ଲାଞ୍ଚ ମାମଲାରେ ବାରିଆ ଥାନା ପୂର୍ବତନ ଅଧିକାରୀଙ୍କୁ ୪ବର୍ଷ ଜେଲ
କେନ୍ଦୁଝରଗଡ଼ : ଜଣେ ମହିଳାଙ୍କ ଦ୍ୱାରା ଆଗତ ନିର୍ଯ୍ୟାତନା ମାମଲାରୁ ଅଭିଯୁକ୍ତଙ୍କ ବାପା ଓ ମା’ଙ୍କ ନାମ ବାଦ୍ କରିବାକୁ କହି ଲାଞ୍ଚ ଗ୍ରହଣ ମାମଲାରେ ଗିରଫ ହୋଇ ଜାମିନରେ ଥିବା କେନ୍ଦୁଝର ଜିଲା ବାରିଆ ଥାନାର ପୂର୍ବତନ ଅଧିକାରୀ ସବ୍ଇନ୍ସପେକ୍ଟର କାଳୁଚରଣ ସ୍ୱାଇଁଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୪ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଦେଇଛନ୍ତି । ବାରିଆ ଥାନା ବାସୁଦେବପୁର ଗ୍ରାମର ସରସ୍ୱତୀ ନାଏକ ତାଙ୍କ ସ୍ୱାମୀ ମନୋରଞ୍ଜନ ନାଏକଙ୍କ ବିରୋଧରେ ନିର୍ଯ୍ୟାତନା ଦେଉଥିବା ନେଇ ପ୍ରଥମେ ୨୦୧୪ରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ତତ୍କାଳୀନ ଥାନା ଅଧିକାରୀ କାଳୁଚରଣ ସ୍ୱାଇଁ ଅଭିଯୁକ୍ତ ମନୋରଞ୍ଜନଙ୍କୁ ୨୦ ଅକ୍ଟୋବର ୨୦୧୪ରେ ଥାନାକୁ ଡାକି ପତ୍ନୀ କରିଥିବା ଅଭିଯୋଗରୁ ତାଙ୍କ ବାପା ଓ ମା’ଙ୍କ ନାମ ବାଦ୍ ଦେବା ସହ ମାମଲାକୁ ଦୁର୍ବଳ କରିବା ନିମନ୍ତେ ରିପୋର୍ଟ ପ୍ରଦାନ ନେଇ ଅଭିଯୁକ୍ତ ମନୋରଞ୍ଜନଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଅଭିଯୁକ୍ତ ମନୋରଞ୍ଜନଙ୍କୁ ତହିଁ ପରଦିନ ଅର୍ଥାତ ୨୧ ଅକ୍ଟୋବରରେ ଗିରଫ କରି କୋର୍ଟ ଚାଲାଣ କରିବା ସହ କେସ୍ ଡାଏରୀ ପଠାଇବା ପାଇଁ ଥାନା ଅଧିକାରୀ ୫ହଜାର ଟଙ୍କା ଲାଞ୍ଚ ନେବାପରେ ୩୦ ଅକ୍ଟୋବରରେ ଅଭିଯୁକ୍ତ ମନୋରଞ୍ଜନ ଜାମିନରେ ଆସିଥିଲେ। ଜାମିନରେ ଆସିବା ମାସକ ପରେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଅଭିଯୁକ୍ତ ମନୋରଞ୍ଜନଙ୍କୁ ୩୦ ନଭେମ୍ବରରେ ଥାନାକୁ ଡାକି ମାମଲାରୁ ବାପା ଓ ମା’ଙ୍କ ନାମ ବାଦ୍ ଦେବାପାଇଁ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ସମ୍ପର୍କରେ ଅଭିଯୁକ୍ତ ମନୋରଞ୍ଜନ ୧ ଡିସେମ୍ବରରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ପରେ ସେହିଦିନ ଥାନା ପରିସରରେ ଥାନା ଅଧିକାରୀ କାଳୁଚରଣ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ ସମୟରେ ଭିଜିଲାନ୍ସ ହାବୁଡରେ ଧରାପଡି ଗିରଫ ହୋଇଥିଲେ। ମୋଟ ୧୫ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି କେନ୍ଦୁଝର ରଶ୍ମୀତା ଦଳେଇ ଶୁକ୍ରବାର ମାମଲାର ଚୂଡାନ୍ତ ବିଚାର କରି ଲାଞ୍ଚ ଗ୍ରହଣ ମାମଲାରେ ବାରିଆ ଥାନାର ତତ୍କାଳୀନ ଅଧିକାରୀ କାଳୁଚରଣଙ୍କୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ସଶ୍ରମ ଜେଲଦଣ୍ଡ ସହ ୩ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଦେବଦତ୍ତ ବିଶ୍ୱାଳ ମକଦ୍ଦମା ପରିଚାଳନା କରୁଥିବା ବେଳେ ଭିଜିଲାନ୍ସ ଡିଏସ୍ପି ପୁରୁଷୋତ୍ତମ ସେଠୀ, ଇନ୍ସପେକ୍ଟର ହରେକୃଷ୍ଣ ମାଝୀ ଓ ହେମାମାଳିନୀ ନାୟକ ଅନୁସନ୍ଧାନକାରୀ ଅଧିକାରୀ ଭାବେ ମାମଲା ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ଜେଲ ଦଣ୍ଡାଦେଶ ହୋଇଥିବା ପୂର୍ବତନ ଥାନା ଅଧିକାରୀଙ୍କ ଘର ଗଞ୍ଜାମ ଜିଲା ଭଞ୍ଜନଗର ବାଲିପଦର ଗ୍ରାମର ହୋଇଥିବା ବେଳେ ସେ ୩୧ ମାର୍ଚ୍ଚ ୨୦୧୭ରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାରୁ ଅବସରଗ୍ରହଣ କରିଛନ୍ତି।
Comments are closed.