋସ୍‌। ଏହି ଗାଁର ଅଧିକାଂଶ କିଶୋଣ ତଥା ଯୁବକ ନିଜ ପାଖରେ ଥିବା ସ୍ମାର୍ଟ ଫୋନ୍‌ରେ ଅପରାଧର ଜାଲ ବିଛାଇଛନ୍ତି। ପୁଲିସ ସୂଚନାନୁଯାୟୀ, ଗୋଟିଏ ଛୋଟ ନିପଟ ମଫସଲ ଗାଁରୁ ଏତେ ସଂଖ୍ୟକ ସାଇବର ଅପରାଧୀ ଧରାପଡ଼ିବା ଦେଶରେ ବିରଳ। ତଦନ୍ତବେଳେ ଜଣାପଡ଼ିଛି ଯେ ସର୍ବିଳା ଦେବୀ ନାମ୍ନୀ ୪୨ବର୍ଷୀୟ ମହିଳା ତାଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ପୁଅ ଗୁଲସନ୍‌କୁ ଅଧିକ ପଢ଼ିବା ପାଇଁ ଗତ ଜାନୁଆରୀରେ ଦୁଇଟି ଛେଳି ବିକି ୬ହଜାର ଟଙ୍କା ଏକ ସ୍ମାର୍ଟ ଫୋନ୍‌ କିଣି ଦେଇଥିଲେ। ମାସକ ପରେ ଗୁଲସନ୍‌କୁ ପୁଲିସ ବାନ୍ଧି ନେଲା। ସେ ଏବେ କାରାଗାରରେ ରହିଛି। ଫେବୃଆରୀ ୧୫ରେ ପୁଲିସ ନୱାଡ଼ରେ ଚଢ଼ଉ କରି ୩୩ଜଣଙ୍କୁ ଗିରଫ କରିଥିଲା। ସମସ୍ତଙ୍କ ବୟସ ୧୪ରୁ ୪୦ ମଧ୍ୟରେ ଥିଲାବେଳେ କେବଳ ଥାଲ୍‌ପୋସ୍‌ ଗ୍ରାମରୁ ଥିଲେ ୩୧ଜଣ। ସମସ୍ତେ ୧୯ରୁ ୨୫ ବର୍ଷ ବୟସ୍କ ଓ ସାଇବର ଅପରାଧରେ ଜଡ଼ିତ। ଏମାନଙ୍କୁ ଜାମିନରେ ମୁକୁଳାଇବା ପାଇଁ ଏବେ ଗାଁ ସାରା ଲୋକ ଅଦାଲତକୁ ଦୌଡ଼ୁଛନ୍ତି।
ପୁଲିସ କହିବାନୁସାରେ, ଗାଁକୁ ଗଲେ ଅଧିକଂାଶ ଯୁବକ ଗଛ ବା ନିଛାଟିଆ କୂଅ ମୂଳେ ବା ଖୋଲା ପଡ଼ିଆରେ ବସିଥିବାର ଦେଖାଯାଏ। ସେମାନଙ୍କ ହାତରେ କେବଳ ଫୋନ୍‌ ଥାଏ। ଗୋଟିଏ ଗୋଟିଏ ସ୍ଥାନରେ ପାଖାପାଖି ୫୦ ପିଲା ଏକାଠି ଜମା ହେବା ମଧ୍ୟ ଦେଖାଯାଏ। ସେମାନେ କ’ଣ କରୁଛନ୍ତି ତାହା ଗାଁର ସାଧାରଣ ଲୋକେ ବୁଝିପାରନ୍ତି ନାହିଁ। ଏମିତି ଅବସ୍ଥାରେ ବୈଦ୍ୟନାଥ ପ୍ରସାଦ ନାମକ ଜଣେ ପୁଲିସ ଅଧିକାରୀଙ୍କର ସନ୍ଦେହ ହେଲା। ସେ ଏହାର ଅନୁସନ୍ଧାନ କଲେ; ତେବେ ବାସ୍ତବ ଘଟଣା ସାମ୍ନାକୁ ଆସିଲା; ଯେତେବେଳେ ଗୁଲସନ୍‌ ଗିରଫ ହେଲା। କେବଳ ନୱାଡ଼ା ନୁହେଁ; ଦକ୍ଷିଣ ବିହାରର ନାଳନ୍ଦା, ଗୟା, ଜାମୁଇ, ଶେଖ୍‌ପୁରା ଆଦି ଜିଲା ଏଭଳି ସାଇବର ଅପରାଧୀଙ୍କ ପେଣ୍ଠ ପାଲଟିଥିବା ପୁଲିସ ଜାଣିବାକୁ ପାଇଲା। ନୱାଡ଼ାର କୋନନ୍ଦପୁର ପଞ୍ଚାୟତ ଏ କ୍ଷେତ୍ରରେ ଆଉ ଏକ ଅଗ୍ରଣୀ ଅଞ୍ଚଳ। ନିକଟରେ ପୁଲିସ ସେଠାରୁ ୧୭ଜଣଙ୍କୁ ଗିରଫ କରିଛି। ବିହାର ପୁଲିସର ଅର୍ଥନୈତିକ ଅପରାଧ ଶାଖା ଏବେ ଏହା ଉପରେ ଅଧିକ ତଦନ୍ତ ଚଳାଇଛି। ସେମାନଙ୍କୁ ଧରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ସ୍ବତନ୍ତ୍ର ଦଳ ଗଠନ କରିଛି। ସମ୍ପୃକ୍ତ ଅଞ୍ଚଳରେ ୨୦୧୯-୨୦ରେ ୧୮ଟି ସାଇବର ଅପରାଧ ରେକର୍ଡ ହୋଇଥିବାବେଳେ ପୁଲିସ ୨୮ଜଣଙ୍କୁ ଗିରଫ କରିଥିଲା। ପରବର୍ଷ ୧୪ଟି ମାମଲାରେ ୩୦ ଜଣ ଗିରଫ ହୋଇଥିଲେ; କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୧୧ଟି ମାମଲାରେ ୩୮ଜଣ ଗିରଫ ହେଲେଣି। ଏତେ ଯୁବକ ଏହି ଅପରାଧ ପ୍ରତି ଆକୃଷ୍ଟ ହେବା ପୁଲିସର ଚିନ୍ତା ବଢ଼ାଇ ଦେଇଛି।

Comments are closed.