ସମ୍ବଲପୁର/କେନ୍ଦୁଝର : ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ୨ ସରକାରୀ କର୍ମଚାରୀ। ଜଣେ କଲେଜ ଅଧ୍ୟକ୍ଷ ହୋଇଥିବା ବେଳେ ଆଉ ଜଣେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ସମ୍ବଲପୁର ଜିଲା ମହୁଲିପାଲି କେଶାବାହାଲ ଯୁକ୍ତ ୨ ଜୁନିଅର କଲେଜ ଅଧ୍ୟକ୍ଷ ଜୟପ୍ରକାଶ ପଟେଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଏହାସହିତ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସନ୍ତୋଷ କୁମାର ଧିର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ମହୁଲିପାଲି କେଶାବାହାଲ ଯୁକ୍ତ ୨ ଜୁନିଅର କଲେଜ ଅଧ୍ୟକ୍ଷ ଜୟପ୍ରକାଶ ପଟେଲଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସର ଏକ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି। ଜୟପ୍ରକାଶଙ୍କ ରାଉରକେଲାସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ମିଳିଥିବା ଜଣାପଡ଼ିଛି ଏବଂ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି।
ଅନ୍ୟପକ୍ଷରେ ଆନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସନ୍ତୋଷ କୁମାର ଧିର ଜଣେ ପ୍ରଧାନ ଶିକ୍ଷକଙ୍କ ନିକଟରୁ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସର ଏକ ଟିମ୍ ଚଢାଉ କରି ତାଙ୍କୁ ଗିରଫ କରିଛି। କୌଣସି ଏକ କାମ କରାଇ ଦେବାକୁ ସେ ପ୍ରଧାନ ଶିକ୍ଷକଙ୍କୁ ଲାଞ୍ଚ ମାଗିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ ଆଜି ଲାଞ୍ଚ ନେଉଥିବା ସମୟରେ ସନ୍ତୋଷ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।



