ନୂଆଦିଲ୍ଲୀ : ଆଇଏଏସ୍ ଅଫିସର ବିଜୟ ବର୍ଦ୍ଧନଙ୍କ ସମ୍ପର୍କରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ହରିୟାଣାର ସିର୍ସା ଜିଲାବାସୀ ବିଜୟ ୨୦୨୧ରେ ଆଇଏଏସ୍ ପାଇବା ପୂର୍ବରୁ କ୍ରମାଗତ ୩୫ଟି ବିଭିନ୍ନ ପ୍ରତିଦ୍ବନ୍ଦ୍ବିମୂଳକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହାସତ୍ତ୍ବେ ସେ ଧୈର୍ଯ୍ୟହରା ନହୋଇ ଉଦ୍ୟମ ଜାରି ରଖିଥିଲେ। ହିସାରରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ପଢ଼ିବା ପରେ ବିଜୟ ଦିଲ୍ଲୀ ଯାଇ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ। ଏଥିମଧ୍ୟରେ ସେ ହରିୟାଣା ପିଏସ୍ସି, ୟୁପିପିଏସ୍ସି, ଏସ୍ଏସ୍ସି, ଜିଜିଏଲ ପାଇଁ ୩୦ଥର ପରୀକ୍ଷା ଦେଇଥିଲେ; କିନ୍ତୁ ସବୁଥିରେ ବିଫଳତା ହିଁ ମିଳିଥିଲା । ୨୦୧୪ରେ ସେ ପ୍ରଥମେ ସିଭିଲ ସର୍ଭିସ୍ ପରୀକ୍ଷା ଦେଇ ବିଫଳ ହୋଇଥିଲେ। କ୍ରମାଗତ ୪ଥର ବିଫଳ ହେବା ପରେ ୨୦୧୮ରେ ସେ ୧୦୪ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ ଓ ଆଇପିଏସ୍ ପାଇଥିଲେ। ଏଥିରେ ସନ୍ତୁଷ୍ଟ ନହୋଇ ପୁଣି ୨୦୨୧ରେ ସିଭିଲ ସର୍ଭିସ୍ ପରୀକ୍ଷା ଦେଲେ ଓ ଏଥର ତାଙ୍କ ସ୍ବପ୍ନ ସାକାର ହେଲା। ବିଫଳତା ହିଁ ସଫଳତାର ପାହାଚ ବୋଲି କୁହାଯାଏ; ଯାହା ତାଙ୍କଠାରେ ପ୍ରମାଣିତ ହୋଇଛି। ବିଜୟଙ୍କ କହିବାନୁସାରେ ନିଜେ ହିଁ ନିଜର ଶ୍ରେଷ୍ଠ ଶିକ୍ଷକ। ଭୁଲ୍କୁ ସୁଧାରି ପାରିଲେ ସଫଳତା ନିଶ୍ଚୟ ସଫଳତା ମିଳିବ।
Popular Categories



