ସମ୍ବଲପୁର(ସିଟି) : ସମ୍ବଲପୁର ଜିଲାର ଅପହଞ୍ଚ ଗ୍ରାମାଞ୍ଚଳ ଗୁଡିକରେ ଶିକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆରମ୍ଭ କରାଯାଇଥିବା ‘ଚାଟଶାଳୀ’ କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂରଣ ହୋଇଛି । ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ କେଶାପାଲି ପଞ୍ଚାୟତର ସାହାଯକୁଲିଆ ଗ୍ରାମରେ ଆଜକୁ ଠିକ ଏକ ବର୍ଷ ପୂର୍ବେ ଗ୍ରାମର ସର୍ବାଧିକ ଶିକ୍ଷିତ ତଥା ନବମ ଶ୍ରେଣୀ ପାଠ ପଢ଼ିଥିବା ମାନିନୀତ ସୁରେନଙ୍କ ମାଧ୍ୟରେ ‘ଚାଟଶାଳୀ’ ଆରମ୍ଭ କରାଯାଇଥିଲା । ଏହି ଗ୍ରାମରେ ୨୧ଟି ପରିବାରରେ ୧୧୦ ଜଣ ସଦସ୍ୟ ରହୁଛନ୍ତି । ଶ୍ରୀମତୀ ସୁରେନଙ୍କ ସ୍ୱାମୀ ଶାନ୍ତି ପ୍ରକାଶ ସୁରେନ ପେଶାରେ ଚାଷୀ ହୋଇଥିବା ବେଳେ ତାଙ୍କର ଦୁଇ ପୁତ୍ର ଅନମୋଲ, ରିତିକ ଓ ଝିଅ ନନ୍ଦିନୀ ମଧ୍ୟ ଏହି ଚାଟଶାଳୀରେ ପାଠ ପଢ଼ୁଛନ୍ତି ।
‘ଚାଟଶାଳୀ’ ସର୍ମ୍ପକରେ ଶ୍ରୀମତୀ ସୁରେନ କହିଛନ୍ତି ଯେ, ଠିକ ଏକ ବର୍ଷ ପୂର୍ବେ ମାତ୍ର ୨ ଜଣ ଛାତ୍ରଙ୍କ ଠାରୁ ଆରମ୍ଭ କରିଥିଲି । ଏବେ ତାଙ୍କ ଗ୍ରାମରେ ଚାଲିଥିବା ଚାଟଶାଳୀରେ ୩୦ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ପାଠ ପଢ଼ୁଛନ୍ତି । ପ୍ରଥମେ ଶିକ୍ଷା ଅନୁଷ୍ଠାନ ସହାୟତାରେ ଗ୍ରାମରେ ଅଭିଭାବକ ମାନଙ୍କ ସହିତ ଆଲୋଚନା କରାଯାଇ ପାଠପଢ଼ାର ମହତ୍ୱ ସର୍ମ୍ପକରେ ସେମାନଙ୍କୁ ସଚେତନ କରାଯିବା ସହିତ ଶିକ୍ଷା ସାମଗ୍ରୀ ପ୍ରଦାନ କରାଯାଇଥିଲା । ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇ ଥିଲେ ସୁଦ୍ଧା ବିଦ୍ୟାଳୟକୁ ଯାଉ ନ ଥିଲେ। ଧିରେ ଧିରେ ଉକ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମାନଙ୍କୁ ସଚେତନ କରାଯାଇ ପ୍ରଥମେ ସମସ୍ତଙ୍କୁ ‘ଚାଟଶାଳୀ’ କୁ ପାଠ ପଢ଼ିବା ପାଇଁ ଅଣା ଯାଇଥିଲା। ଏବେ ମଧ୍ୟ ସେ ପ୍ରତିଦିନ ଗ୍ରାମର ଛୋଟ ପିଲା ମାନଙ୍କୁ ‘ଚାଟଶାଳୀ’ କୁ ପଢ଼ି ଆସିବା ପାଇଁ ନିଜେ ଆଣିବା ଓ ଛାଡିବା କାର୍ଯ୍ୟ କରୁଛନ୍ତି। ‘ଚାଟଶାଳୀ’ ମାଧ୍ୟମରେ ସେମାନଙ୍କ ଶିକ୍ଷାଦାନ ପରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ମଧ୍ୟ ନିୟମିତ ଯାଉଛନ୍ତି । ‘ଚାଟଶାଳୀ’ ରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପାଠପଢ଼ା, ଶନିବାର ପରୀକ୍ଷା ଓ ରବିବାର ଦିନ ବିଭିନ୍ନ ପ୍ରକାରର ପ୍ରତିଭା ବିକାଶ କାର୍ଯ୍ୟକ୍ରମ କରାଯାଉଛି। ଗ୍ରାମର ସବୁଠାରୁ ଉଚ୍ଚ ଶିକ୍ଷିତ ମହିଳା ଏବଂ ତାଙ୍କର ଉତ୍ତମ ଆଚାର ବ୍ୟବହାର ପାଇଁ ଗ୍ରାମବାସୀ ତାଙ୍କୁ ୱାର୍ଡ ମେମ୍ବର ରୂପେ ମନୋନୀତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଗତ ବର୍ଷ ମାର୍ଚ୍ଚ ୬ ତାରିଖରେ ଜିଲାର ଅପହଞ୍ଚ ଅଞ୍ଚଳରେ ଶିକ୍ଷାକୁ ପହୁଞ୍ଚାବା ଲକ୍ଷ୍ୟ ନେଇ ‘ଚାଟଶାଳୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ ସାହାଯକୁଲିଆ ଗ୍ରାମରେ ମାନିନୀତ ସୁରେନଙ୍କ ମାଧ୍ୟମରେ ଆରମ୍ଭ କରାଯାଇଥିଲା। ଏହି ଛୋଟ ଉଦ୍ୟମ ଦ୍ୱାରା ଏବେ ‘ଚାଟଶାଳୀ’ କାର୍ଯ୍ୟକ୍ରମ ଆରମ୍ଭର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏବେ ଜିଲାର ୧୬ଟି ଅପହଞ୍ଚ ଅଞ୍ଚଳରେ ୨୭୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ି ଆଗାମୀ ଦିନର ସୁନାଗରିକ ରୂପେ ଗଢ଼ି ତୋଳିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି ।



